ମହାତ୍ମା ଚିତ୍ରକେତୁ
ମହାତ୍ମା ଚିତ୍ରକେତୁ
2 mins
360
ବିଷ୍ଣୁଙ୍କ ପରମ ଭକ୍ତ ଚିତ୍ରକେତୁ
ଧାର୍ମିକ ଉଦାର ମୂର୍ତ୍ତି,
ସୁଶାସକ ଭାବେ ସାରା ଜଗତରେ
ରହିଥିଲା ତାଙ୍କ କୀର୍ତ୍ତି ।।
ଐଶ୍ୱର୍ଯ୍ୟ ବିଭବ ନ ଥିଲା ଅଭାବ
ମାତ୍ର ଥିଲେ ନିଃସନ୍ତାନ,
ଲକ୍ଷାଧିକ ତାଙ୍କ ରାଣୀଙ୍କର କୋଳ
ରହିଥିଲା ସଦା ଶୂନ୍ୟ ।।
ମହର୍ଷି ଅଙ୍ଗିରା ଭ୍ରମୁଭ୍ରମୁ ଦିନେ
ଚିତ୍ରକେତୁ ନବରରେ,
ଚିତ୍ରକେତୁଙ୍କ ର ଆତିଥ୍ୟତା ଲଭି
ପ୍ରସନ୍ନ ହେଲେ ଚିତ୍ତରେ ।।
ରାଜାଙ୍କ ମନରେ ବିରସତା ଦେଖି
କହିଲେ ଶୁଣ ରାଜନ,
ପୁତ୍ର ଲାଭ ପାଇଁ ପୁତ୍ରେଷ୍ଠି ଯଜ୍ଞର
କର ଶୀଘ୍ର ଆୟୋଜନ ।।
ମହା ଆଡ଼ମ୍ବରେ ଯଜ୍ଞ କଲେ ରାଜା
ଯଜ୍ଞ ଚରୁଅନ୍ନ ଆଣି,
ବଡ଼ରାଣୀ କୃତଦ୍ୟୁତୀଙ୍କୁ ସେ ଦେଲେ
ଗର୍ଭବତୀ ପାଟରାଣୀ ।।
ଦଶମାସ ଅନ୍ତେ ପୁତ୍ର ଜନ୍ମହେଲା
ରାଜା ହେଲେ ଭାରିଖୁସି,
ଭାବି ବଂଶଧର ଦେଖି ରାଜପୁରେ
ଖୁସି ହେଲେ ରାଜ୍ୟବାସୀ ।।
ବଡ଼ରାଣୀ ଆଉ ନବଜାତ ପାଶେ
କାଳ କଟାନ୍ତି ରାଜନ,
ଏତାଦୃଶ ଦେଖି ଅନ୍ୟ ରାଣୀମାନେ
ଲଭିଲେ ଯେ ଅପମାନ ।।
ସହଜେ ବିମାତା କଲେ କୂଟଚିନ୍ତା
କୁମରକୁ ଦେଲେ ବିଷ,
ରାସ୍ତା ରୁ କଣ୍ଟକ ହଟିଗଲା ଭାବି
ମନରେ ହେଲେ ଆଶ୍ବସ୍ତ ।।
ପୁତ୍ର ଶୋକେ ମର୍ମାହତ ହୋଇ ରାଜା
ରହିଲେ ବିରସ ମନେ,
ଏକମାତ୍ର ପୁତ୍ର ମରଣ ହୋଇଲା
ଅଗ୍ନି ସମ ଦହେ ପ୍ରାଣେ ।।
ରାଜକାର୍ଯ୍ୟେ ଚିତ୍ତ ନ ଲାଗେ ତାଙ୍କର
ରାଜ୍ୟ ହେଲା ଶିରୀହୀନ,
ପୁତ୍ର ବିୟୋଗରେ ରାଜାରାଣୀ ଦୁହେଁ
ଦୁଃଖେ କରନ୍ତି ରୋଦନ ।।
