ଅଳପେ ପାରିଛି ଜାଣି
ଅଳପେ ପାରିଛି ଜାଣି
ରାଜା ପୁଅ ବୋଲି ସାଧାରଣ ବେଶ
ଧାରଣଟି କିବା ମନା,
ଏଇ କୃଷକଙ୍କ ଅତିଥି ଆଜି ମୁଁ
ଭୋଜନ କରିବି ଘେନା ।
ଲାସ୍ୟମୟୀ ଏକ ତରୁଣୀ ଦେଖିଲି
ମନ୍ଦିରର ସମ୍ମୁଖରେ,
ଜଳଦାନ କରୁଥିଲେ ତୃଷାର୍ତ୍ତଙ୍କୁ
ପରା ଅତି ଆଗ୍ରହରେ ।
ପଥ ସେ ପ୍ରାନ୍ତରେ ପଶୁ ଶାବକଟେ
କଣ୍ଟା ବାଡ଼ ମଧ୍ୟେ ପଶି,
କଷ୍ଟ ପାଉଥିଲା, ପଦାକୁ କୌଶଳେ
ବାହାର କଲେ ଯେ ଆସି ।
ଅନୁସରଣ ମୁଁ କରିକି ତାହାଙ୍କୁ
ଏ ସ୍ଥାନରେ ଗଲି ମିଳି,
ଭୋଜନ ପ୍ରସ୍ତୁତ କରି ଖୁଆଇଲେ
ତୃପ୍ତ ହୋଇ ଯିବି ଚଳି ।
ଅନୁମତି ଯେବେ ମିଳିବ କନ୍ୟାଙ୍କ
କୃଷକ ହୋଇବେ ରାଜି,
ପାଣି ଗ୍ରହଣ ମୁଁ କରିବି ଅବଶ୍ୟ
ଏ ଗ୍ରାମ ଜାମାତା ସାଜି ।
ସଙ୍ଗେ ନେଇଯିବି ରାଜ ନଅରକୁ
ରହିବେ ହୋଇ ମୋ ରାଣୀ,
ହୃଦୟେ ତାଙ୍କର ଭରା ସଦଗୁଣ
ଅଳପେ ପାରିଛି ଜାଣି ।