ଅନ୍ଧାରକୁ ଭଲ ପାଏ ବୋଲି ତ
ଅନ୍ଧାରକୁ ଭଲ ପାଏ ବୋଲି ତ
ଅନ୍ଧାରକୁ ଭଲ ପାଏ ବୋଲି ତ
ହଜାଇଦେଇଛି ମୁଁ ଜହ୍ନର ଠିକଣା ,
ଅନ୍ଧାରକୁ ସାମ୍ନାରେ ଦେଖେ ବୋଲି ତ
ଆଲୋକରେ ଝୁଣ୍ଟିପଡେ ବାର୍ ବାର୍
ଆଉ ଅନେକ ଥର ହୁଏ ମୁଁ ବାଟବଣା ,
ଅନ୍ଧାରର କଳା କଳା ଆସ୍ତରଣ
ମୋତେ ଢାଙ୍କିଦିଏ ବୋଲି ତ
ମୁଁ ଦେଖି ପାରେନି ଆଲୋକର ଯନ୍ତ୍ରଣା
କେତେ ଘଟଣା ପୁଣି କେତେ ଦୁର୍ଘଟଣା ,
ଆଲୋକର ଚିତ୍ରିତ ଜ୍ୟୋତିରେ
ମୁଁ ଅନ୍ଧ ହୋଇଯାଏ ବୋଲି ତ
ଖୋଜୁଥାଏ ଅହର୍ନିଶ ଅନ୍ଧାରର
ପ୍ରଲମ୍ବିତ, ପ୍ରଶ୍ରୟ ଓ ପ୍ରଲୁବ୍ଧ ଅଗଣା ।
ଖୁବ୍ ବେଶୀ ଆକର୍ଷିତ କରେ ମୋତେ
ଅନ୍ଧାରର ସିକ୍ତ କୋମଳତା ,
ଖୁବ୍ ଜୋର୍ ରେ ଜାବୁଡି ଧରେ ମୋତେ
ଅନ୍ଧାରର ସ୍ନିଗ୍ଧ ଶୀତଳତା ,
ନେସି ହୋଇଯାଏ ଅନ୍ଧାରର ଯେତେକ ପ୍ରଲେପ
ମୋ ହାତର ରିକ୍ତ ପାପୁଲିରେ,
ବଦଳିଯାଏ ଅଚାନକ ମୋ ଅଜାଣତରେ
ମୋ ବିଳପିତ ଭାଗ୍ୟରେଖାର ଅକ୍ଷ୍ୟାଂଶ ଓ ଦ୍ରାଘିମା
ଛୁଇଁ ଯାଏ ମୋତେ ମୋ ଅଲକ୍ଷ୍ୟରେ
ଅନୁରାଗର ଯେତେ ନିବିଡ ଅଶ୍ଳେଷ
ଖେଳିଯାଏ ମୋ ଚୌହଦିରେ ଚମ୍ପା ଫୁଲର ମହକ
ସର୍ବାଙ୍ଗରେ ନୀଳ ଉନ୍ମାଦନା ।
ମୁଁ ଜାଣିନି କାହିଁକି ଏତେ ମୋର ପ୍ରିୟ ଏ ଅନ୍ଧାର
କାହିଁକି ମୋର ଏତେ ଆପଣାର ଅନ୍ଧାରର ବହଳତା ?
କାହିଁକି ଅସହାୟ ଲାଗେ ଆଲୋକର ବର୍ଣ୍ଣାଢ୍ୟ ଛିଟା ?
ଚକମକ ଆଲୋକର ସଫେଦ୍ ପଣତ ତଳେ ମୁଁ ଦିଗ ହରା
ବେପରୁଆ ମନଟା ମୋର ବାଟ ଖୋଜେ
ନିର୍ବାଣର ନଭଶ୍ଚୁମ୍ବୀ ଦିଗ,
ସମାଧିସ୍ଥ ହୋଇପଡେ ମୋ ନିଃଶ୍ବାସ-ପ୍ରଶ୍ବାସ
ମୋ ଅଙ୍ଗର ପ୍ରତିଟି ତନ୍ତ୍ରୀ ,ଉଚ୍ଛ୍ବାସର ବିମୁଗ୍ଧ ଚେତନା
ଲେଖିହୋଇଯାଏ ଅନେକ ସ୍ମୃତି ଓ ବିସ୍ମୃତିର ଅସରନ୍ତି ଗାଥା
ମୋ ବିଶ୍ବାସର ସବୁଜ ଛାତିରେ ।
ମୁଁ ଖୁବ୍ ଡରେ ଆଲୋକର ବିଶ୍ବସନୀୟତାକୁ
ହାତରେ ବାନ୍ଧିରଖିପାରେନି ମୁଁ ଆଲୋକର ରଙ୍ଗ
ଥକିପଡେ ଆଲୋକର ଔଜ୍ଜ୍ବଲ୍ୟରେ
ଧରାଶାୟୀ କରେ ମୋତେ ବାରମ୍ବାର
ଆଲୋକର ମୃଦୁ କୋଳାହଳ ,
ଆଲୋକର ଆଇନାରେ ଚିହ୍ନିପାରେନି ମୋ ନିଜକୁ
ମୋ ପ୍ରତିବିମ୍ବ ଲାଗେ ନିହାତି ଧୂସର
ନିହାତି ବେରଙ୍ଗ,ଅଚିହ୍ନା ପୁଣି ଅପହଞ୍ଚ ।
ଅନ୍ଧାରର ମହାକର୍ଷଣରେ ମୋ ସକଳ ସତ୍ତା
ତନ୍ମୟ-ତଲ୍ଲୀନ-ଉଲ୍ଲସିତ-ରୋମାଞ୍ଚିତ,
କାହିଁକି ନା ଅନ୍ଧାରର ଗର୍ଭ ଗୃହରୁ ସୃଷ୍ଟି ମୋର
ସୃଷ୍ଟି ପୁଣି ଏ ସଚରାଚର ବିଶ୍ବ,
ଅନ୍ଧାରର ଅଙ୍କବଙ୍କା ଗହିରୀ ରାସ୍ତାରେ
ଝଲମଲ ଦିଶେ ମୋ ଶେଷ ଠିକଣା
ମୋହଭଙ୍ଗ ହୁଏ ସମୁଦ୍ର ଢେଉର ,କଦମ୍ବବନର,
ସ୍ପଷ୍ଟ ଅନୁଭବ କରେ ମୁଁ
ଅନ୍ଧାରରେ ଲୀନ ହେବାର ଯେତେ ଅମୃତ ଆଶ୍ବାସ,
ସେଥିପାଇଁ ତ ମୁଁ ସାଇତି ରଖେ
ଡାଏରୀର ପ୍ରତିଟି ପୃଷ୍ଠାରେ
ମୋ ହସ- କାନ୍ଦ- ଲୁହ- ଲହୁର ଅବ୍ୟକ୍ତ ପରିଭାଷା
ଅନ୍ବେଷଣରେ ପାଦ ଥାପେ ମୁଁ ନିତି
କାଳେ ମିଳିଯିବ ମୋତେ ମୋ ଶେଷ ପାଉଣା ।।