ରାଧାକୃଷ୍ଣ ଏକ ଆତ୍ମା
ରାଧାକୃଷ୍ଣ ଏକ ଆତ୍ମା


ରାଧାକୃଷ୍ଣ ଏକ ଆତ୍ମା ଭିନ୍ନ ଦେହେ
ଆତ୍ମା ଅଦୃଶ୍ୟ ରୂପରେ
ଆତ୍ମାକୁ କେବଳ ଅନୁଭବ ଯୋଗ୍ୟ
କୃଷ୍ଣ ରୂପ ଦର୍ଶନରେ
ଆଦର୍ଶ ପ୍ରେମ ଭକ୍ତି ଗୁଣ ଯୁକ୍ତ
ରାଧା ତ୍ୟାଗ ର ପ୍ରତୀକ
ଅତୁଳନୀୟା ଓ ଅବର୍ଣ୍ଣନନୀୟା
କୃଷ୍ଣ ଭାବରେ ଭାବୁକ
ରାଧା ଶବ୍ଦ ପ୍ରାୟତଃ ପ୍ରତୀକାତ୍ମକ
ରାଧା ଶବ୍ଦ ବେଦ ମଧ୍ୟେ
ମହାଭାରତରେ ଆବିର୍ଭାବ କୃଷ୍ଣ
ରାଧା ନାହାନ୍ତି ତନ୍ମଧ୍ୟେ
ଶ୍ରୀମଦ୍ ଭାଗବତ ଓ ହରି ବଂଶ
କୃଷ୍ଣଙ୍କୁ ଦିଏ ପ୍ରାଧାନ୍ୟ
କିନ୍ତୁ ରାଧା ଶବ୍ଦ ଅଭାବ ରହିଛି
ବିଚାର ଯୋଗ୍ୟ ବର୍ଣ୍ଣନ
କୃଷ୍ଣ ଚରିତ୍ରରେ ରାଧାଙ୍କ ସଂଯୋଗ
ଅତୀବ ରହସ୍ୟାବୃତ୍ତ
ପରମ-ତତ୍ତ୍ୱ ସମ୍ବଳିତ ବୃତ୍ତାନ୍ତ
ରାଧା ମାତ୍ର କୃଷ୍ଣ ତତ୍ତ୍ଵ
ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା
ଧରା ପୃଷ୍ଠେ ଜନ୍ମ ବେଳେ
ମୁଦ୍ରିତ ନୟନେ ଧ୍ୟାନ ସହକାରେ
ଅପେକ୍ଷାରେ ମଗ୍ନ ଥିଲେ
ଶ୍ୟାମ ଦୂର୍ବାଦଳ ଶ୍ରୀକୃଷ୍ଣ ସଂସ୍ପର୍ଶେ
ରାଧା ପାଇ ଦୃଷ୍ଟି ଶକ୍ତି
ପୂର୍ବ ନିର୍ଦ୍ଧାରିତ ରହସ୍ୟ ଘେରରେ
ଥିଲେ ଯୁଗଳ ମୂରତି
ଅଲୌକିକ କାର୍ଯ୍ୟକଳାପର ଧାରେ
କୃଷ୍ଣ ସ୍ଵୟଂ ଭଗବାନ
ବ୍ରଜ ଧାମେ ଆକର୍ଷଣ କେନ୍ଦ୍ର ବିନ୍ଦୁ
କ୍ରମେ ହେଲା ସମ୍ପାଦନ
ଗୋପ ପୁରେ ରହି ଲୀଳା କଲେ କୃଷ୍ଣ
ତୋଳି ବଂଶୀ ରେ ମୂର୍ଚ୍ଛନା
ଗୋପାଙ୍ଗନା ସହ ରାଧା ବି ମୋହିତ
ସର୍ବେ ହେଲେ ଆନମନା
କୁଳ ବଧୂ ରୂପେ ପରିଚିତ ରାଧା
ଭୁଲିଲେ ଲାଜ ସରମ
କୁଞ୍ଜ ବନେ ରାସ ରସରେ ମାତିଲେ
ସତେ ଅବା ମତି ଭ୍ରମ
କୃଷ୍ଣଙ୍କର ଠାଣି ବାଣୀ ଚାହାଣି ରେ
ନିଜକୁ ହଜାଇ ରାଧା
ହୃଦୟରେ ଶ୍ୟାମ ନାମ ମଧୁରତା
ପ୍ରେମରେ ରଖିଲେ ଶ୍ରଦ୍ଧା
ଯମୁନା ଘାଟରେ ପୁଣି କେଳି କୁଞ୍ଜେ
ରାଧା କୃଷ୍ଣଙ୍କ ମିଳନ
ନିନ୍ଦା ଅପବାଦ ସବୁ ଭୁଲି ରାଧା
ଶ୍ୟାମ ପ୍ରେମେ ହେଲେ ଲୀନ
କ୍ରମେ ବଦଳିଲା ଦୃଶ୍ୟ କାଳ ବଳେ
କୃଷ୍ଣ ଛାଡ଼ି ଗୋପପୁର
ମଥୁରା ବିଜୟ ପରେ ଦ୍ୱାରିକା ରେ
ଖେଳ ରଚିଲେ ଅପାର
ଝୁରି ହେଲା ରାଧା ଝୁରେ ଗୋପପୁର
ହୃଦୟରେ କୃଷ୍ଣ ଚିନ୍ତା
ଶ୍ୟାମ ରୂପ ,ରଙ୍ଗ, ତ୍ରିଭଙ୍ଗୀ ଚାହାଣୀ
