ଭୟ
ଭୟ
ପିଲାବେଳେ ଭୟଭୀତ, ଅନ୍ଧାର ରାତିରେ
କଳା ବିଲେଇ ଦେଖିଲେ, ଯାତ୍ରା ସମୟରେ
ପାଦଚଲା ରାସ୍ତା ଅବା, କ୍ଷେତ,ବଗିଚାରେ
ସାପ, ବିଛା ,ଆଦି ଦେଖି,ଭୟ ବି ମନରେ
ଅଦୃଶ୍ୟ ଭୂତର ଭୟ,ପ୍ରତି କାହାଣୀରେ
ଝଙ୍କାଳିଆ ଗଛ ଅବା, ପରିତ୍ୟକ୍ତ ଘରେ
ବୟସ ଅନୁପାତରେ,ଭୟ ଭିନ୍ନ ଭିନ୍ନ
ପ୍ରତି ମୂହୁର୍ତ୍ତରେ ଭୟ,ଭୟରେ ଜୀବନ
ଭୁତ ଭୟ ଠାରୁ ବଳି,ମଣିଷ ଚରିତ୍ର
ଭୟ ସୃଷ୍ଟିକାରୀ ପୁଣି,କରେ ଭୟଭୀତ
ଭୟ ର ବାତାବରଣ, ପ୍ରତ୍ୟେକ କ୍ଷେତ୍ରରେ
ଭାବି ଭାବି ହୃଦ-ଘାତ, ଭୟ ବି ହୃଦରେ
କାହାକୁ ନିଜର ବୋଲି, ଭାବିବା ପୂର୍ବରୁ
ଭୟ ର ସେ କୁହୁଳିକା , ଯାଉନି ମନରୁ
ନୀରବତା ରହିବାର, ଭୟ ବି ହୃଦରେ
କଥା ହେବା ଭୟ ପୁଣି, ଆଶଙ୍କା ଭିତରେ
ଅନ୍ୟର ସାହାଯ୍ୟ ପ୍ରତି,ମନରେ ସନ୍ଦେହ
ନିଜର ବା ପର କିଏ, ଚିହ୍ନିବାର ଭୟ
ନିର୍ଜନ ରାସ୍ତାର ଭୟ,ଯେତେ ଅତିଶୟ
ଭିଡ଼ ଭିତରର ଭୟ,ଅତି ଭୟାବହ
ଦଳାଚକଟା ହେବାର,ଅହେତୁକ ଭୟ
ଅନିଶ୍ଚିତତା ଭିତରେ, ପ୍ରାଣ ବି ଅଥୟ
ପ୍ରତି କଥା ଅବା ରାସ୍ତା,ପ୍ରତି ଭୟ ଜାତ
କଥା ଓ ରାସ୍ତା ଅନେକ ,ସହଜେ ବିଚିତ୍ର
ବୁଝି ହେଉନି ସହଜେ,କଥା ଅଛି ଯେତେ
ସମ୍ମୁଖରେ ପ୍ରଶ୍ନବାଚୀ, ଯିବ କେଉଁ ପଥେ ?
ବଞ୍ଚିବା ଶିଖାଏ ଭୟ, ସଂଘର୍ଷ ସହିତ
ପାପ ବା କୁକର୍ମ ପ୍ରତି,ଭୟ ଯୁକ୍ତିଯୁକ୍ତ
ଜଣେ ନାରାଜ ପ୍ରାୟତଃ,ଖୁସି ଅନ୍ୟ ଜଣେ
ଭାବିଲେ ମନରେ ଭୟ, ଶୟନେ ସପନେ
ଯଦିଓ ସ୍ନେହ ଭାବନା,ଅନ୍ୟ ଶିଶୁ ପ୍ରତି
ଅଲଗା ଅର୍ଥର ଭୟ, ମନରେ ସମ୍ପ୍ରତି
ଅନ୍ୟକୁ ନିଜର ଦୁଃଖ,କହିବାକୁ ଡର
ଥଟ୍ଟାରେ ଉଡେଇ ଦେବା,ଭୟ ବାରମ୍ବାର
ଗରିବର ଦୁଃଖ ପ୍ରତି,ଚିନ୍ତା ବା କାହାର !
