ଲଉଡ଼ି ଖେଳ
ଲଉଡ଼ି ଖେଳ
1 min
253
ଧନ୍ୟ ମୋର ଦେଶ ଧନ୍ୟ ମୋ ସଂସ୍କୃତି
ଜଗତେ ଅଟେ ନିଆରା,
ଆସ୍ଥା ବିଶ୍ୱାସରେ ତିଥି ଅନୁସାରେ
ପାଳିଥାଏ ପରମ୍ପରା ।।
ବାରମାସେ ତେର ଯାତ ମହୋତ୍ସବ
ଘରେଘରେ ପୁରେପୁରେ,
ଆନନ୍ଦ ଉଲ୍ଲାସ ଭାଇଚାରା ଧରି
ପାଳିତ ହୁଏ ବିଧିରେ ।।
ହର୍ଷୋଲ୍ଲାସ ଆଉ ଆନନ୍ଦର ପର୍ବ
ଫାଲ୍ଗୁନର ପୂର୍ଣ୍ଣମୀରେ,
ପିଲାଠାରୁ ବୁଢ଼ା ସଜବାଜ ହୋଇ
ରହିଥାନ୍ତି ପ୍ରତୀକ୍ଷାରେ ।।
ଫଗୁ ଦଶମୀରୁ ଚତୁର୍ଦ୍ଦଶୀ ଯାଏ
ହୁଅଇ ଅବିର ଖେଳ,
ରାଧାକୃଷ୍ଣ ସଙ୍ଗେ ସର୍ବ ଭକ୍ତଜନ
ପାଳିଥାନ୍ତି ହୋଇମେଳ ।।
ମୋକାଳିଆ ସୁନା ପୂର୍ବ ସ୍ମୃତିମାନ
ଭୁଲି ପାରିନାହିଁ ମନୁ,
ଦ୍ଵାପର ଯୁଗରେ ଯମୁନା ପୁଲିନେ
ବଜାଉଥିଲା ସେ ବେଣୁ ।।
ସବୁଠୁ ନିଆରା ଦୋଳ ହୋଲି ପର୍ବ
ଗୋପପୁରେ ଗୋପୀ ସଙ୍ଗେ,
ରାଈ ଦାମୋଦର ଖେଳୁଥିଲେ ହୋଲି
ବୁଡି ଯାଉଥିଲେ ରଙ୍ଗେ ।।
ଲଉଡ଼ି ଖେଳରେ ମାତି ଯାଉଥିଲେ
ସର୍ବ ଗୋପବାସୀ ମିଶି,
ଆନନ୍ଦ ଦାୟକ ଏ ଲଉଡ଼ି ଖେଳ
ସର୍ବେ ହେଉଥିଲେ ଖୁସି ।।
ଅସମ୍ପୂର୍ଣ୍ଣ ରହେ ହୋଲି ପରବଟି
ଏ ଲଉଡ଼ି ଖେଳ ବିନା,
ମୁଖ୍ୟ ଆକର୍ଷଣ ଦାମୋଦର ସଙ୍ଗେ
ରାସେଶ୍ୱରୀ ଚନ୍ଦ୍ରାନନା।।
ସେ ପୁରୁଣା ସ୍ମୃତି ପ୍ରଥା ପରମ୍ପରା
ଆଜି ବି ରହିଛି ଚେଇଁ,
ହୃଦୟ ମଧ୍ୟରେ ଗୋପପୁର ସ୍ମୃତି
ରହିଛି ସତେଜ ହୋଇ ।।
ଐତିହ୍ୟ ସଂସ୍କୃତି ଚିତ୍ତେ ଆଣେ ଭକ୍ତି
ପର୍ବ ଆମ ଭାରତର,
ସପ୍ତ ରଙ୍ଗେ ରଙ୍ଗି ଏ ଦୁନିଆ ଲାଗେ
ସତେ କି ବା ଗୋପପୁର ।।
ବାଦ୍ୟ, ତାଳ,ଗୀତ, ଢଗ ଢମାଳିରେ
ଗ୍ରାମଭୂମି କମ୍ପିଉଠେ,
ପରମ୍ପରା ମତେ ଲଉଡ଼ି ଖେଳନ୍ତି
ଗାଁଆଁ ଦାଣ୍ଡେ ,ନଈ ତୁଠେ ।।
ଲଉଡ଼ି ଲଉଡ଼ି ପରସ୍ପର ମଧ୍ୟେ
ହ୍ୱନ୍ତି ଯେବେ ଠେସାଠେସି ,
ଅପୂର୍ବ ଛନ୍ଦରେ ଛନ୍ଦାୟିତ ହୋଇ
ଚିତ୍ତକୁ ନିଏ ଆକର୍ଷି ।।
ଲଉଡ଼ିକୁ ଧରି କୌଶଳେ ବୁଲାଇ
ନିପୁଣ ଯୋଦ୍ଧା ପରାୟେ,
ଦଳଦଳ ହୋଇ ଖେଳନ୍ତି ଲଉଡ଼ି
ନାନା ଛନ୍ଦ ନାନାଲୟେ ।।
ଆମ ଲୋକନୃତ୍ୟ ଏ ଲଉଡ଼ି ଖେଳ
କରଇ ସ୍ମୃତି ଚାରଣ,
ବଞ୍ଚିଛି ଐତିହ୍ୟ ବଞ୍ଚି ରହିଥିବ
ସଂସ୍କୃତି ମୋ ଗରୀୟାନ ।।
ବନାନୀ ବାଳା ନାଏକ
ସୁନ୍ଦରଗଡ଼
