ସବୁ ରୂପେ ତୁ ଜନନୀ
ସବୁ ରୂପେ ତୁ ଜନନୀ
ଯଦିଓ ସୂର୍ଯ୍ୟଙ୍କ ଦୁଷ୍ଟାମୀ ବଢିଛି ,
ଜହ୍ନ ଯେ ସେଇ ଶୀତଳ !
ଶରତ ସକାଳ ସୁଶୋଭିତ କରେ
ସରୋବରେ ଶତଦଳ !!
ଯଦିଓ କାନ୍ଦୁଛି ଡହଳବିକଳେ
ନଈପଠା-ଉଷ୍ମବାଲି !
କାଶତଣ୍ଡୀ ଅଧରରେ ସ୍ମିତ ହସ ,
ନାଚେ ସରାଗରେ ଢଳି !!
ସୂର୍ଯ୍ୟଙ୍କର ପ୍ରଖରତା କରେ ସିନା
ଅଳପ କ୍ଷଣ ଅବଶ !
କ୍ଷଣସ୍ଥାୟୀ ବିପର୍ଯ୍ୟୟର ଆଘାତେ
ପ୍ରକୃତି ନୁହେଁ ବିବଶ !!
ଶାରଦୀୟ ପୂଜୋତ୍ସବର ସ୍ଵାଗତେ
ହୋଇଛନ୍ତି ନିୟୋଜିତା !
ତମାଳ , କମଳ , କୁମୁଦ ସାଥିରେ
ସୁଗନ୍ଧା ଅପରାଜିତା !!
ଗୋଷ୍ଠୀଗତ ଭାବେ ସ୍ୱାଗତ କରନ୍ତି
ସୁରଭିସିକ୍ତ ନୃତ୍ୟରେ !
ଦୂର ଦିଗ୍ବଳୟେ ଶକ୍ତିପୀଠ ଭିଜେ
ଶଙ୍ଖଧ୍ୱନି-ମୂର୍ଚ୍ଛନାରେ !!
ଭାରତ ବକ୍ଷରେ ଗୌରବେ ଚାଲିଛି
ଶାରଦୀୟ ପୂଜୋତ୍ସବ !
ଆର୍ଯ୍ୟ ପରମ୍ପରା ପ୍ରମାଣ କରୁଛି
ବେଦ-ସଂସ୍କୃତି-ବିଭବ !!
ଶକ୍ତି-ସ୍ୱରୂପିଣୀ ଶୈଳପୁତ୍ରୀଙ୍କର
ନବରାତ୍ର-ମହୋତ୍ସବ !
ହିନ୍ଦୁ ରାଷ୍ଟ୍ର ଭାରତର ସଂସ୍କୃତିରେ
ଶକ୍ତି-ତନ୍ତ୍ର-ମନ୍ତ୍ର ପର୍ବ !!
ମହାଗୌରୀ ,କାତ୍ୟାୟିନୀ , କାଳରାତ୍ରି,
କୁଷ୍ମାଣ୍ଡା , ବ୍ରହ୍ମଚାରିଣୀ !
ଚିତ୍ରଘଣ୍ଟା , ସ୍କନ୍ଧମାତା, ସିଦ୍ଧିଦାତ୍ରୀ ,
ଦୁଷ୍ଟ-ସଂହାରକାରିଣୀ !!
ଶାରଦୀୟ ପୂଜା ଅନ୍ତିମ ଦିବସେ
ବିଜୟାଦଶମୀ ପର୍ବ !
କୁତ୍ସିତ ଚରିତ୍ର ସଂହାର ଭିତ୍ତିରେ
କରେ ଦୁଷ୍ଟ ଗର୍ବ ଖର୍ବ !!
ମୁଁ ଚାହୁଁନି ମାଆ ପୂର୍ଣ୍ଣ ହେଉ ମୋ'ର
ସଂକୀର୍ଣ୍ଣ ମନୋକାମନା !
ସାରା ଜଗତର କଲ୍ୟାଣ ପାଇଁକି
କରେ ସିନା ଆରାଧନା !!
ହିମପୁତ୍ରୀ ତୁହି ଵିଲୋଳହାସିନୀ ,
ଦ୍ବିଭୁଜା , ସହସ୍ରଭୁଜା !
ଚତୁର୍ଭୁଜା , ଅଷ୍ଟଭୁଜା, ଦଶଭୁଜା ,
ବନଦୁର୍ଗା , ମା' ବିରଜା !!
କେଉଁ ନାମେ ତୋତେ ସ୍ମରଣ କରିବି ,
ସବୁ ରୂପେ ତୁ ଜନନୀ !
ମହିଷଙ୍କ ପାଇଁ ମହିଷମର୍ଦ୍ଦିନୀ ,
ଅନ୍ୟଥା ଜଗଜ୍ଜନନୀ !!
ବିଜୟର ପର୍ବ ବିଜୟାଦଶମୀ ,
ଅଧର୍ମକୁ କରେ ନାଶ !
ନାରୀଶକ୍ତି ପ୍ରୋତ୍ସାହନର ପ୍ରତୀକ ,
ଶକ୍ତିର ପୁନର୍ବିନ୍ନ୍ୟାସ !!
