STORYMIRROR

Prasanna Kumar Madala

Classics

5  

Prasanna Kumar Madala

Classics

ମାଆ

ମାଆ

1 min
456


ସ୍ବାଗତ କରୁଛୁ  ଆସ ଏବେ ମାଆ

କେଶରୀ ପୃଷ୍ଠରେ ବସି

ଫୁଲ ପାଖୁଡ଼ାର   ରଙ୍ଗ ପସରାରୁ

ମକରନ୍ଦ ରୂପେ ଖସି

ସୀମନ୍ତିନୀ ନାରୀ ଭ୍ରୂଲତା ମଧ୍ୟରେ

ସିନ୍ଦୂର ଆଶିଷ ବର୍ଷି

ପ୍ରେମ ସମ୍ବନ୍ଧରେ ମମତା ଡୋରିର

ଅପୂର୍ବ ବନ୍ଧନେ ପଶି

ସମାଜ ସଂସ୍କାର ଅସି

କଟିବନ୍ଧେ ବାନ୍ଧି   ଶାସ୍ତିର ତ୍ରିଶୂଳ

ତୋଳିନେଇ ଆସ ହସି ।


ସ୍ବାଗତ କରୁଛୁ  ଆସ ଏବେ ମାଆ

ଅନ୍ନପୂର୍ଣ୍ଣା ରୂପ ଧରି

ରନ୍ଧନ ଶାଳରେ  ଜନନୀ ହାତରେ

ଆହର ବ୍ୟବସ୍ଥା କରି

ମାନ୍ଦା ଅବସ୍ଥାରେ  ଛୋଟ ବଣିକର

କ୍ଷତି ଦିଅ ମାଆ ଭରି

ନବନିଧି ସାଥେ   ବିଦ୍ୟାବୁଦ୍ଧି ଦିଅ

ଅଜ୍ଞାନତା ଯାଉ ସରି

ଆତଙ୍କମର୍ଦ୍ଦିନୀ ପରି

ଉଗ୍ରଚଣ୍ଡୀ ରୂପେ    ଭାରତବର୍ଷରୁ

ଅତ୍ୟାଚାର ନିଅ ହରି ।


ସ୍ବାଗତ କରୁଛୁ  ଆସ ଏବେ ମାଆ

ଧରାକୁ ବଢାଇ ପାଦ

ଦେଶବିଦେଶରେ  ପ୍ରକମ୍ପିତ ହେଉ

ମାଦଳ ମହୁରୀ ନାଦ

ପଡୋଶୀ ଦେଶର ମଥାରେ ପଶିଛି

ଜଘନ୍ୟ ବିସ୍ତାରବାଦ

ଯୁଦ୍ଧ ବିଭୀଷିକା    ବିଶ୍ବଶାନ୍ତି ପ୍ରତି

ବଢାଇଛି ପରମାଦ

ଢାଳିଦିଅ ଆଶୀର୍ବାଦ

ପ୍ରଳୟ ସଂଶୟେ   ଅତିଷ୍ଠ ଜନଙ୍କ

ଫେଡିନିଅ ଅବସାଦ ।


ସ୍ବାଗତ କରୁଛୁ  ଆସ ଏବେ ମାଆ

ପ୍ରତୀକ୍ଷାର ହେଉ ଇତି

ଅମୃତର ରସ    ସିଞ୍ଚି ଦେଇଯାଅ

ପଲ୍ଲବିତ ହେଉ କ୍ଷିତି 

ଛଳ କପଟର    ଆସୁରିକ ଗୁଣେ

ବିଷମୟ ପରିସ୍ଥିତି

ଘୃଣା ହିଂସା ଦ୍ବେଷ  ଦୂର କରିଦିଅ

ହୃଦୟେ ସଞ୍ଚାରି ପ୍ରୀତି

ଦୁଃଖକଷ୍ଟ ଯାଉ ବିତି

ସ୍ବର୍ଗ ପାରିଜାତ   ସୁଗନ୍ଧରେ ଧରା

