ନନା(ବାପା), ତଥାପି ତୁମେ ବଂଚିଛ
ନନା(ବାପା), ତଥାପି ତୁମେ ବଂଚିଛ
ନନା, ତଥାପି ତୁମେ ବଂଚିଛ
😭😭😭😭😭😭😭😭😭😭
କାହିଁ କେତେ କାଳରୁ ତୁମର ଶରୀର ଟା
ପଞ୍ଚଭୂତରେ ମିଶି ଗଲେଣି
ହେଲେ !!
ହେଲେ ତୁମ ହାତର ସ୍ପର୍ଶ
ଏବେ ବି ଅନୁଭବରେ
ଜୀଇଁ ଅଛି
ମୋ ଅନୁଭବର ମହାର୍ଘ କୋଠରୀକୁ
ଏବେ ବି ତୁମେ ଆଲୋକିତ କରି ।
ଶରୀରର ମୋହରୁ ଉର୍ଦ୍ଧ୍ୱକୁ ଯାଇ
ତଥାପି ତୁମେ ବଂଚିଛ ।
ଦେହ ଦାହ ହୋଇ ଯାଇଛି
ପାଉଁଶ ବି କେବେ ଠୁ ମାଟିରେ ମିଶି
ରତ୍ନଚୀରା ନଈରେ
ଭାସି ଗଲେଣି
ତଥାପି ତୁମେ ବଂଚିଛ
ମୋ ମାଟି ଘଟର
ହୃଦୟ ବୋଲାଉଥିବା
ସିଂହାସନ ଟି ଭିତରେ
ତଥାପି ତୁମେ ବଂଚିଛ
ମୋ ଜୀବନ ରାସ୍ତାର
ପ୍ରତିଟି ଛକରେ
ମୋ ସୁଖ ଦୁଃଖ ଇଶାଣର
ଦୀପଶିଖା ହୋଇ ।
ଦାଣ୍ଡ ଦୁଆରେ ଖବର କାଗଜ ମାନେ
ତୁମକୁ ଖୋଜୁଛନ୍ତି କି ନାହିଁ ଜାଣିନି
ନଡ଼ିଆ ଗଛର ହିସାବ ଖାତାଟା
କେବେ ଠୁ ଆତ୍ମବିସର୍ଜନ କଲେଣି
ବାଡିର ଶାଗ ପଟାଳି
ଆମ୍ବ ଗଛ, ପଣସ ଗଛ
ମାଛ ପୋଖରୀ
ସମସ୍ତେ ବୋଧେ
ବନ୍ଧ୍ୟା ହୋଇ ଗଲେଣି
ହେଲେ,
ତଥାପି ତୁମେ ବଂଚିଛ
ମୋ ଯନ୍ତ୍ରଣାର ଜଉ ଘରେ
ସାନ୍ତ୍ଵନାର ସ୍ପର୍ଶ ଟିଏ ହୋଇ
ତୁମେ ବଂଚିଛ
ମୋ ନୀରବତା ଅଳିନ୍ଦରେ
ସଂସ୍କାରର ଶିଳାଲିପି ହୋଇ ।
ନନା, ଅନେକ ଦିନୁ ତୁମେ ଚାଲିଗଲଣି
ଗଦା ଗଦା ଅବଶୋଷ ମାନଙ୍କୁ
ପିଠିରେ ବୋହି
ଅକୁହା କଥାର ଚରମ ବ୍ୟଥାରେ
ତୁମେ କେବେ ଠୁ
ମାଟିରେ ମିଶିଗଲଣି
ହେଲେ,
ତଥାପି ତୁମେ ବଂଚିଛ
ମୋ ଦୁଃଖର ପାହାଡ଼ ଦେହେ
ଶୀତଳ ଝରଣା ଟେ ହୋଇ
ହଁ,
ତଥାପି ତୁମେ ବଂଚିଛ
ଭଙ୍ଗାରୁଜା ମନକୁ ଯୋଡି ଦେବାର
କୁହୁକ ପେଡିଟି ଧରି
ତଥାପି ତୁମେ ବଂଚିଛ
ମୋ ଅସ୍ତବ୍ୟସ୍ତ ମୁହୂର୍ତ୍ତରେ
ଧୈର୍ଯ୍ୟର ଶିଳାଟେ ହୋଇ
ହଁ,
ତଥାପି ତୁମେ ବଂଚିଛ
ମୋ ଏକଲା ପଣିଆର
ଚୌହଦୀରେ
ପ୍ରେରଣାର ଧାରା ଟିଏ ହୋଇ ।
ନନା, ଅନେକ ଦିନୁ ତୁମେ ଚାଲିଗଲଣି
ହେଲେ,
ତଥାପି ତୁମେ ବଂଚିଛ
ବୋଉର ବିସ୍ମୃତ ମାନସରେ
ସୁନ୍ଦର ବିଶ୍ୱାସଟେ ହୋଇ
ସ୍ମୃତି ବିଭ୍ରମତାରେ
ଅପାଶୋରା ଅନୁଭବ ଟେ ହୋଇ ।
ନନା, ତୁମେ କାହିଁ କେତେ ଦିନୁ
ସଂସାର ତ୍ୟାଗ କଲଣି
ନା ଘର କାନ୍ଥରେ
ତୁମର ଛଦିନିଏ ଅଛି
ନା ଆଲ୍ ବମ୍ ରେ
ହେଲେ,
ତଥାପି ତୁମେ ବଂଚିଛ
ହୃଦୟ ର ପ୍ରତି ଅଳନ୍ଦରେ
ଅଭୁଲା ଅନୁଭବ ସିକ୍ତ
ସ୍ମୃତିଟେ ହୋଇ
ଦୃଶ୍ୟାନ୍ତରେ ପ୍ରେରଣାର
ମଶାଲଟେ ଜାଳି ।
ସରୋଜିନୀ ମିଶ୍ର
ସତ୍ୟବନ୍ଦୀ, ପୁରୀ
