ଗୋବର୍ଦ୍ଧନ ଗିରିଧାରୀ
ଗୋବର୍ଦ୍ଧନ ଗିରିଧାରୀ
ଗୋବର୍ଦ୍ଧନ ଗିରି ଧାରୀ ମୁନିଜନ ମନୋହାରୀ
ଚେତନା ଅର୍କ ସଂଚାରୀ କୃଷ୍ଣ ମୁରାରୀ
ଗର୍ବ ଗଞ୍ଜନ ଶ୍ରୀହରି ଏ ମର୍ତ୍ତ୍ୟରେ ଦେହ ଧରି
ଦର୍ପ ଦଳନ ମୋହନ ପ୍ରେମ ସଂଚାରୀ । ୧
ଜୀବନ ଜିଜ୍ଞାସା କାରୀ ଦେବକୀ ଗର୍ଭେ ସଂଚରୀ
ଯଶୋଦା ବାତ୍ସଲ୍ୟ ପ୍ରେମେ ହେଲେ ଉଧାରି
ପୃଥିବୀ ବେଦନା ହାରୀ ଗର୍ବ ଗଞ୍ଜନ ଶ୍ରୀହରି
ଦ୍ୱାପରର ଅବତାରୀ କର୍ମଫଳ ଦାତା ମୁରାରୀ ।
୨ ।
ଲୀଳାଖେଳାକୁ ସଂଚାରୀ ନାମ ଶିଳାଲେଖ ଧରି
ଧର୍ମ ସଂସ୍ଥାପନା କାରୀ ସେ ଗିରିଧାରୀ
ଇନ୍ଦ୍ରଦେବଙ୍କର ପୂଜା ଗୋପପୁର ସାଜସଜ୍ଜା
ବର୍ଷା ଆବାହନୀ ଚର୍ଚ୍ଚା ବ୍ରଜ ରେ ହୁରି । ୩ ।
ଆୟୋଜନ ପ୍ରଶ୍ନ ନେଇ ଚଳିଗଲେ ଦୁଇଭାଇ
ନନ୍ଦ ରାଜା ଜିଜ୍ଞାସାକୁ କଲେ ମୋଚ଼ନ
ସର୍ବ ମନନ ସଂଚାରୀ ଇନ୍ଦ୍ର ଗର୍ବ ପଢ଼ି କରି
ଇନ୍ଦ୍ର ପୂଜା ଆୟୋଜନ ନଲେ ବାରଣ । ୪ ।
ବର୍ଷା କେତେ ଗୁଣକାରୀ ସୃଷ୍ଟିତତ୍ତ୍ଵର ସଂଚ଼ାରୀ
ପରମ୍ପରା ସୂତ୍ର ବାନ୍ଧି କହିଲେ ନନ୍ଦ
କୃଷ୍ଣ ସେ କମଳା କାନ୍ତ ଦିଅନ୍ତି ପ୍ରୀତି ସନନ୍ଦ
କର୍ମଫଳ ଦାତା ସେହି ପରମାନନ୍ଦ । ୫
କର୍ମ ଇଷ୍ଟ କର୍ମ ଗୁରୁ କର୍ମଟି ଜୀବନ ତରୁ
ଇନ୍ଦ୍ର ପୂଜା ନୁହେଁ କହି ଦେଲେ ମାଧବ
ଉଦ୍ଦେଶ୍ୟ ଗର୍ବ ଗଞ୍ଜନ କଲେ ପୂଜା ଗୋବର୍ଦ୍ଧନ
ବ୍ରଜ ଶିରୀ ଗୋବର୍ଦ୍ଧନ ଅପୂର୍ବ ଭାବ। ୬ ।
ଭାସିଲେ ମୃଦୁ ବଚ଼ନ ଗିରିଧାରୀ ଜନାର୍ଦ୍ଦନ
ମୋହିତ ବ୍ରଜ ଜନତା ଇନ୍ଦ୍ର ପ୍ରକୋପ
ମୂଷଳ ଧାରା ବର୍ଷଣ ବଜ୍ରପାତ ନିକ୍ଷେପଣ
ପୂଜା ଇତି କରିବାକୁ କୁ- ପଦକ୍ଷେପ । ୭ ।
ଅସ୍ତବ୍ୟସ୍ତ ବ୍ରଜବାସୀ ଗୋପାଳ ଗୋଧନ ନାଶି
ସତେ ଅବା ପ୍ରୀତ ହେବେ ରାଜା ବାସବ
ସାତବରଷର କୃଷ୍ଣ ଯୋଗମାୟା ରେ ନିବିଷ୍ଟ
ବାମ ହସ୍ତ କନିଷ୍ଠା ଅଙ୍ଗୁଳି ପ୍ରଭାବ । ୮ ।
ଗିରି ଗୋବର୍ଦ୍ଧନ ଧରି ଉଦ୍ଧାର କଲେ ମୁରାରୀ
ବ୍ରଜ ବାସୀ ମୋହିତ ଯେ ସବୁ ଭୁଲିଲେ
ଗୋବର୍ଦ୍ଧନ କୋଳେ ସର୍ବେ ଆଶ୍ରୟ ନେଲେ ନିର୍ଭୟେ
ସାତ ଦିନ ଇନ୍ଦ୍ର କୋପ ସର୍ବେ ସହିଲେ । ୯
ଇନ୍ଦ୍ର କୋପ ହେଲା ଅନ୍ତ ବ୍ରଜବାସୀ ଆସ୍ୱସ୍ଥ
ଅବୁଝା ରହିଲା ତାଙ୍କ ମନ ଜିଜ୍ଞାସା
ଇନ୍ଦ୍ର କ୍ଷମା ପ୍ରାର୍ଥୀ ହୋଇ ସ୍ତୁତି କରନ୍ତି ସୁମରି
ତୋଷିବାକୁ ଗିରିଧାରୀ ମନ ମନସା । ୧୦ ।
ଇନ୍ଦ୍ର ସ୍ତୁତି ହେଲା ହେଲା ପୂର୍ଣ୍ଣ କ୍ଷମା କଲେ ଯେ ମୋହନ
ଇନ୍ଦ୍ର ନାମ ଦେଇ ଗଲେ ପୁଣି ଗୋବିନ୍ଦ
ଗିରି ଗୋବର୍ଦ୍ଧନ ଧରି ନାମ ହେଲା ଗିରିଧାରୀ
ଗୋବର୍ଦ୍ଧନ ଲୀଳା ଭରେ ମନେ ଆନନ୍ଦ । ୧୧ ।
ଗିରି ଗୋବର୍ଦ୍ଧନ ଲୀଳା ଜୀବ ଜଗତ ମେଖଳା
ଗରବ ଗଞ୍ଜନ ବାନା ହେଲା ପ୍ରଖ୍ୟାତ
ଲୀଳା ମାଧୁରୀ ଶ୍ରବଣ ମନ ହୁଅଇ ପ୍ରସନ୍ନ
ଗରବ ମିଟଇ ମନୁ ଭକତି ଜାତ । ୧୨ ।
