ଅଭିସାରିକା
ଅଭିସାରିକା


କାମ ସାର ଫଟାଫଟ୍ , ଯଥାଶୀଘ୍ର
ଗ୍ରାହକ ଅଛନ୍ତି ଆହୁରି , କରନି ସମୟ ନଷ୍ଟ
ଦିନଟି ବେକାର ହୋଇଯିବ ନହେଲେ ।
ଦୂରରେ ଅଛ କାହିଁକି ଭଦ୍ରବ୍ୟକ୍ତି ଭଳି ?
ନା ନା , ଭୁଲ୍ ବୁଝିଛ ମୋତେ
ଦେଇ ପାରିବ କେଇ ମିନିଟ ସମୟ ?
ଖାଲି କିଛି ଆଲୋଚନା ,
କରିବାର ଥିଲା ତୁମ ସାଥେ
ଇଣ୍ଟରଭ୍ୟୁ ବୋଲି ଧରିନିଅ
ଲେଖିବାର ଅଛି , ତୁମ ଭଳି ଝିଅଙ୍କ ସମ୍ପର୍କରେ ।
ତୁମେ ଲେଖକ ?
କି କଥା ଲେଖିବ ମୋତେ ନେଇ ?
ଗପ ନା ଗୀତ ନା ନାଟକ ?
କେମିତି କେଜାଣି ମାନିଗଲା ସିଏ
ପ୍ରସ୍ତୁତ କଥାବସ୍ତୁର ଚରିତ୍ରଟିଏ ହେବାକୁ !
ଧମକ ବି ଦେଲା ,
ଏପଟ ସେପଟ କଲେ
ମୋତେ ବଜାରରେ ଲଙ୍ଗଳା ନଚାଇବାର ,
ସମାଜରେ ଯେଉଁମାନଙ୍କ ବସ୍ତ୍ର ନିଲାମ ହୋଇପାରେ କୋଟିଏରେ
ସିଏ କାଳେ ଇସାରାରେ ଉତାରିଦିଏ ।
ସ୍ବେଚ୍ଛାରେ ନା ପରିସ୍ଥିତିର ଭଗ୍ନାଂଶବଶତଃ
ସ୍ବୀକାର କରିଛି ଏହି ନୀଚବୃତ୍ତି ,
ଏହିକଥା ତ ସାମାନ୍ୟ ରୂପରେ !
ନା ବହୁରୂପୀର ମିଛ ପ୍ରତିଶ୍ରୁତିରେ
ବସା ବାନ୍ଧିଛି ପାପର ଏ' କର୍ଦ୍ଦମାକ୍ତ ଗର୍ତ୍ତରେ ?
ଏସବୁ ଆମର ପରିଚିତ ପ୍ରଶ୍ନ ।
ଅପହରଣ କି ଧର୍ଷଣର ଭୟ ନାହିଁ ତା'କୁ
ସେ କହେ , ମହିଳାଟିଏ ମାତ୍ରକେ
ଅନିଚ୍ଛାରେ ବି ଧର୍ଷିତା ହୁଏ
ନିଜ ମରଦ ଦ୍ବାରା ହିଁ ଅଧିକାଂଶ ବେଳା ,
ପୁରୁଷ କି ଲୋଡ଼େ କେବେ ଅନୁମତି ନାରୀର ?
କିନ୍ତୁ ମୁଁ କୁଆଡ଼େ ଅଲଗା , ତା' ପାଇଁ
ସମଝଦାର୍ ଆଦମି ।
ଧନ୍ୟବାଦ ଜଣାଇଥିଲି ମୁଁ
କଲଗର୍ଲ ସମ୍ବନ୍ଧରେ ଏତିକି ଯଥେଷ୍ଟ ନା ,
ତୁମେ ସତରେ କେତେ ଥଣ୍ଡା ମିଞ୍ଜାସର ।
ଏବେ ଯାହା ଉଛୁଳି ଆସୁଛି ଚାହାଣିରେ ତୁମ
ବଞ୍ଚାଇ ରଖ ତାକୁ ନିଜ ଅଉରତ୍ ପାଇଁ ।
ଡର ଲାଗେ ଆମକୁ ଇଜ୍ଜତ ମିଳିଲେ
ଇଜ୍ଜତ ଲୁଟିଲେ ନୁହଁ -
ମୋ' ଜିଜ୍ଞାସୁ ଆଖିରେ ଆଖି ମିଶାଇଲା ସେ ।
ଆଚ୍ଛା , ତୁମେ ମୋ' ବିଷୟରେ କାହିଁକି
ମାଆ ଭଉଣୀ କି ସ୍ତ୍ରୀ ବିଷୟରେ ଲେଖୁନ ?
ମୁଁ ଥିଲି ନିର୍ବାକ୍ ନିରୁତ୍ତର ।
କାରଣ ଆମେ ଭିନ୍ନ ନା ତୁମ ସମାଜରୁ !
ମାଲ୍ କି ଜିନିଷ ଭଳି ଉପଲବ୍ଧ ବଜାରରେ
ତୁମେ ଦେବୀ ଦେବତା , ଆମେ ଦେବଦାସୀ ।
ତୁମେ ମୋ' ନାଆଁ ଜାଣି ବି
ପଚାରିପାର ଆଉଥରେ ,
ହେଲେ ନିଜ ନାଆଁ କହିଛ ?
ପରିଚୟ ଦେଲେ ବଦନାମ ହେବ ଯେ ...
ନା କଣ ?
ପାଣି ଗିଲାସେ ବି ଦେଇନ ତ ଏଯାଏଁ ?
ଆମେ ତ ତୁମ ସମାଜର ହିସ୍ସା ନୁହଁ ଯେମିତି
ନିଅ ରଖ ତୁମ ପଇସା
ଆଜି ତ ମୁଁ ହୋଇପାରିଲିନି ବିକ୍ରି , ନିଅ
ଖାଲିଟାରେ କାହାଠୁ ରଖିନି ଆଜିଯାଏଁ ।
ଆସିଥିଲା , ଚାଲିଗଲା
ହେଲେ ଯାଉଯାଉ ଦେଖାଇ ଗଲା ସେ ଯେଉଁ ଚେହେରା ,
ଜୀବନରେ ଦେଖି ନଥିଲି ଆଗରୁ କେବେ
ଅନୁଭବ କଲି , ମଣିଷ ଯେମିତି ଦେଖାଯାଏ ,
ସେମିତି ସେ ନଥାଏ କଦାପି ।
ବାସ୍ତବତା ଦେଖିବା ସକାଶେ ଆଖି ନୁହଁ
ଦୃଷ୍ଟିକୋଣ ଆବଶ୍ୟକ ବୋଧହୁଏ ।
ସେଦିନରୁ ଆଉ ଥରେ ମଧ୍ୟ ଖବର ନାହିଁ
ଅଭିସାରିକା ବିଷୟରେ ,
ତା' କଥା ପଡ଼ିଲେ ଅସଲ ନାଆଁଟି
ଉଚ୍ଚାରି ପାରେନି ଚେଷ୍ଟା କରି ମଧ୍ୟ ।