STORYMIRROR

Sarojini Mishra

Abstract

4  

Sarojini Mishra

Abstract

ମୋ ଗାଁ

ମୋ ଗାଁ

2 mins
0

 ଷୋଳ ଶାସନରେ ଆଦ୍ୟ ଶାସନ ଯେ
ମୋ ଗାଆଁ ଚିର ସୁନ୍ଦର
ନାରିକେଳ ବୃକ୍ଷ ଶୋଭାରେ ମଣ୍ଡିତ
ବୀରରାମଚନ୍ଦ୍ର ପୁର । ୧

 ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ
ମୋ ଗାଁ ପାଖରେ ଉଭା
ମାଦଳା ପାଞ୍ଜିରେ ମୋ ଗାଁ ର ନାଁ
ପୁରାତନତାର ବିଭା ।୨

 ଗାଁ ପ୍ରାରମ୍ଭ ରେ ଉଭା ବଜରଙ୍ଗୀ
ସଙ୍କଟ ତାରିଣୀ ମାଆ
ଅନ୍ତଃସ୍ଥଳେ ଉଭା ନୀଳକଣ୍ଠ ପୁଣି
ମଣିନାଗ ଦୁର୍ଗା ସାହା ।୩

 ସଂସ୍କୃତିର ପୀଠ ପରଂପରା ଯୁକ୍ତ
ବାରମାସେ ତେର ପର୍ବ
ପ୍ରକୃତି ରାଣୀର ଅପୂର୍ବ ସୌନ୍ଦର୍ଯ୍ୟ
ମୋ ପାଇଁ ମୋ ଗାଁ ସ୍ୱର୍ଗ ।୪

 ନାରିକେଳ ଗଛ ଆକାଶକୁ ଛୁଇଁ
ଜହ୍ନ ସାଙ୍ଗେ ହୁଏ କଥା
ଗାଁ ପୋଖରୀ ତୁଠ ଦେବାଳୟ ପୀଠ
ଲିଭାଇ ଥାଏ ଯେ ବ୍ୟଥା ।୫

 ଚମ୍ପକ ଦ୍ଵାଦଶୀ,ଫଗୁ ଦୋଳ ପର୍ବ
ଗାଁ ଦାଣ୍ଡରେ ଯେ ଭିଡ
ବଡଓଷା ଦିନ ମୋ ଗାଁ ମନ୍ଦିରେ
ଭକ୍ତଙ୍କ ଆନନ୍ଦ ବଡ଼ ।୬

 ଦଶହରା ପୂଜା ପାର୍ବଣ ରେ ଭିଜା
ମୋ ଗାଆଁ ଚିର ସୁନ୍ଦର
ସେ ମାଟି ଚନ୍ଦନ ଜୀବନ ଆନନ୍ଦ
ତା କୋଳେ ମୋ ଛୋଟ ଘର ।୭

 ଜୀବନ ଜାତକେ ମୋ ଗାଁ ସ୍ଵାକ୍ଷର
ସୁନ୍ଦର ସ୍ମୃତିଙ୍କ ମେଳ
ଗାଁ ଆମ୍ବ ତୋଟା ହଜିଅଛି ସିନା
ସ୍ମୃତି ପରଦାରେ ଠୁଳ ।୮

 ଦାଣ୍ଡ ନିରିମଳ ପ୍ରକୃତି ଗହଳ
ସବୁଜ ମେଖଳା ବନ୍ଧା
ଅଧ୍ୟାତ୍ମବାଦର ପୁଣ୍ୟ ପରଶରେ
ଗାଁ ମୋର ପରା ଛନ୍ଦା ।୯

 ମୋ ଗାଁ ପବନ ଅତି ନିରିମଳ
ଉଚ୍ଛ୍ଵାସେ ବିଶ୍ୱାସ ରେଖା
ଜୀବନ ରାସ୍ତାରେ ଏଇ ଗାଁ ବୁକେ
କେତେ ଇତିହାସ ଲେଖା । ୧୦

 ମୋ ଷଠୀଘରର ଆନନ୍ଦର ଧାରା
ଶିକ୍ଷାୟତନର ଦିକ୍ଷା
ମୋ ଗାଁ ମୋ ପାଇଁ ଅମୂଲ୍ୟ ସେତୁଟେ
ଅଦେଖା ଅତୁଟ ରେଖା ।୧୧

ନାରିକେଳ ବୃକ୍ଷ ପତର ଫାଙ୍କରେ
ଉଦିତ ସୂର୍ଯ୍ୟଙ୍କ ଆଭା
ଅସ୍ତାଚଳେ ସୂର୍ଯ୍ୟ ଡୁବି ଯିବା ଦୃଶ୍ୟ
ଲୋହିତ ଛବିର ଶୋଭା । ୧୨

ଜୀବନ ଧାରଣ ମାନ ବଦଳିଛି
ଚେତନା ପରିବର୍ତ୍ତିତ
ତଥାପି ମୋ ଗାଁ ଏବେ ବି ସୁନ୍ଦର
ସୁନ୍ଦର ତା ଅନ୍ତଃସ୍ରୋତ ।୧୩

ମୋ ଜୀବନ ଗାଥା ଚେତନ ସଂହିତା
ସବୁଠି ତା ହସ୍ତାକ୍ଷର
ଚିର ଋଣୀ ମୁହିଁ ତା ପାଖେ ସର୍ବଦା
ମୋ ହୃଦେ ପ୍ରୀତି ସ୍ଵାକ୍ଷର ।୧୪

ତା ବୁକେ ହଜିଲା ସ୍ମୃତିର ଆଳ୍ପନା
ସ୍ନେହ ଶରଧାରେ ମଖା
କର୍ତ୍ତବ୍ୟର ଗୀତା କରମ ସଂହିତା
ଦେଖାଏ ସଳିତା ଶିଖା । ୧୫

ପ୍ରଭୁ ଜଗନ୍ନାଥ କରୁଛି ଦୟିନୀ
ଗାଁ ଗୌରବ ନ ହଜୁ
ଏକତା ସ୍ରୋତରେ ପ୍ରୀତି ପରଶରେ
ମୋ ଗାଆଁଟି ସଦା ସାଜୁ ।୧୬


Rate this content
Log in

Similar oriya poem from Abstract