STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ଅସ୍ତସୂର୍ଯ୍ୟର ରଙ୍ଗ

ଅସ୍ତସୂର୍ଯ୍ୟର ରଙ୍ଗ

1 min
173

ନିଃଶ୍ବାସର ଦ୍ବାର ରୁଦ୍ଧ ହୋଇଯାଏ

ବିଶ୍ବାସର ଲୁଚକାଳି,

ମାନବିକତାର ବତି ଲିଭିଯାଏ

ବିବେକ ଯାଏ ତ ଜଳି


ପାଶବିକତାର ପ୍ରତିଧ୍ବନି ଶୁଭେ

ଅନ୍ଧାରର ଅର୍ଗଳିରେ,

ହିଂସା କପଟର ଲେଲିହାନ ଶିଖା

ପ୍ରଜ୍ବଳିତ ନିର୍ବିଘ୍ନରେ


ସ୍ବାର୍ଥପରତାର କଳା ବାଦଲରେ

ଚେତନାର ଜ୍ୟୋତି ହଜେ,

ହୃଦୟର ସ୍ନିଗ୍ଧ ଆବେଗ ସ୍ପନ୍ଦନ 

ରକ୍ତ ଓ ସ୍ବେଦରେ ଭିଜେ


ସପ୍ତରଥୀଙ୍କର କୁମନ୍ତ୍ରଣା ବଳେ

ଚକ୍ରବ୍ୟୁହ ହୁଏ ସୃଷ୍ଟି, 

ଅଭିମନ୍ୟୁଙ୍କର ଆର୍ତ୍ତ ଚିତ୍କାରରେ

ବସୁନ୍ଧରା ଯାଏ ଫାଟି


ବାରହାତ ଖଡ୍ଗ ଝୁଲୁଥାଏ ଉର୍ଦ୍ଧ୍ବେ

କଳାଛାଇ ମାଡି ଆସେ,

ପୌରୁଷତ୍ବର ଯେତେ ପୂର୍ଣ୍ଣ ଆଭାସ

ଅସ୍ପଷ୍ଟ ଅଦୃଶ୍ୟ ଦିଶେ


ଦିବ୍ୟ ଚିନ୍ତନର ଅନୁପମ ଭାବ

ରଙ୍ଗହୀନ ଲାଗେ ଭବେ,

ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ ଓ ନକ୍ଷତ୍ର 

ନୀରବେ ଦେଖନ୍ତି ନଭେ


ଜହ୍ନ ହଜିଯାଏ ଅମାବାସ୍ୟା କୋଳେ

ଅନ୍ଧକାର ଢାଙ୍କିଦିଏ,

ସାତରଙ୍ଗେ ଶୋଭା ସ୍ବପ୍ନ ଅଭିସାର 

ଧୂସରିତ ହୋଇଯାଏ


ଜୀବନର ପାତ୍ର ଅପୂର୍ଣ୍ଣ ଲାଗଇ

ଭରେ ଯାହା ଯନ୍ତ୍ରଣାରେ,

ପାପୁଲିର ରେଖା ନୀରବେ ହସଇ

ସୂର୍ଯ୍ୟ ଅସ୍ତ ଯିବା ପରେ


ସୁପ୍ତ ଚେତନାର ଅନ୍ରରାଳେ ଶୁଭେ

ସୈତାନର ଅଟ୍ଟହାସ୍ୟ,

ତ୍ୟାଗ ବଦଳରେ ଭୋଗର ସାମ୍ରାଜ୍ୟ 

ଢାଳିଦିଏ ଯେତେ ବିଷ


ନୀଡ ଭାଙ୍ଗିଯାଏ ପକ୍ଷୀ ଉଡିଯାଏ

ଶେଷହୀନ ଶୂନ୍ୟପଥେ,

ସାତସୁରେ ବନ୍ଧା ଜୀବନ ସଂଗୀତ 

ବେସୁରା ଶୁଭେ ନୈପଥ୍ୟେ


ଝରିପଡେ କେତେ ପେନ୍ଥା ପେନ୍ଥା ଫୁଲ

ରିକ୍ତ ଲାଗେ ସିକ୍ତ ଅଙ୍ଗ,

ବିବର୍ଣ୍ଣ ଲାଗଇ ପ୍ରୀତିର ବର୍ଣ୍ଣାଳୀ 

ଅସ୍ତସୂର୍ଯ୍ୟଙ୍କର ରଙ୍ଗ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract