ବିଲ୍ଵ ମଙ୍ଗଳ
ବିଲ୍ଵ ମଙ୍ଗଳ
2 mins
277
ଥିଲା ଏକ ବିପ୍ର ଭାରତ ଦକ୍ଷିଣେ
ଲମ୍ପଟ ଓ ଦୁଶ୍ଚରିତ୍ର,
ଚିନ୍ତାମଣି ନାମ୍ନୀ ବେଶ୍ୟାସକ୍ତ ସଦା
ଧର୍ମ କର୍ମ ବିବର୍ଜିତ ।।
ବିଲ୍ଵ ମଙ୍ଗଳ ଯେ ନାମ ଟି ତାହାର
ଧ୍ୟାନ ନାହିଁ ପରିବାରେ,
ଚିନ୍ତାମଣି ଙ୍କ ର ଅନୁରୋଧ କ୍ରମେ
ପିତୃ ଶ୍ରାଦ୍ଧ କଲା ଘରେ ।।
ପରିବାର ପ୍ରତି ବୀତସ୍ପୃହ ଅତି
ଚିନ୍ତାମଣି ପ୍ରୀତି ସ୍ମରି,
ଝଡ଼ି ବରଷା କୁ ଖାତିର ନ କରି
ଘରୁ ସେ ଗଲା ବାହାରି ।।
ବର୍ଷଣ ମୁଖର ଅନ୍ଧାର ରାତିରେ
ନଈ ସୁଏ ଝାସ ଦେଲା,,
ପଚା ଶବ ଟିକୁ ଆଶ୍ରୟ କରି ସେ
ଭରା ନଈ ପାରିହେଲା ।।
ବିଷଧର ଏକ ନାଗ ଆଶ୍ରା କରି
ବେଶ୍ୟା ପାଶେ ପହଞ୍ଚିଲା,
ଏପରି ଅବସ୍ଥା ବିଲ୍ଵମଙ୍ଗଳର
ବେଶ୍ୟା ଦେଖି ଧିକ୍କାରିଲା।।
କହିଲା ଝିଙ୍ଗାସି ହେ ବିଲ୍ଵ ମଙ୍ଗଳ
ମୋହ ପାଶେ ମୋହ ଯେତେ,
ସେହିପରି ମୋହ ପ୍ରଭୁ ପାଶେ ରଖ
ଧନ୍ୟ ହୋଇବ ନିଶ୍ଚିତେ ।।
ମନ ଚିତ୍ତ ଶୁଦ୍ଧ ହୋଇଯିବ ତୁମ୍ଭ
କୃଷ୍ଣ କରିବେ ଉଦ୍ଧାର,
କାମିନୀର ମୋହ ନରକର ଦ୍ଵାର
ଏ କଥାକୁ ଚିତ୍ତେ ସ୍ମର ।।
ବେଶ୍ୟା କଥା ଶୁଣି ବିଲ୍ଵମଙ୍ଗଳର
ଚେତନା ହେଲା ଉଦୟ,
ସେହି ଦିନ ଠାରୁ ବେଶ୍ୟା ଚିନ୍ତା ଛାଡ଼ି
କୃଷ୍ଣ ପାଦେ ଦେଲା ଲୟ ।।
କରିଥିଲା ଯେତେ ଜୀବନେ କୁକର୍ମ
ସୁମରି ହେଲା ଲଜ୍ଜିତ,
ଏକ ସାଧୁ ପଦେ ଶରଣାପନ୍ନ ସେ
ହୋଇଲା ଧର୍ମେ ଦୀକ୍ଷିତ ।।
ସରୋବର ତୀରେ ବସିଥିଲା ଦିନେ
ଦେଖିଲା ଏକ ସୁନ୍ଦରୀ,
ସ୍ନାନ ସାରି ସିକ୍ତ ବସ୍ତ୍ର ପରିଧାନେ
ତୁଠରୁ ଯାଏ ବାହାରି ।।
ତାକୁ ଦେଖି ବିଲ୍ଵ ହେଲା ବିମୋହିତ
କଲା ତା" ଅନୁସରଣ,
ସୁନ୍ଦରୀର ପତି ଥିଲେକ ବଣିକ
କଲେ ତାଙ୍କୁ ସମ୍ଭାଷଣ ।।
ଅତିଥି ସତ୍କାର କଲେ ଭବ୍ୟମତେ
ଆସନ ଭୋଜନ ଦାନେ,
ସାଧୁ କାଳେ ଅସନ୍ତୁଷ୍ଟ ଯିବେ ହୋଇ
ଡର ଥିଲା ତାଙ୍କ ମନେ ।।
ତୁମ୍ଭ ସ୍ତିରୀଙ୍କୁ ମୁଁ ଦେଖନ୍ତି ଅଳପ
କହିଲେ ବିଲ୍ଵମଙ୍ଗଳ,
