ଶୀତ ସକାଳର ସ୍ମୃତିଚାରଣ
ଶୀତ ସକାଳର ସ୍ମୃତିଚାରଣ
ଶୀତ ସକାଳ ବି ସକେଇ କାନ୍ଦୁଛି
ବ୍ୟକ୍ତିତ୍ୱ ଯାଇଛି ହଜି,
ହଜିଯାଉ ପଛେ, ଲିଭି ସେ ଯାଇନି
ଯଉବନ ଖୋଜି ଖୋଜି !
ଯଉବନ ଆସେ,ଆସି ଚାଲିଯାଏ
ତା' ପାଇଁ ଏ ନୁହେଁ ନୂଆ,
ପ୍ରହେଳିକା ପଛେ ଧାଇଁବ କାହିଁକି
କ୍ଷଣିକରେ ହୋଇ ବାୟା !
ଚିରଞ୍ଜୀବୀ ସିଏ ନିର୍ବାଣ ନେବାକୁ
ନାହିଁ ତିଳେ ଅଭିପ୍ରାୟ,
ସକାରାତ୍ମକ ସେ ନିଜ ସ୍ୱାର୍ଥ ପାଇଁ
ନାସ୍ତିତ୍ୱ ଭରି ନ ଦିଅ ।
ସକାଳ ଶିଶିର ଚିର ସହଚର
ଅନ୍ତର୍ନିହିତ ନିଃଶ୍ୱାସ,
ଶୁଖି ସେ ଯାଇଛି,ଆର୍ଦ୍ରତା ଅଭାବେ
ଛାଡେ ଖାଲି ଦୀର୍ଘଶ୍ଵାସ ।
ଶୀତର ସଂଜ୍ଞା ବି ବଦଳି ଯାଇଛି
ନାହିଁ ମୃଦୁ ମାଦକତା,
ଋତୁ ନାମଧାରୀ ନିମିତ୍ତ ମାତର
ଅନୁଭୂତିରେ ତିକ୍ତତା ।
ସତେ କି ଧରାରେ ଗଠିତ ହୋଇଛି
ମିଳିତ ମନ୍ତ୍ରୀମଣ୍ଡଳ,
ପାଣି ,ପବନ ବି ଖେଳି ଚାଲିଛି ତା'
ମିଛ ରାଜନୀତି ଖେଳ !
>
ହୁଏତ ହେମନ୍ତ ହୋଇ ରୁଦ୍ଧିମନ୍ତ
ବାଟ ଓଗାଳିଲା ନାହିଁ,
ଶୀତ ସ୍ୱାଗତିକା ସୁରର ଅଭାବେ
ବସନ୍ତର ବାଟ କାହିଁ !
ପ୍ରକୃତିମାଆର ବିରଳ ସମ୍ପତ୍ତି
ଋତୁ ସର୍ବାଙ୍ଗସୁନ୍ଦରୀ,
ପରସ୍ପର ପ୍ରୀତି ଥାଏ ନିରନ୍ତର
ନ ଥାଏ ଭାବ ବଇରୀ !
ମଣିଷ ଭିତରେ ବ୍ୟର୍ଥ ଅହଂକାର
ହିଂସା,କ୍ରୋଧ, କପଟତା,
ମାଆ ତ ଗୋଟିଏ ,ନାଁ ଟି ବସୁଧା
ସମ୍ପର୍କେ କି ଆବିଳତା ?
ନଶ୍ୱର ଜୀବନ ଜାଣିଶୁଣି ସିଏ
ଈଶ୍ୱର ହେବାକୁ ଚାହେଁ,
କାମନା,ବାସନା,ବୃଥା ଭାବନାରେ
ଅଳ୍ପାୟୁଷ ହୋଇଯାଏ ।
ଶୀତ ସକାଳ ଗୋ ! ଗାଇଯାଅ ଥରେ
ଅତୀତ ସ୍ମୃତିର ଗାଥା,
ସେଦିନ ମଣିଷ ବଞ୍ଚିବାର ଶୈଳୀ
ପ୍ରୀତି ବିନିମୟ ପ୍ରଥା ।
ଆତ୍ମିକ ଭିତ୍ତିରେ ଅଙ୍ଗାଙ୍ଗୀ ଜଡିତ
ପ୍ରକୃତି ଆଉ ମଣିଷ,
ସ୍ମୃତିଚାରଣ ହିଁ ଆଜି ମାତ୍ର ସାର
ସମ୍ପର୍କ ହୋଇଛି ବିଷ ।