ତୁମକୁ ପଚାରି ଥିଲି
ତୁମକୁ ପଚାରି ଥିଲି
ଜ୍ୟୋତ୍ସା ଭରା ଏକ ନିରୋଳା ନିଶିରେ
ତୁମ ସହ ରାଜ ଦାଣ୍ଡେ,
ରଥରେ ଆରୁଢ଼ା ଅନୂଢ଼ା ଯୁବତୀ
ମଗ୍ନ ଥିଲା ଦିବ୍ୟାନନ୍ଦେ ।
ପଥର ଉଭୟ ପାର୍ଶ୍ଵର ଶୋଭାକୁ
ହସ୍ତରେ ଇଶାରା ଦେଇ,
ନୟନ ପୂରାଇ ଦେଖାଇ ଚଳିଲ
ଆଗକୁ ବଇଁଶୀ ବାଇ ।
ଶିରରେ ମୟୂର ପୁଚ୍ଛ ଥିଲା ରହି
ସୁନୀଳ ବରନ ଦେହ,
ଅତି ସରାଗରେ କଥା ହେଉଥିଲ
ସେଇ ଚାରୁଶୀଳା ସହ ।
ମାର୍ଗର ଉଭୟ ପାର୍ଶ୍ଵର ଭବନ
ରହି ଯାଉଥିଲା ପଛେ,
ବାମ ପାଖ ଏକ ପ୍ରାସାଦ ଅଗଣା
ପରେ ଅଟକିଲ ରଥେ ।
ଅଚାନକ ରଙ୍ଗ ମୁଠେ ବିଞ୍ଚି ଦେଇ
କହିଲ ଜାଣିଲ ଏବେ,
ତୁମେ ମୋର କିଏ ପ୍ରଶ୍ନ ପୁଚ୍ଛିଥିଲ
ଆସୁଛି ତ ଖୋଜ ଯେବେ ।
ବୁଝିବା ଆଗରୁ ଅଦୃଶ୍ୟ ହୋଇଲ
ଚମକି ଚାହିଁଲା ସିଏ,
ଭାବିଲା ଏ ବଡ଼ ଗହନ କଥା ଯେ
ତତ୍ତ୍ଵ ବୁଝେଇବ କିଏ !
ମନେ ପଡ଼ିଗଲା ଶୋଇବା ବେଳକୁ
ତୁମକୁ ପଚାରି ଥିଲି,
ମୁଁ ସିନା ତୁମକୁ ପ୍ରିୟତମ ଭାବେ
ତୁମର ମୁଁ କିଏ ବୋଲି !
ମୋତେ ତୁମେ କେଉଁ ଭାବରେ ଗ୍ରହଣ
କରିଛ କହିବ ପ୍ରଭୋ,
ମନ ପ୍ରାଣ ମୋର ଅରପି ଦେଇଛି
ତୁମକୁ ଭାବିକି ସବୁ ।
ସପନରେ ତା'ର ଉତ୍ତର ରଖିଲ
ପ୍ରାଞ୍ଜଳ ଭାବେ ହେ ନାଥ,
ଆଉ କେହି ନୁହଁ ତୁମ ସହ ମୁହିଁ
ରଥେ ଥିଲି ଉପସ୍ଥିତ ।
ମୋ ଅଙ୍ଗରେ ତୁମେ ଅବିର ବୋଳିକି
ସୂଚିତ କରିଲ କୃଷ୍ଣ,
ମୁଁ ତୁମର ଏକ ଅଂଶ ଅଟେ ଆଉ
ତୁମେ ମୋର ପ୍ରିୟତମ ।
ରୋମାଞ୍ଚ ଜାଗଇ ତନୁ ମନେ ସେଇ
ଅପାସୋରା ସ୍ମୃତି ସ୍ମରି,
ଏଥରକ ସତ ଦରଶନ ଦିଅ
ବାହୁ ଦ୍ୱୟେ ନେବି ଧରି ।