ପଚାର ପଚାର ଜହ୍ନକୁ ପଚାର
ପଚାର ପଚାର ଜହ୍ନକୁ ପଚାର


ପଚାର ପଚାର ଜହ୍ନକୁ ପଚାର
ସରଗରେ ଶୋଭା ପାଉଛି,
ଏତେ ଶୋଭା ଶିରୀ କେଉଁଠୁ ଆଣିଲା,
ରୂପ ରଙ୍ଗେ ଭରି ରହିଛି ।
ବଣ, ବିଲ, ନଈ, ପାହାଡ, ଝରଣା
ଚକମକ ସବୁ ଦିଶୁଛି,
ଧବଳ ଆଲୋକ ବାଣ୍ଟୁଛି ସରାଗେ
ସତେ କି ମୁକୁତା ଝରୁଛି ।
ଅନ୍ଧାର ହଟୁଛି ଧରଣୀ ହସୁଛି
କେତେ କୋଳାହଳ ଶୁଭୁଛି,
ପଶୁପକ୍ଷୀ ଯେତେ ଆନନ୍ଦ ମୁଖର
ଗୀତର ଗଜରା ଲମ୍ବୁଛି ।
ହିଂସା କି କପଟ ରାଗ ଅହଙ୍କାର
ସବୁଠୁ ଦୂରେଇ ରହିଛି
,
ମନ ସରାଗରେ ସେନହ ପ୍ରୀତିରେ
ସବୁରି ହୃଦୟ ଛୁଉଁଛି ।
ନୀଳ ଆକାଶରେ ତାରାଫୁଲ ମେଳେ
ଶୀତଳ ଜୋଛନା ଢାଳୁଛି,
ମାଟି ଅଗଣାରେ ସୁବାସ ଚନ୍ଦନ
ସତେ କିଏ ଲେପି ଦେଉଛି ।
କୁନି ପିଲାଙ୍କର ପୁନେଇଁ ରାତିରେ
ଖେଳର ଆସର ଜମିଛି,
କୁନି ଝିଅଟିଏ ମା' କାଖେ ରହି
ସରଗକୁ ଚାହିଁ ରହିଛି ।
ମାଆ କାନ ପାଖେ କୁନି ଝିଅ କହେ
ସବୁରି ପରାଣ ମୋହୁଛି,
ପଚାର ପଚାର ଜହ୍ନକୁ ପଚାର
ଏତେ ଗୁଣ କାହୁଁ ପାଇଛି ?