ଅଙ୍ଗରେ ବିରହ ପୀଡ଼ା
ଅଙ୍ଗରେ ବିରହ ପୀଡ଼ା
ବାନ୍ଧିରଖ ତୁମ ବାହୁ ଡୋରେ ମୋତେ
ଏମିତି ଅନନ୍ତକାଳ,
ଆନଚିନ୍ତା ଛାଡ଼ି ତୁମ ସାନିଧ୍ୟରେ
କଟିଯାଉ ମୋର ବେଳ ।
ଅହର୍ନିଶ କେତେ ଝୁରି ହେଉଥାଏ
ତୁମକୁ ମୁଁ ଏକାନ୍ତରେ,
ଚାହିଁ ବି ପାଶକୁ ଆସିପାରେ ନାହିଁ
ଲୋକ ଅପବାଦ ଡରେ ।
ପ୍ରତି ଶ୍ଵାସରେ ମୋ ଥାଏ ତୁମ ନାମ
ଅଙ୍ଗରେ ବିରହ ପୀଡ଼ା,
ତେଣୁକରି ଅନ୍ୟ ସାହାରା ନେଇ ମୁଁ
ବହୁକଷ୍ଟେ ହୁଏ ଛିଡ଼ା ।
କେତେ ଗାଳି-ମନ୍ଦ ସହେ ସେଥିଲାଗି
ତହିଁକି ନ ଥାଏ ଦକା,
ଆଉ କେ ତୁମକୁ ଲମ୍ପଟ କହିଲେ
ମନେ ପଶିଯାଏ ଶଙ୍କା ।
ଖୋଜୁଥାଏ ମୁହିଁ ସୁଯୋଗ ଟିକିଏ
ଭୋକ ଶୋଷ ସବୁ ଭୁଲି,
ବଂଶୀ ସ୍ଵନ ଶୁଣି ବାହାନା କରିକି
ଆସିଅଛି ଏବେ ଚାଲି ।
କେଶ ବସନ ମୋ ଅସମ୍ଭାଳ ସବୁ
ନିଃଶ୍ବାସ ଛୁଟୁଛି ଖର,
ବାହୁ ଯୁଗଳରେ ବାନ୍ଧିରଖି କୃଷ୍ଣ
ଏ ପ୍ରାଣକୁ ଶାନ୍ତ କର ।