ଏ ଅବସ୍ଥା ଜାଣି ନାରଦ ମହର୍ଷି
ଅଙ୍ଗିରା ସାଥିରେ ଆସି,
ପୁତ୍ରହରା ଚିତ୍ରକେତୁ ଙ୍କୁ ଯତନେ
ଯାଚିଲେ ଜ୍ଞାନ ଆଶ୍ଵାସି ।।
ଶଙ୍କରଙ୍କ ପାଦେ କର ଆରାଧନା
ମୋହମାୟା କର ତ୍ୟାଗ,
ଚିତ୍ତଶୁଦ୍ଧି ହେବ କର ମହାଯଜ୍ଞ
ଶୁଣ ଆହେ ମହାଭାଗ ।।
ଯଜ୍ଞ ଅନୁଷ୍ଠାନେ ଚିତ୍ତ ଶୁଦ୍ଧିହୋଇ
ବିକାର ହୋଇଲା ଦୂର,
ବିଦ୍ୟା ପ୍ରଭାବରେ ଶୁଦ୍ଧ ଚିତ୍ତ ମନେ
ଶାନ୍ତ ହେଲେ ଦଣ୍ତଧର ।।
ଶ୍ରୀହରି ସନ୍ତୁଷ୍ଟେ ବ୍ରହ୍ମ ତତ୍ତ୍ଵ ଜ୍ଞାନ
ରାଜା ଙ୍କୁ ପ୍ରଦାନ କଲେ,
ଚଳାଚଳ ପାଇଁ ଖୁସିରେ ରାଜାଙ୍କୁ
ବାୟୁଯାନ ଏକ ଦେଲେ ।।
ଶ୍ରୀ ହରି ପ୍ରଦତ୍ତ ବିମାନରେ ବସି
ବିଚରନ୍ତି ଇତସ୍ତତଃ,
କୈଳାସ ଶିଖରେ ହରପାର୍ବତୀ ଙ୍କ
ପାଖେ ହେଲେ ଉପସ୍ଥିତ ।।
ଶଙ୍କରଙ୍କ କୋଳେ ବସିଥାନ୍ତି ଉମା
ସମ୍ମୁଖେ ତପସ୍ୱୀ ଗଣ,
ଏତାଦୃଶ ଦୃଶ୍ୟ ଦେଖି ଚିତ୍ରକେତୁ
ଭାଷିଲେ କଟୁ ବଚନ ।।
ଆକ୍ଷେପ କରିଣ ହରପାର୍ବତୀଙ୍କୁ
ଅଟ୍ଟହାସ୍ୟ କରି ରାଜା,
ଝିଙ୍ଗାସି କହିଲେ ଲଜ୍ଜା ନାହିଁ ତିଳେ
କୋଳେ ଧରିଛ ଗିରିଜା ।।
ଚିତ୍ରକେତୁଙ୍କ ର କଟୁବାକ୍ୟ ଶୁଣି
କ୍ରୋଧାନ୍ୱିତ ଗିରିସୁତା,
ଅସୁର ଯୋନୀରେ ଜନ୍ମ ହେବାପାଇଁ
ଶାପ ଦେଲେ ବିଶ୍ଵମାତା ।।
ଶାପ ବାକ୍ୟ ଶୁଣି ଚେତିଲେ ରାଜନ
କରିଲେ କ୍ଷମା ଯାଚନ,
ଶାପ ପ୍ରଭାବରେ ବୃତ୍ରାସୁର ରୂପେ
ତ୍ଵଷ୍ଠା ଘରେ ହେଲେ ଜନ୍ମ ।।
ଦଧିଚିଙ୍କ ଅସ୍ଥି ନିର୍ମିତ ବଜ୍ରରେ
ଇନ୍ଦ୍ର ହସ୍ତେ ହେଲେ ହତ,
ଚିତ୍ରକେତୁଙ୍କ ର ଅପୂର୍ବ କାହାଣୀ
ଅପୂର୍ବ ତାଙ୍କ ଚରିତ ।।
ବନାନୀ ବାଳା ନାଏକ
ସୁନ୍ଦରଗଡ଼