ଦର୍ଶନ ନିମନ୍ତେ ଚିନ୍ତା
ପ୍ରେମର ଆଧାର ଶ୍ରୀରାଧା ପ୍ରେମିକା
ସାକ୍ଷୀ ଯମୁନାର ଜଳ
ସାକ୍ଷୀ କେଳି କୁଞ୍ଜ,ସାକ୍ଷୀ ସହଚରୀ
ସାକ୍ଷୀ ଗୋପୀ ଓ ଗୋପାଳ
ଆକାଶକୁ ଚାହିଁ ଭାବୁଛନ୍ତି ରାଧା
ଆକାଶର ରଙ୍ଗ ନୀଳ
ନୀଳ ତମାଳ ଓ ଯମୁନାର ଜଳ
କୃଷ୍ଣ ସ୍ଵୟଂ ରଙ୍ଗ ନୀଳ
ପୁରୁଷ ପ୍ରକୃତି ମିଳନର ଗାଥା
ଆତ୍ମା, ଆତ୍ମା ସହ ଲୀନ
ଶ୍ରୀରାଧା ମାଧବ ଏକ ଦିବ୍ୟ ଆତ୍ମା
ଅବିଚ୍ଛେଦ୍ୟ ଚିରାମ୍ଳାନ
ରୁକ୍ମିଣୀ ଅଙ୍କଶାୟିନୀ ଚିନ୍ତା କଲେ
ସେହି ରାଧାକୃଷ୍ଣ ଭାବ
ସଜାଇ ନିଜକୁ ରାଧାର ବେଶରେ
ପତି ସହ ହେଲା ଭାବ
ପତି ଙ୍କ ଛାତି ରେ ମୁଣ୍ଡ ବି ଗୁଞ୍ଜିଲେ
ଉନ୍ମୁକ୍ତ ରାଧା ସମାନ
ହୃଦ ସ୍ପନ୍ଦନ ରେ ରାଧା,ରାଧା ଡାକ
ବୁଝିଲେ ଦୁହେଁ ଅଭିନ୍ନ
ପ୍ରବାଦରେ ରାଧା ବିନା କୃଷ୍ଣ ଅଧା
ରୁକ୍ମିଣୀ ହେଲେ ନିଶ୍ଚିତ
ରଙ୍ଗ ଅଧରରେ ସ୍ମିତ ହାସ୍ୟ ଧାରେ
ପ୍ରଭୁ ହେଲେ ସହମତ
ରାଧା ସ୍ଵୟଂ ଶକ୍ତି ,କୃଷ୍ଣ ଶକ୍ତିମାନ
ଉଭୟଙ୍କ ସଂଯୋଗରେ
ଜଗତ କଲ୍ୟାଣ ପାଇଁ ଅଭିପ୍ରେତ
ଶକ୍ତି ଶକ୍ତିମାନ ଧାରେ
ଶ୍ରୀକୃଷ୍ଣ ଅଟନ୍ତି ପରମ ପୁରୁଷ
ରାଧିକା ହିଁ ନିତ୍ୟ ଶକ୍ତି
ସର୍ବ ଗୁଣ ଯୁକ୍ତା ରାଧା ଆଦି ଲକ୍ଷ୍ମୀ
କୃଷ୍ଣଙ୍କର ଆଦି ଶକ୍ତି
କୃଷ୍ଣ ତତ୍ତ୍ଵ ଜିଜ୍ଞାସା ରେ ହିଁ ସୀମିତ
ମାନିନୀ ପ୍ରେମିକା ରାଧା
ଗୀତଗୋବିନ୍ଦ ରେ ରାଧା ସ୍ଵୟଂ ଲକ୍ଷ୍ମୀ
ରାଧା ବିନା କୃଷ୍ଣ ଅଧା
କାଳ୍ପନିକ ଗୀତିନାଟ୍ୟ ଆକାରରେ
ଗୀତଗୋବିନ୍ଦ ରଚନା
ରାଧାକୃଷ୍ଣଙ୍କର ମାନ ଅଭିମାନ
ପୁନର୍ମିଳନ ବର୍ଣ୍ଣନା
ଆତ୍ମା ପରମାତ୍ମା ମିଳନର ଗାଥା
ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ
ଆଲିଙ୍ଗନ ମୁଦ୍ରା ସହିତରେ ରାଧା
ଜଗନ୍ନାଥଙ୍କ ଅଙ୍ଗରେ
ସ୍ଵୟଂ ପରଂବ୍ରହ୍ମ କୃଷ୍ଣ ଜଗନ୍ନାଥ
ସ୍ଥାନ କାଳ ପାତ୍ରେ ନାମ
ଦ୍ଵାପରେ କହ୍ନେଇ କଳିରେ କାଳିଆ
ବହୁ ରୂପୀ ବହୁ ନାମ
କୃଷ୍ଣ ଯହିଁ ଗୋପ ତହିଁ ପୁରୀ ସେହି
ରାଧା କୃଷ୍ଣଙ୍କ ଅଙ୍ଗରେ
ଆଲିଙ୍ଗନ ମୁଦ୍ରା ସହ ବିଦ୍ୟମାନ
ରାଧାକୃଷ୍ଣ ଏକାକାରେ
ସଂସାର ଜଞ୍ଜାଳ ପ୍ରତି ଅନୁରୁକ୍ତ
ସ୍ଵୟଂ କୃଷ୍ଣ ଜଗନ୍ନାଥ
ଶ୍ରୀମୁଖ କେବଳ ରହିଅଛି ମୁକ୍ତ
ରାଧା ଠାରୁ ନୁହେଁ ମୁକ୍ତ ।