ପ୍ରେମ କେବେ ଫୁଲ ହୋଇ ଫୁଟେ
ପ୍ରେମ କେବେ ଫୁଲ ହୋଇ ଫୁଟେ


ପ୍ରେମ କେବେ ଫୁଲ ହୋଇ ଫୁଟେ
ମନ ତଳ କଦମ୍ବ ବନରେ ,
ପ୍ରେମ କେବେ ଲୁହ ହୋଇ ଝରେ
ଯମୁନାର ଉଜାଣୀ ସ୍ରୋତରେ ।
ପ୍ରେମ ଏକ ଖିଆଲି ମନର
ଅଦିନିଆ ଋତୁ,
ବଇଶାଖୀ ଝାଞ୍ଜି ପରି ଜାଳେ !
ପ୍ରେମ କେବେ ଚୋରା ଚଇତାଳି
ହୃଦୟର ହରିତ୍ ଅରଣ୍ୟ ,
ପ୍ରେମ କେବେ ଉଆଁସ ରାତିର
ଦିଶା ହୀନ ମୁଠାଏ କାରୁଣ୍ୟ ।
ପ୍ରେମ ଗଢେ ପ୍ରେମ ଭାଙ୍ଗେ କେବେ
ମନର ମନ୍ଦିର,
ପାପ ର ସମାଧି ପରେ ପୂଣ୍ୟ !
ପ୍ରେମ ଏଠି ଫୁଲଟିର ଲାଜ ଭରା
କମନୀୟ ଗୋଲାପୀ ଓଠରେ ,
ପ୍ରେମ ଏଠି ମଧୁକ୍ଷରା ଭିଜାମାଟି
ଆଷାଢ ର ପହିଲି ଛୁଆଁରେ ।
ଭଷାମେଘ ପରି କେବେ ପ୍ରେମ
ନୀଳ ଆକାଶରେ ,
ଜହ୍ନ ସହ ଲୁଚକାଳି ଖେଳେ !
ପ୍ରେମଟିଏ ଅଙ୍କୁରିତ ହୁଏ କେବେ
ବସନ୍ତର ମୃଦୁ ପରଶରେ ,
ଭୂମିଲଗ୍ନା ବଉଳ ଭରା ସେ ଡାଳ
କୁହୁ କୁହୁ କୋଇଲିର ସ୍ବରେ ।
ନବନୀତା ନହୂଲୀ ପାଦର
ଅଳତା ଗାରରେ ,
ଚମ୍ପାଫୁଲ ମେହେନ୍ଦୀ ରଙ୍ଗରେ !
ପ୍ରେମ ଆସେ ଧୀର ପଦପାତେ ଏଠି
ନୂଆ ନୂଆ କିଶୋରୀ ଛାତିରେ ,
ପ୍ରେମ ତୋଳେ 'ମାଗେ ପରବର 'ଛନ୍ଦ
ଆଦିବାସୀ ତରୁଣୀ ଓଠରେ ।
କିଛି ଲାଜ କିଛି ଭୟ ନେଇ
ପ୍ରେମ ଆସୁଥାଏ,
ବିଶ୍ବାସର ହୃଦୟ ସାଗରେ !!