ପ୍ରେମ ଋତୁ
ପ୍ରେମ ଋତୁ
ନହକା ଆମ୍ବଡାଳରେ ବଉଳ ଆସିଲେ
ଭାବିନିଏ ପ୍ରେମ ଋତୁ ,
ଏଇ ବୋଧେ ଜୀବନର ଅନ୍ୟନାମ
କୋଇଲିର କୁହୁତାନ
ଅଳିର ଗୁଞ୍ଜନ
ମଳୟ ପବନ
ସବୁ ଆତୁରା କରନ୍ତି
ପ୍ରେମ କରିବାକୁ !
ପ୍ରେମ କେମିତି ହୁଏ
କେଉଁ ବାଗରେ ,
କେଉଁ ତୁଠରେ କି କେଉଁ ବାଟରେ
ଝୁଣ୍ଟି ପଡି ରକ୍ତାକ୍ତ ହୁଏ ହୃଦୟ ',
କାହା ଛବି ଆଖି ଆଇନାରେ ବସାବାନ୍ଧେ
ଉଜାଣୀ ବହେ ଯମୁନା
କଳଙ୍କ ମୁଣ୍ଡାଇ ।
ପ୍ରେମ ଏମିତି ବି ଆସେ
କବାଟ ଫାଙ୍କରେ କେବେ ରେବତୀ ମନରେ ,
ପ୍ରେମ ପାଇଁ ଛାତିଏ ପାଣିରୁ
ଛାଣି ଆଣୁଥିବା କଇଁଫୁଲ ,
ସେଇ ମଲାଜହ୍ନର ମୁହଁ
ଦୁଃଖର ବାଦଲରେ ହଜୁ ଥାଏ
ଭିଜୁଥାଏ ଆଖିର ଲୁହରେ !
ପ୍ରେମ କେବେ ମାପି ନାହିଁ
ହୃଦୟର ଲମ୍ବ ପ୍ରସ୍ଥ ,
କେବେ କଳିନାହିଁ ଗଭୀରତା ',
ନୀରବି ଯାଉଥିବା ଓଠରେ ଯେ
କେତେ ଅକୁହା କବିତା !
ସେଇ କଥା କୁହା ଆଖିରେ ଆଖିରେ ପ୍ରେମ
କେବେ ଆରମ୍ଭରୁ ଶେଷ
ଆଉ ଶେଷରୁ ଆରମ୍ଭ ।।