ଉଚ୍ଛ୍ବସିତ ହେଉ ନିତି ।


ସ୍ବାଗତ କରୁଛୁ  ଆସ ଏବେ ମାଆ

ମାନ କର ପରିହାର

ମନର ବେଦନା  ପ୍ରକାଶିବା ପାଇଁ

ଉତ୍ସୁକ ତୋ ପରିବାର 

ସ୍ବୀକାର କର ମା'   ଅର୍ପଣ କରୁଛୁ

ଶାରଦୀୟ ପୁଷ୍ପହାର

ଦର୍ଶନ ନିମନ୍ତେ  ପୋଛିଦିଅ ନେତ୍ରୁ

ସନ୍ତାପର ଲୁହଧାର

ଦୁଃଖ ପାହାଡ଼ର ଭାର

ଉଶ୍ୱାସ କରି ମା' ଶୈଳପୁତ୍ରୀ ରୂପେ

ଦିଅ ଆଶୁ ଉପଚାର ।


ସ୍ବାଗତ କରୁଛୁ  ଆସ ଏବେ ମାଆ

ଜଗଧାତ୍ରୀ ମହାସତୀ

ସନ୍ତାନ ସନ୍ତତି    ଦୁର୍ଦ୍ଦିନ ସଙ୍କଟେ

ଭୟେ ଅସହାୟ ଅତି

ଅଭୟ ଶରଣ   ଆଶାରେ ଆଶ୍ରିତ

ବ୍ରହ୍ମଚାରିଣୀଙ୍କ କତି

ଇନ୍ଦ୍ରିୟ ଶମନ  ନାହିଁ ଯେଣୁ ଆମ୍ଭେ

ରୋଗ ଶୋକ ବଶବର୍ତ୍ତୀ

ଗାଇ ତବ ସପ୍ତଶତୀ

କରୁ ଆବାହନ   ହୁଅ ମା' ପ୍ରସନ୍ନ

ସଦୟେ ସଭିଙ୍କ ପ୍ରତି ।


ସ୍ବାଗତ କରୁଛୁ  ଆସ ଏବେ ମାଆ

ବିପଦେ ସମଗ୍ର ଦେଶ

ମହିଷ ରୂପକ   ନୃଶଂସ ତାଡନେ

ସମାଜେ ଭରିଛି ଦ୍ବେଷ

ସଂସ୍କାର ବିହୁନେ   ଲମ୍ପଟ ପୁରୁଷ

ନାରୀକୁ ଦିଅଇ କ୍ଳେଶ

ନିର୍ଭୟା ରମଣୀ  ବେସାହାରା ହୁଏ

ମହତ ନରହେ ଲେଶ

କାହିଁ ଚନ୍ଦ୍ରଘଣ୍ଟା ବେଶ

ଅଥବା କୁଷ୍ମାଣ୍ଡା  ରୂପେ ସ୍କନ୍ଦମାତା

ଅତ୍ୟାଚାର କର ଶେଷ ।


ସ୍ବାଗତ କରୁଛୁ  ଆସ ଏବେ ମାଆ

ଦୁଷ୍ଟ ହେଉ ପ୍ରକମ୍ପିତ

କାତ୍ୟାୟନୀ ପୁଣି କାଳରାତ୍ରୀ ରୂପ

ଆମ ହୃଦେ ବିରାଜିତ

ଅଷ୍ଟମ ଦିବସେ  ଆସ ମହାଗୌରୀ

ନାରୀ କୁଳେ ହେଉ ହିତ

ନବମେ ସମୃଦ୍ଧି  ମୋକ୍ଷ ସିଦ୍ଧିଦାତ୍ରୀ

ପ୍ରାଣୀ ମନେ ଆକାଂକ୍ଷିତ

ହୁଅ ମା' ପ୍ରସନ୍ନ-ଚିତ୍ତ

ତୁମ ଆଶ୍ରା ଥିଲେ ସମସ୍ତେ ଜଗତେ

ସୁଖେ ଥିବୁ ସୁରକ୍ଷିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics