ମନେ ରହିବେ କଲାମ
ମନେ ରହିବେ କଲାମ


ପ୍ରଥମେ ତୁମକୁ କରେ ପ୍ରଣିପାତ
ଶ୍ରେଷ୍ଠ ବୈଜ୍ଞାନିକ ତୁମେ
ମିଶାଇଲ୍ ମ୍ୟାନ ନାମେ ଖ୍ୟାତ ହେଲ
ଓଜସ୍ଵୀ ଇଚ୍ଛାର ବଳେ ।
ଗାଁ ପୁଷ୍କରିଣୀ ଉପରେ ଆକାଶ
ଆଦ୍ୟ ଭାବନାର ପୀଠ
ଆକାଶକୁ ଚାହିଁ ସପନ ଜାଗିଲା
ହେଲ ଅନ୍ତରୀକ୍ଷ ଶ୍ରେଷ୍ଠ ।
ଶ୍ରେଷ୍ଠ ବୈଜ୍ଞାନିକ ଶ୍ରେଷ୍ଠ ରାଷ୍ଟ୍ର ଭକ୍ତ
ହୋଇ ଗଲ ମହନୀୟ
ଏ ଶ୍ରେଷ୍ଠତା ପଛେ କେତେ ଯେ କାହାଣୀ
ତୁମ ଧୈର୍ଯ୍ୟ ମହନୀୟ ।
ଜୀବନ ଆରମ୍ଭେ ସମସ୍ୟାର ଜାଲ
ତୁମ ପଦ ପ୍ରାନ୍ତେ ଥିଲା
ହେଲେ ଲକ୍ଷ୍ୟ ତୁମ ଦୃଢ ଥିଲା ବୋଲି
ତୁମକୁ ଅମର କଲା ।
ହିନ୍ଦୁସ୍ତାନୀ ବୋଲି ମନ ପୁଲକିତ
ଧର୍ମୀୟ ଭାବନା ଶୂନ୍ୟ
ସ୍ତୋତ୍ର ମନ୍ତ୍ରେ ତୁମେ ବିଭୋର ଥିଲ ହେ
ନଥିଲା ମନରେ ଖେଦ ।
ଅନ୍ତରୀକ୍ଷ ଜ୍ଞାନେ ତୁମେ ହେ ପ୍ରବୀଣ
ଅସଫଳତାରେ ହାରିନ
କାରଣ ଖୋଜିଛ ଏକାଗ୍ର ଚିତ୍ତରେ
ସଫଳତା ଯେ ପାଇଛ ।
ଜୀବନରେ ଝଡ ଅନେକ ଆସିଛି
ସବୁ ସାମ୍ନା କରିଅଛ
ତୁମ ଜୀବନର ପ୍ରତ୍ୟେକଟି ଫର୍ଦ୍ଦ
ଦେଶକୁ ସମର୍ପି ଅଛ ।
ତୁମ ଅନୁଭୂତି ଅନୁଭବ ନେଇ
ସଫଳ ସୂତ୍ର ଗୁନ୍ଥିଲ
ସେ ସୂତ୍ରକୁ ତୁମେ ମଣିଷ ସମାଜେ
ବିତରଣ କରି ଗଲ ।
ଯେଉଁ ପଦେ ଗଲ ସେଇ କ୍ଷେତ୍ରେ ତୁମେ
ସର୍ବ ଶ୍ରେଷ୍ଠ ବନିଗଲ
ସବୁ ଶ୍ରେଷ୍ଠତା କୁ ପୁଞ୍ଜି କରି ପୁଣି
ଭାରତ ରତ୍ନ ହୋଇଲ ।
ରାଷ୍ଟ୍ରପତି ଭାବେ ଶ୍ରେଷ୍ଠ ନାଗରିକ
ହୋଇ ତୁମେ ଦେଖାଇଲ
ଦେଶ କଥା ଭାବୁ ଭାବୁ ହେ କାଲାମ
ନିଜ କଥା ଭୁଲି ଗଲ ।
ଅସଫଳତା ରେ ହାରି ଯେ ଯାଇନ
ଶିଖିଛ ଜୀବନ ପାଇଁ
ତୁମ ସଂକଳ୍ପ ରେ ଥିଲ ତୁମେ ଦୃଢ
ଲକ୍ଷ୍ୟ ଥିଲା କାଳଜୟୀ ।
କଷଣ ତୁମକୁ ଶୋଷଣ କରିନି
ଘସି ମାଜି ଝଲସିଛ
ସଂଘର୍ଷ ଭରା ଯେ ତୁମରି ଜୀବନ
(ହେଲେ) ଆଲୋକ ବରଷୁ ଅଛ ।
ସର୍ବୋଚ୍ଚ ସ୍ଥାନକୁ ଅଳଙ୍କୃତ କରି
ହୋଇଛ ତୁମେ ମହାନ
ହେଲେ ତୁମ ପରେ ଗର୍ବ କରିବାକୁ
ଆତ୍ମୀୟ ସ୍ଵଜନ ହୀନ ।
ଅନ୍ତରୀକ୍ଷ ଜ୍ଞାନେ ଭାରତେ ତୁମେ ହେ
ଭଗୀରଥ ହୋଇଗଲ
ଦେଶ ମାତୃକାର ସେବା ପାଇଁ ତୁମେ
ଜୀବନ ଉତ୍ସର୍ଗ କଲ ।
ଏ ଦେଶର ଶିଶୁ ତୁମ ପ୍ରିୟ ଥିଲେ
ପ୍ରେରଣା କେତେ ଦେଇଛ
ଏ ଦେଶ ପାଇଁ ଯେ ସ୍ଵପ୍ନ ଦେଖି ଦେଖି
ନିଜକୁ ଭୁଲି ଯାଇଛ ।
ମନେ ରହିବ ଯେ କଲାମ ହେ ତୁମେ
ଏ ଦେଶ କି ଭୁଲି ପାରେ
ତୁମେ ଏ ଜାତିର ପ୍ରେରଣାର ଉତ୍ସ
ତୁମକୁ ନମନ କରେ ।।