ବୋର୍ଡର ଫେରନ୍ତା
ବୋର୍ଡର ଫେରନ୍ତା
ଆଜି ସକାଳୁ ସକାଳୁ ହଠାତ ମାଇକ୍ ରେ ସିନେମା ଗୀତ, ଆଉ ଭଜନ ଜଣାଣ ଆଦି ଶୁଣାଗଲା । ଆଜି ଗାଁ ରେ କିଛି ପର୍ବ ପର୍ବାଣୀ ବା ବାହାଘର କି ଏକୋଇଶିଆ ଘର ତ ନାହିଁ । କଣ ପାଇଁ ଆଜି ତାହେଲେ ଉତ୍ସବ ପାଳନ କରାଯାଉଛି ? ନା,ଗଣେଶ ପୂଜା ଆଉ ଆଠ ଦିନ ବାକି ରହିଲା ,ନୂଆଖାଇ ନଅ ଦିନ । ତେବେ ପାର୍ବଣ ଋତୁ ଆରମ୍ଭ ହେଲେ ଗାଁ ରେ ଏମିତି ପ୍ରତିବର୍ଷ ମାଇକ ବାଜେ । ମନକୁ ମନ ଭାବିଲି ,ବାଳୁଙ୍ଗା ଗୁଡ଼ାକ ର କିଛି କାମ ଧନ୍ଦା ନାହିଁ । ଆଜି ଠୁ ଗଣେଶ ପୂଜା ପାଇଁ ଖୁସି ମନେଇଲେଣି । ଗାଁ ରେ ମେଢ଼ ହୁଏ ଟୋକା ମାନେ ମିଶି ଗଣେଶ ପୂଜା କରନ୍ତି । ଗାଁ ର ସମସ୍ତ ଙ୍କ ଠାରୁ ଚାନ୍ଦା ଆଦାୟ ହୁଏ । ଦେଶୀ, ଇଂରାଜୀ ସହିତ ଗଣେଶ ପୂଜା କୁ ବେଶ୍ ଉପଭୋଗ କରନ୍ତି । ବେଳେ ବେଳେ ଗଣ୍ଡ ଗୋଳ ହୋଇ ଥାନା ପର୍ଯ୍ୟନ୍ତ କଥା ଯାଏ ।
କିଛି ସମୟ ପରେ କିଛି ବାଣ ଫୁଟିବାର ଶବ୍ଦ ଶୁଣାଗଲା । ମନକୁ ମନ ଭାବିଲି ଆଜି ନିଶ୍ଚିତ ଭାବରେ କିଛି ଗୋଟେ ଉତ୍ସବ ହଉଥିବ । ଯାହା ବିଷୟରେ ମୋତେ କିଛି ଜଣା ନାହିଁ । ମୁଁ ତ କାହାରି ଘରକୁ ବିନା କାମରେ ଯାଏ ନାହିଁ । କି ମୋ ଘରକୁ ବି କେହି ଆସନ୍ତି ନାହିଁ । ନିଜ ଦୁଃଖ ସୁଖ ରେ ଘରେ ଏକୁଟିଆ ପଡ଼ି ରହିଥାଏ ଗୋଠ ଖଣ୍ଡିଆ ପରି । ପୁନର୍ବାର ଝାଞ୍ଜ ମୃଦଙ୍ଗ ର ଶବ୍ଦ ଶୁଣାଗଲା ଦାଣ୍ଡରେ ଯାଇଥିବା ରାସ୍ତା ଆଡୁ । ତା ସହିତ ବିଭିନ୍ନ ପ୍ରକାର ଗୀତ । ଏଥର ନିଜକୁ ସମ୍ଭାଳି ନ ପାରି ଘଟଣା ବିଷୟ ରେ ଜାଣିବା ପାଇଁ ଦାଣ୍ଡ କୁ ବାହାରି ଗଲି ।
ଦେଖି କରି ଆହୁରି ଉତ୍କଣ୍ଠା ବଢ଼ିଗଲା । ଏ ପ୍ରୋସେଶନ କଣ ପାଇଁ ? ଗାଁ ର ଅନେକ ପୁରୁଷ ଲୋକ ଓ ମହିଳା, ଛୁଆ ପିଲା ସମସ୍ତେ ରାସ୍ତା ରେ ଚାଲିଚାଲି ଯାଉଛନ୍ତି ବର ଯାତ୍ରୀ ପରି । ଗୀତ ନାଚ ସାଙ୍ଗ କୁ ବାଣ ଫୁଟା । ଭିଡ଼ ଭିତରେ ଧଳା ପଞ୍ଜାବୀ ପିନ୍ଧା ଲୋକ ଟିଏ । କାନ୍ଧରେ ଗଙ୍ଗା ଯମୁନା ଗାମୁଛା ଟିଏ । ବେକରେ ଫୁଲ ହାର ଚାରି ପାଞ୍ଚଟା ବେଶ୍ ମାନୁଥାଏ ଲୋକ ଟିକୁ । ମୁଁ ଦୂର ରେ ଠିଆ ହୋଇ ଥିବାରୁ ପଞ୍ଜାବୀ ପିନ୍ଧା ଲୋକ ଟିକୁ ଚିହ୍ନି ପାରିଲି ନାହିଁ ।ପୁଣି ଭିଡ଼ ଆଢ଼ୁଆଳ ରେ ଥିବାରୁ ଚିହ୍ନି ହେଉ ନ ଥାଏ । ମୋ ମନରେ ଅନେକ ପ୍ରଶ୍ନବାଚୀ ମୁଣ୍ଡ ଟେକୁଥାନ୍ତି ।ମୋର ଆଶ୍ଚର୍ଯ୍ୟ ର ସୀମା ନ ଥାଏ । କୌଣସି ଦଳୀୟ ରାଜ ନେତା ଆସିଛନ୍ତି କି ?? ଏ ତ ଇଲେକ୍ସନ ଋତୁ ନୁହଁ !!
