STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ଅବଶୋଷ

ଅବଶୋଷ

2 mins
0


ମଉଳା ମୋହର କ୍ଳାନ୍ତ ଅଭିଲିପି
ଅବଶୋଷ କାନ୍ଥେ ଝଟକୁ ଥାଏ
ସଂପର୍କ ଗାତ୍ରରେ ପୂତିମୟ ଗନ୍ଧ
ମନ ଗହନକୁ ତିକ୍ତତା ଦିଏ ।୧

ବୟସ ଆୟୂଷ ବାହୁନି କାନ୍ଦୁଛି
ଅବଶୋଷ ଘନ ଅନ୍ଧାର ଘେରା
ପାରିଲା ପଣିଆ ବାହୁଡି ଯାଇଛି
ବିଶ୍ୱାସ କାନ୍ଦଣା ଦୁଃଖ ଅସରା ।୨

କ୍ଲାନ୍ତ ଅପରାହ୍ନ ବିଶ୍ୱାସ ମାଗଇ
ଛିଣ୍ଡି ତ ଯାଇଛି ସ୍ନେହର ଡୋରୀ
ଅବସନ୍ନ ମନ ପଥପ୍ରାନ୍ତ ଶୂନ୍ୟ
ବୃଦ୍ଧାଶ୍ରମ ମଧ୍ୟେ କରୁଛି ରଡ଼ି ।୩

ପ୍ରେମ, ପ୍ରୀତି ଗଙ୍ଗା ଶୁଖି ତ ଯାଇଛି
ପ୍ରତାରଣା ଧୂଆଁ ମନ ଘେରୁଛି
ଅବଶୋଷ ପିଣ୍ଡା ପ୍ରଶ୍ନ ଯେ ଅଛିଣ୍ଡା
ତିକ୍ତତା ବିଦଗ୍ଧ କରି ଦେଉଛି | ୪

ପିତୃତ୍ବ ଦଗ୍ଧିତ ଆଶା ତିରୋହିତ
ଅବଶୋଷ ହାଇ ମାରି କହୁଛି
ସଂସ୍କାର ବିକାର ପାଲଟି ଯାଉଛି
ପଣତକାନି ଟା ଲୁହେ ଭିଜୁଛି ।୫

ସଞ୍ଚିତ ଅର୍ଥର ବ୍ୟର୍ଥ ଇସ୍ତାହାର
ଅନୁରକ୍ତି ଶୂନ୍ୟ ମନ ଅଗଣା
ସମ୍ଭାବନା ସ୍ରୋତ ଥମି ଯାଇଅଛି
ନିଷ୍ଠୁର ପଣର ତିକ୍ତ ବେଦନା ।୬

ପ୍ରୀତିପଦ୍ମା ପରା ରୁଷି ଯାଇଅଛି
ସମ୍ମାନ ସ୍ରୋତରେ ପଡ଼ିଛି ଭଟ୍ଟା
ପରିବାର କ୍ଷେତ୍ର ଦିଗବାରିଣୀ ଟା
ନିରୁତା ହୃଦୟ କପାଳ ଫଟା I୭

ବୟସ ଆୟୂଷ ହାରିଛି ମହକ
ଦାରୁଣ ଦୁର୍ଦ୍ଦଶା କୁହୁଡି ଘେରା
ବୟସର ଛନ୍ଦ ନୂଆ ନୀଡ଼ ରଚେ
ସ୍ଵାର୍ଥର ପ୍ରହରୀ ଦିଏ ପହରା ।୮

ଅବୁଝା ପଣିଆ ଅସୂୟା ତୁଳନା
ମନ ମାନସରେ ପ୍ରବଳ ଝଡ଼
ଆତ୍ମୀୟତା ଶୂନ୍ୟ ଭଙ୍ଗା ପାଚ଼ିରୀଟା
ପାଚେରୀ ପାଖରେ ଲୁହର ଭିଡ଼ ।୯

ଜୀବନର ଲକ୍ଷ୍ୟ ବିପଥ ଗାମିନୀ
ମାନବତା ଶୂନ୍ୟ ସମାଜ କାନ୍ଦେ
ଜୀବନ ଦଉଡ଼େ ଆକର୍ଷଣ ମୋହେ
ପ୍ରେମ ଘରକୋଣେ ଭାଗ୍ୟକୁ ନିନ୍ଦେ ।୧୦
ମାତୃତ୍ୱ ହଜାଏ ପବିତ୍ର ମହକ
ପିତୃତ୍ଵ ଯେ କାରାଗାରରେ ବନ୍ଦୀ
ସଂପର୍କ ତ ଏଠି ପଶାପାଲି ଖେଳ
ସ୍ଵାର୍ଥ ଦଉଡିରେ ହୁଅଇ ଛନ୍ଦି । ୧୧

ଆସ୍ଥା ବିଶ୍ୱାସର ପ୍ରୀତି ମନ୍ଦିରରେ
ଅବଶୋଷ ଧୂଆଁ ଘେରି ଯାଇଛି
ଅନୁକମ୍ପା ଶୂନ୍ୟ ଜୀବନ ଚାଳିଶା
ବେଦନା ବୋଧର ମନ୍ତ୍ର ପଢୁଛି । ୧୨

ବ୍ୟକ୍ତିତ୍ଵ ହଜୁଛି ନିରୋଳା ଆବେଗେ
ଚେତନା ରେ ବିଷ ଚରି ଯାଉଛି
ଅବଶୋଷ ବସି ସ୍ମୃତି ଦରାଣ୍ଡୁଛି
ନିର୍ଲିପ୍ତ ନୟନେ ଚାହିଁ ବସିଛି । ୧୩
 


Rate this content
Log in

Similar oriya poem from Tragedy