ଶ୍ରୀରାମନବମୀ ମାନବାନୁଗାମୀ
ଶ୍ରୀରାମନବମୀ ମାନବାନୁଗାମୀ


ସତେ କି ତ୍ରେତୟା ଫେରି ଆସିଅଛି
ବସନ୍ତମୁଖର ହୋଇ !
ପୁରୁଷୋତ୍ତମଙ୍କ ଜନ୍ମ ଉତ୍ସବରେ
ଆତିଥ୍ୟର ସ୍ୱାଦ ପାଇଁ !!
ଦଣ୍ଡକାରଣ୍ୟ ବି ଅନୁଭବ କରେ
ଶ୍ରୀରାମଙ୍କ ଉପସ୍ଥିତି !
ନୀରବ ଚିତ୍କାରେ ସତେ କି ଫୁତ୍କାରେ
ଅପହରଣର ଭୀତି !!
ତ୍ରେତୟା ବାସୁଛି , ବସନ୍ତ ଫେରୁଛି ,
ଗ୍ରୀଷ୍ମର ଶୁଭାଗମନ !
ଶ୍ରୀରାମନବମୀ ଉତ୍ସବେ ମୁଖର
ଜନ, ବନ ଉପବନ !!
ଚୈତ୍ରମାସ ଶୁକ୍ଳନବମୀ ତିଥିରେ
ମର୍ଯ୍ୟାଦା ପୁରୁଷୋତ୍ତମ !
ବିଷ୍ଣୁଙ୍କ ସପ୍ତମ ଅବତାର ଘେନି
ମର୍ତ୍ତ୍ୟରେ ନେଲେ ଜନମ !!
ଚାରିଆଡେ ଶୁଭେ ପ୍ରଭୁ ରାମ ନାମ ,
ଚାଲେ ପୂଜାର ପାର୍ବଣ !
ପ୍ରଭୁ ରାମ ସତ୍ୟ , ପ୍ରେମ , ତପସ୍ୟାର
ପ୍ରତ୍ୟକ୍ଷ ଉଦାହରଣ !!
କ୍ଷୀର , ଦହି , ପଞ୍ଚାମୃତ ଦ୍ରବଣରେ
ପ୍ରଭୁ ଶ୍ରୀରାମଙ୍କ ସ୍ନାନ !
ତୁଳସୀ ଜଳର ଅର୍ପଣ ପୂର୍ବକ
ପ୍ରଭୁଙ୍କ ଧ୍ୟାନରେ ମଗ୍ନ !!
ଅକ୍ଷତ , ସୁମନ ସୁରଭିରେ ସିକ୍ତ
ବସ୍ତ୍ର ଆଭରଣ କରି !
ପ୍ରଭୁଙ୍କ ଶୃଙ୍ଗାର ଵିଧିବିଧାନରେ
କାୟ-ମନୋବାକ୍ୟେ ସ୍ମରି !!
ଶ୍ରୀରାମଙ୍କ ପ୍ରିୟ ସୁମିଷ୍ଟ ସୁଖାଦ୍ୟ
କ୍ଷିରୀ , ମିଠାର ଅର୍ପଣେ !
"ରାମ ଚରିତ ମାନସ" ପଠନରେ
ସମର୍ପିତ ଶ୍ରୀ ଚରଣେ !!
ଶବରୀ ଅଇଁଠା ଖାଇଥିଲେ ପ୍ରଭୁ
ହାତରୁ ଛଡାଇ କୋଳି !
ଭୁଲିଯାଇ ତାଙ୍କ ରାଜଉଆସର
କ୍ଷିରୀ , ମିଠା ,ଅନ୍ନଥାଳି !!
ପୁରୁଷୋତ୍ତମ ସେ , ପ୍ରଜାବତ୍ସଳ ସେ
ପ୍ରକୃତି ରଞ୍ଜନ ପାଇଁ !
ପ୍ରାଣପ୍ରିୟା ସୀତା ହେଲେ ନିର୍ବାସିତା
ପତି ଅନୁପ୍ରାଣା ହୋଇ !!
ଶ୍ରୀରାମନବମୀ ନୁହେଁ ଖାଲି ଏକ
ଶାସ୍ତ୍ରାବଦ୍ଧ ପରମ୍ପରା !
ସତ୍ୟ-ସଂସ୍ଥାପକ , ନ୍ୟାୟ-ଆବାହକ ,
ସନ୍ଦେଶ ତା'ର ନିଆରା !!
ଶ୍ରୀରାମ ଚରିତ୍ର ନୁହେଁ ସାଧାରଣ ,
ଅନେକ ଭିତରେ ଏକ !
ଆନ ମୁହେଁ ହସ ତାଙ୍କରି ଉଦ୍ଦେଶ୍ୟ ,
ଭୁଲିଯାଇ ନିଜ ସୁଖ !!
ଶ୍ରୀରାମନବମୀ ପର୍ବରେ ଅଗ୍ରଣୀ ,
ହିନ୍ଦୁ ଜାତି ସ୍ୱାଭିମାନ !
ଆର୍ଯ୍ୟମାନଙ୍କର ସଂସ୍କାରର ଚିତ୍ର ,
ବ୍ୟକ୍ତି ବ୍ୟକ୍ତିକୁ ସମ୍ମାନ !!
ନକାରାତ୍ମକୀଙ୍କ ହୃଦୟର କୋଣେ
ଜାଗେ ସକାରାତ୍ମକତା !
ଦୁର୍ଭାଗ୍ୟର ଦାଉ ହୁଏ ସଂକୁଚିତ ,
ସୌଭାଗ୍ୟ ଛୁଅଁଇ ମଥା !!
ରାଜସୁଖ ଠାରୁ ପିତୃସତ୍ୟ ଶ୍ରେୟଃ ,
ମାତୃଭକ୍ତି ବନ୍ଦନୀୟ !
ପିତାମାତା ପ୍ରତି ରୁକ୍ଷ ଆଚରଣ
ନର୍କପଣେ ନିନ୍ଦନୀୟ !!
ଶ୍ରୀରାମ ଚରିତ୍ର ସମାଜ ପାଇଁକି
ମାନବିକତାର ବାର୍ତ୍ତା !
ଅଖଣ୍ଡ ତାଙ୍କର ଆତ୍ମାନୁଶୀଳନ ,
ବିବିଧତାରେ ଏକତା !!
ଶ୍ରୀରାମନବମୀ ମାନବାନୁଗାମୀ ,
ମାନବୀୟ ତା'ର ଭାବ !
ପ୍ରବର୍ତ୍ତନଶୀଳ ହିନ୍ଦୁ ସମାଜର
ସଂସ୍କାରଧର୍ମୀ ବିଭବ !!