ମୋର ଛଅ ସାତ ଫୁଟ ଦୂରତା ରେ ଆଉ ଜଣେ ସ୍ତ୍ରୀ ଲୋକ ଛିଡ଼ା ହୋଇ ଦେଖୁଥାଏ । ମୋର ଭାବିବା ଏବଂ ତାର ଉତ୍ତର ଖୋଜୁ ଖୋଜୁ ପ୍ରସେଶନ ପାର୍ଟି ଆଖିରୁ ଅଦୃଶ୍ୟ ହୋଇ ଯାଇଥାନ୍ତି ଅନ୍ୟ ଜଣକର ଘର ଆଢ଼ୁଆଳ ରେ । ଗୀତ ନାଚ ବାଦ୍ୟ ସବୁ ଏବେ ବି ଶୁଣା ଯାଉଥାଏ । ପାଖରେ ଛିଡ଼ା ହୋଇଥିବା ସ୍ତ୍ରୀ ଲୋକ ଟି ର ପାଖକୁ ଯାଇ ପଚାରିଲି , ଏ ସବୁ କଣ ପାଇଁ ?? ସ୍ତ୍ରୀ ଲୋକ ଟି କହିଲା,"ତମେ ଜାଣିନ କି ନାନୀ ? ସନାତନ ର ପୁଅ ଚାକିରୀ ରୁ ଅବସର ନେଇ ଆଜି ଘରକୁ ଫେରିଛି । "
ବର୍ତ୍ତମାନ ମୋର ଅକଲ କାମ କଲା । ଓହୋ, ତା ହେଲେ ତାକୁ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣୁଛନ୍ତି ଗାଁ ମୁଣ୍ଡରୁ ??" ହଁ ଲୋ ନାନୀ, ଘର ଆଗରେ କଳସ ବସିଛି , ଯାଉନ ଦେଖି ଆସିବ । ପୁଣି ଆଜି ଭୋଜି ର ଆୟୋଜନ ହୋଇଛି , ଚାକିରୀ ରୁ ଫେରିବା ଖୁସିରେ । ସାହି ପଡିଶା ସମସ୍ତ ଙ୍କୁ ନିମନ୍ତ୍ରଣ କରା ଯାଇଛି । "
ମାଝୀ ସାହି ର ସନାତନ ର ପୁଅ । ଭଲ ନା କ୍ଷେତ୍ରମୋହନ । CRPF ଚାକିରୀ କରୁଥିଲା । ସୀମା ଚାକିରୀ ତ । କୋଡିଏ ବର୍ଷ ଚାକିରୀ ପରେ ଆଜି ଅବସର ନେଇ ଘରକୁ ଆସିଛି । ସାହି ଲୋକ ତାକୁ ଖୁସିରେ ସମ୍ବର୍ଦ୍ଧନା କରି ଆଣୁଛନ୍ତି । ଏଥର ସବୁ ବୁଝି ପାରିଲି । ଖୁସିରେ ମୁଁ ବି ଅଳ୍ପ ଟିକେ ହସି ପକେଇଲି ।
ଯା ହେଉ, ମୋର ଜଣେ ଛାତ୍ର ଦେଶ ସେବାରେ କୋଡ଼ିଏ ବର୍ଷ କାମ କରି ଆଜି ନିଜ ଗାଁ ମାଟି କୁ ଫେରି ଆସିଛି । ପ୍ରଥମ କରି ଏଇ ବ୍ଲକ୍ ରେ ଯୋଗ ଦେଲା ପରେ ଗାଁ ସ୍କୁଲ୍ ରେ ମୋର ନିଯୁକ୍ତି ହୋଇଥିଲା । ସେତେବେଳେ ଏଇ ପିଲାଟି ତୃତୀୟ ଶ୍ରେଣୀ ରେ ପଢ଼ୁଥିଲା । ଲମ୍ବା ଗୋଲ୍ ଗାଲ ଆଠ ବର୍ଷ ର ପିଲା ଟି । ଆମ ଘର ବାଟ ଦେଇ ପ୍ରତିଦିନ ସ୍କୁଲ୍ କୁ ଯାଏ ।ମୋର ବୋଲ ହାକ ବି କରେ । ମେଧାବୀ ଛାତ୍ର ଥିବାରୁ ମୋର ଭାରି ପ୍ରିୟ ଥିଲା । ସ୍କୁଲ୍ ସମୟ ର ତାର ସମସ୍ତ କଥା ମୋର ଗୋଟିଗୋଟି ହୋଇ ମନେ ପଡ଼ିଗଲା ।
ମନ କୁ ମନ ଭାବି ହସିଲି । ଆରେ ମୁଁ ପରା ଅବସର ନେଇନି ,ଆହୁରି ଦେଢ଼ ବର୍ଷ ବାକି ଅଛି । ମୋ ଛାତ୍ର ଅବସର ନେଇ ଫୁଲମାଳ ପିନ୍ଧି ଘରକୁ ଫେରିଲାଣି ।
ଏମିତି ପରମ୍ପରା କାନ ଉଠିଲା ଦିନ ଠୁ କେବେ ଶୁଣି ନ ଥିଲି । ଆଜି ଆଖିରେ ଦେଖିଲି । ଇଏ ଏକ ନିଆରା ପରମ୍ପରା ସତରେ । ଆକୁ କହନ୍ତି ଭାଇଚାରା ।
