ଜୀବନ ସାଥୀ
ଜୀବନ ସାଥୀ
ହୃଦୟ ମନ୍ଦିରେ ପ୍ରେମପରଶରେ
ପ୍ରୀତି ସୁହାଗିନୀ ଛବି;
ଅଲିଭା ଅକ୍ଷରେ ମନଭାବନାରେ
ନାଁଆ ତା'ର ଲେଖା ଅଛି ।
ଜୀବନ ଯୌବନ ପ୍ରେମର ସପନ
ଭରିଦିଏ ମନେ ଆଶା ,
ତା'ପାଇଁ ସମ୍ଭବ ସତେ ସୁନାନୀଡ଼
ଭାରି ମିଠା ତା'ର ଭାଷା ।
ଜନ୍ମ ଜନ୍ମାନ୍ତର ସାତ ଜନମର
ସାଜେ'ସେ ହୃଦୟ ରାଣୀ ;
ପବିତ୍ର ବନ୍ଧନେ ପ୍ରୀତିପୁଷ୍ପ ଢାଳେ
କରିଦିଏ ଚିରଋଣୀ ।
ଦୁଇଟି ଦେହର ଗୋଟିଏ ଜୀବନ
ନେତ୍ର ସ୍ୱପ୍ନ ନୁହେଁ ଭିନ୍ନ ;
ଦୁଇଟି ମନର ଗୋଟିଏ ଆସନ
ଏକ ଆତ୍ମା ଭାବ ପୂର୍ଣ୍ଣ ।
ଲକ୍ଷେ ଫଗୁଣର ଚିର ସହଚର
ଅହି ସୁଲକ୍ଷଣୀ ସାଥୀ ;
ସରଗେ ମର୍ତ୍ତ୍ୟରେ ମହାମିଳନରେ
ମନେପଡେ ପ୍ରେମସ୍ମୃତି ।
ପ୍ରେମ ପୂଜାରିଣୀ ରାଗର ରାଗିଣୀ
ଅର୍ଘ୍ୟବତୀ ସଦା ଜାଳେ ;
ଶୁଭାଶିଷ ମାଗେ ସମର୍ପଣ ମନେ
ତୁଲଷି ଚଉରା ମୂଳେ ।
ମନର ମଣିଷ ନଲିଭୁ ତା'ହସ
ହସ୍ତଶଙ୍ଖା ହେଉ ବଜ୍ର ;
ମଥାର ସିନ୍ଦୁର ସୁଖ ସଂସାରର
ଯୋଗଭୋଗ ହେଉ ଧାର୍ଯ୍ୟ ।
ମଧୁ ଭରାରାତି ନହେଉ ବିସ୍ମୃତି
ମନେ ଆଣୁ ଚିର ଖୁସୀ ;
ମନର ମାନିନୀ ପ୍ରୀତିଛନ୍ଦାବାଳୀ
ରହୁ ସଦା ହସିହସି ।
ସବୁ ଜଳାଞ୍ଜଳି ତା'ର ପୁଷ୍ପାଂଜଳୀ
ଆଦର୍ଶର ସତ୍ୟଛବି ;
ସେଇ ଏକା ସାଥୀ ପ୍ରେମର ମୁରତୀ
ସୁବର୍ଣ୍ଣା ରତ୍ନା ସୁରଭି ।
ବିବାହ ବେଦୀରେ ହୋମଅଗ୍ନି କୁଣ୍ଡେ
ପ୍ରଜ୍ୱଳିତ ବହ୍ନିଶିଖା ;
ସେଇ ପରା ସାକ୍ଷୀ ଦଶଦିଗ ଭାଗୀ
ପ୍ରାଣପ୍ରିୟା ସାଥୀ ସଖା ।