ଗରିବରୁ ଧନୀ ହେବା,ଭୟ ହିଁ ନିଜର
ଇଜ୍ଜତ ଯିବାର ଭୟ, ଗରିବ ସ୍ଥିତିରେ
ଅହଙ୍କାରୀ ଆଖ୍ୟା ଭୟ,ଧନୀ ହେବା ପରେ
ଅନ୍ୟକୁ ସାହାଯ୍ୟ ବିନା,ଭିନ୍ନ ପରିଚୟ
କୃପଣ ଅବା ନିଷ୍ଠୁର, ଆଖ୍ୟା ପ୍ରତି ଭୟ
ଦ୍ୱିଧା ସହିତ ମନରେ,ଭୟ ବି ହୃଦରେ
ଭୟ ର ପରିଧି ମଧ୍ୟେ, ମନ ବି ଭ୍ରମରେ
ପ୍ରତି ଟି କଥା ପତ୍ନୀର, ଯଦି ହୁଏ ରକ୍ଷା
ରକ୍ତ ସମ୍ପର୍କୀୟ ମଧ୍ୟେ,ବୋଲ-କରା ଆଖ୍ୟା
ସମ୍ପର୍କରେ ତିକ୍ତ ଭାବ,ହେବାର ଭୟରେ
ଅଜଣା ଭୟ ପ୍ରାୟତଃ,ରହୁଛି ହୃଦରେ
ଦୀପ ଜଳାଇବା ବେଳେ,ପବନ ଭୟରେ
ଓହରି ଯାଏ କି କେହି, ବିଧି ପାଳନରେ !!
ସ୍ନେହ ପ୍ରେମ ସମ୍ପର୍କର,ଭାବ ପ୍ରଦାନରେ
ଲୋପ ପାଇଛି କି ତାହା,ଦୁନିଆ ଭୟରେ !!
ଘରୁ ବାହାରିଲେ ଝିଅ, ଅଜଣା ଭୟରେ
ସତର୍କ ରହିବା କଥା, କୁହା ଯାଏ ଧୀରେ
ଯେଉଁଠି ରହିଛି ଭୟ ,ଅଛି ବି ସନ୍ଦେହ
ବିଶ୍ୱାସ ର ସ୍ଥାନ ନାହିଁ, ମିଥ୍ଯା ହିଁ ଆଶ୍ରୟ
ମୁକ୍ତ ଜୀବନ ସହଜେ, ଆନନ୍ଦର ଉତ୍ସ
ଭୟ ଯଦି ଜୀବନରେ, ସବୁ କିଛି ତୁଛ
ଭୟ ହିଁ ପ୍ରତିବନ୍ଧକ ,ପ୍ରଗତି ପଥରେ
ଭୟ ମୁକ୍ତ ଜୀବନର,ଖୁସି ବି ହାତରେ
ଭୟ ଥାଇ ସୁଦ୍ଧା ପାପୀ, ପାପ କର୍ମେ ରତ
କେହି ଦେଖୁ ନାହିଁ ପାପ,ମନରେ ନିଶ୍ଚିତ
ଭଗବାନ ପ୍ରତି ଭୟ, ଜାଣେନି ତା' ପ୍ରାଣ
ଦୋଷୀ ଭାବେ ଗଣା ଯେବେ, ଡାକେ ଭଗବାନ
ଭୟ କହେ ପରୋକ୍ଷରେ,ଭୁଲି ସେ ଅତୀତ
ସାମ୍ନା ହେଉ ସବୁକିଛି, ନିର୍ଭୟ ସହିତ
ଭୟ ନିଜେ ଭୟଭୀତ,ହେଉନାହିଁ ଯେବେ
ଭୟଭୀତ ଅନୁଭବ, କିମ୍ପାଇଁ ସରବେ !!
ଜୀବନର ଏକ ଅଂଶ,ସହଜେ ସେ ଭୟ
ବୋଧହୁଏ ବିଫଳତା ,ପ୍ରତି ସେହି ଭୟ
"ଭୟ" ରହିବା ଉଚିତ,ପ୍ରତି ହୃଦୟରେ
ଅଳସୁଆ ଗୁଣ ପ୍ରାୟ, ଭୟ ଠାରୁ ଦୂରେ
ଦୁଃଖରେ ପ୍ରେରଣା ଦିଏ,ସହଜେ ସେ ଭୟ
କର୍ମ ପଥେ ନିର୍ଭୀକତା,ଭୟ ଦ୍ୱାରା ଥୟ
ସବୁଠାରୁ ବଡ଼ ସତ୍ୟ,ଜୀବନର ଭୟ
ଅଯଥା ଭୟ ସହିତ, ପ୍ରାଣ ଦୁର୍ବିସହ
