କର୍ମ କରିଚାଲ ନିତି
କର୍ମ କରିଚାଲ ନିତି
ଜାମୁ ଗଛ ମୂଳେ ଛିଡ଼ା ହୋଇକି,
କଥା ହେଉଥିଲେ ଶାନ୍ତି, ଦେବକୀ ।
ପଚାରିଲା ଆଗେ ଶାନ୍ତି;
"ମୁହଁ ଖୋଲି ମୋତେ କହୁନୁ କିଆଁ ତୋ
ମଳିନ ଦିଶୁଛି କାନ୍ତି !!
ସେପଟକୁ ଟିକେ ଭଲକି ଅନା,
ବାଟେ ଯାଉଛନ୍ତି ସୁରିଆ ନନା ।
ଭେଟିଲେ ଓଳଗି ହୋଇବୁ;
ବାହା ଯୋଗ ତୋର ଅଛି କି ନ ଅଛି
ହାତକୁ ଦେଖାଇ କହିବୁ !!
ମୋତେ କହିଥିଲେ ଛ' ମାସ ତଳେ,
ଦେଖିବାକୁ ପରା ଆସିଲେ ଦଳେ ।
ଠିକଣା ହୋଇଲା ବାହା;
ସେଇଦିନୁ ପୂରା ସତ ମଣିଛି ମୁଁ
କହିଥା'ନ୍ତି ସିଏ ଯାହା ।
ବେଣୁକୁ କହିଲେ, ସଜାଗ ଥିବୁ,
ଶନିଦଶା ଅଛି ବାଗରେ ଯିବୁ ।
ମାନିଲାନି ସିଏ କଥା;
ବାଟରେ ତାହାର ଦୁର୍ଘଟଣା ଘଟି
ହରାଇଲା ପରା ଚେତା !!"
ସେତିକି ବେଳକୁ ମଦନା ସାହୁ,
କହିଲା-କାହାଣୀ ସେତିକି ଥାଉ ।
ତୁଚ୍ଛା ଡହରାଟା ସିଏ;
ଅନ୍ଧବିଶ୍ୱାସକୁ ପ୍ରସାର କରୁଛୁ
ତୁ ଲୋ 'ଶାନ୍ତି' ଭାରି ଇଏ ।
ପାଠ ଶାଠ ଦୁହେଁ ପଢ଼ିଛ କିଛି,
ଯଦି ନିଜପରେ ଭରସା ଅଛି ।
କର୍ମ କରିଚାଲ ନିତି;
ତାହାହେଲେ ଯାଇ ସଉଭାଗ୍ୟଟିକୁ
ପାଖରେ ପାଇବ ଅତି ।