ଧର୍ମାତ୍ମା ବଣିକ ନିଜ ଧର୍ମପତ୍ନୀ
ଡାକି ଆଣିଲେ ଚଞ୍ଚଳ ।।
ପାପ ନେତ୍ରେ ବିଲ୍ଵ ତାଳୁରୁ ତଳିପା
ଦେଖିଲା ନାରୀ ରତନ,
କ୍ଷଣ ପରେ ପୁଣି ଦିବ୍ୟ ଚେତନାଟି
ହୋଇଲା ଚିତ୍ତେ ଉତ୍ପନ୍ନ ।।
ଧିକ୍କାରି ନିଜକୁ ତୀକ୍ଷ୍ଣ ଛୁଞ୍ଚି ନେଇ
ଫୁଟାଇଲା ବେନି ଆଖି,
ପାପ ଚକ୍ଷୁ ମୋର ବାଧା ମାନୁ ନାହିଁ
ଲାଭ ନାହିଁ ତାକୁ ରଖି ।।
ତହିଁ ପରେ ବିଲ୍ଵ ଗଲା ବୃନ୍ଦାବନ
କୃଷ୍ଣ ନାମ ଜପ କରି,
ଝୁଣ୍ଟି ପଡୁଥିଲେ ଅନ୍ଧ ଥିଲେ ଯେଣୁ
କଷ୍ଟ ହେଉଥିଲା ଭାରି ।।
ସଦା ହରି ନାମ ସଙ୍କୀର୍ତ୍ତନେ ରତ
ଦେଖି ତାଙ୍କ ଭକ୍ତି ଭାବ ,
କରୁଣା କରିଲେ କରୁଣା ବାରିଧି
ଶ୍ରୀ କୃଷ୍ଣ ରୁକ୍ମିଣୀ ଧବ ।।
ଜପୁଥିଲା ହରି ନାମ ବିଲ୍ଵ ଦିନେ
ପ୍ରବଳ ଖରାରେ ବସି,
କୃଷ୍ଣ ଉଭା ହୋଇ ଛାଇରେ ବସ ହେ
କହିଲେ ଶ୍ରୀକୃଷ୍ଣ ହସି ।।
କହିଲା ସେ ବିପ୍ର ଆଖି ନାହିଁ ମୋର
ଜାଣେ ନାହିଁ ଖରା ଛାଇ,
ଦୟା ଅଛି ଯଦି ହାତ ଧରି ମୋର
ଖରାରେ ଦିଅ ବସାଇ ।।
ହାତ ଧରି କୃଷ୍ଣ ଛାଇ ରେ ବସାନ୍ତେ
ଜାଣିଲା ବିଲ୍ଵ ମଙ୍ଗଳ,
ନିଶ୍ଚୟ ଏ ମୋର ପରମ ଆରାଧ୍ୟ
ନନ୍ଦ ଯଶୋଦାଙ୍କ ବାଳ ।।
ଏହା ଭାବି ତାଙ୍କୁ କୁଣ୍ଢାଇ ଧରିଲା
ଭକ୍ତିରେ ହୋଇ ବିହ୍ବଳ,
ଛାଡ଼ଛାଡ଼ ବୋଲି କହିଲେ ଯେତେକ
ନ ଛାଡ଼ିଲା ତାଙ୍କୁ ବିଲ୍ଵ ।।
ବିଲ୍ଵର ହସ୍ତରୁ ଖସିଗଲେ କୃଷ୍ଣ
ବିଲ୍ଵ କହିଲା, ମାଧବ !
ହାତରୁ ମୋହର ଖସିଲେ କି ହେବ
ହୃଦୟେ ମୋ ସଦା ଥିବ ।।
ତୁମେ ମୋର ପ୍ରଭୁ ଗିରିଧର କୃଷ୍ଣ
ନିଶ୍ଚେ ମୁଁ ପାରୁଛି ଜାଣି,
ଦେଖାଦିଅ ମୋତେ ତୁମ ରୂପ ଛବି
ହେ ପ୍ରଭୁ ମୁରଲୀ ପାଣି ।।
ଭାବର ଠାକୁର ଭାବେ ବନ୍ଧା ହୋଇ
ଦିବ୍ୟ ଚକ୍ଷୁ ତାକୁ ଦେଲେ,
ପରମ ଭକ୍ତର ଅନୁରୋଧ ରଖି
ଦିବ୍ୟ ରୂପ ଦେଖାଇଲେ ।।
ପ୍ରଭୁ ପାଦେ ପଡ଼ି କୃଷ୍ଣ ଭକ୍ତ ବିଲ୍ଵ
ସ୍ତୁତି ପାଠ କଲେ କେତେ,
ବିଲ୍ଵ ମଙ୍ଗଳ କୁ ଅନ୍ନ ,କ୍ଷୀରି, ପିଠା
ଖୁଆଇଲେ ନିଜ ହସ୍ତେ ।।
ବନାନୀବାଳା ନାଏକ
ସୁନ୍ଦରଗଡ଼
