ସ୍ଵତନ୍ତ୍ର ଉତ୍କଳ
ସ୍ଵତନ୍ତ୍ର ଉତ୍କଳ
1 min
353
ଉତ୍କୃଷ୍ଟ କଳାର ଦେଶ ମୋ ଉତ୍କଳ
ବିଶ୍ବରେ ଅଟେ ନିଆରା,
ନିରୀହ ସରଳ ମୋ ଉତ୍କଳବାସୀ
ନିଆରା ତା" ପରମ୍ପରା ।।
କୀର୍ତ୍ତି କିରୀଟିନୀ ସୌଭାଗ୍ୟ ଶାଳିନୀ
ସୁରୁଚିର ସୁଶୋଭିତ,
ବନାନୀ ବେଷ୍ଠିତ ସଦା ସୁରଭିତ
ସିନ୍ଧୁ କରେ ପଦଧୌତ ।।
ଗଙ୍ଗା ଠାରୁ ଗୋଦାବରୀ ପରିବ୍ୟାପ୍ତ
ଏଇ ମୋ ଉତ୍କଳ ଭୂଇଁ,
ଏଇ ମୋ ଜନନୀ ପାଦତଳେ ତାର
ମଥା ମୋର ଯାଏ ନଇଁ ।।
ବିଖଣ୍ଡିତ ଥିଲା କଳେବର ତାର
ବଙ୍ଗ ବିହାରରେ ମିଶି,
କଷ୍ଟ ପାଉଥିଲା ଭାଗଭାଗ ହୋଇ
ସତେ କାଳ ଥିଲା ଗ୍ରାସୀ ।।
ଅସହାୟ ହୋଇ ମୋ ଉତ୍କଳଭୂଇଁ
କାନ୍ଦୁଥିଲା କଇଁକଇଁ,
ମାଆର ଆଖିରୁ ଲୁହ ପୋଛିବାକୁ
ଯୋଗ୍ୟ ସୁତ ଗଲେ ଧାଇଁ ।।
ପୁରୋଧା ହୋଇଲେ ମଧୁ ବାରିଷ୍ଟର
କଲେ ଭାଷା ସମ୍ମିଳନୀ,
ଆଗଭର ହୋଇ ଯୋଗ୍ୟସୁତ ଗଣ
ରକତକୁ କଲେ ପାଣି ।।
ଫକୀର ମୋହନ, ରାଧାନାଥ ରାୟ
ନୀଳକଣ୍ଠ, ଗଙ୍ଗାଧର,
ରାଜା କୃଷ୍ଣଚନ୍ଦ୍ର ,ଦାସ ଗୋପବନ୍ଧୁ
ଖୋର୍ଦ୍ଧାର ପାଇକ ବୀର ।।
ହେଲେ ଏକଜୁଟ ରାଜା ଠାରୁ ପ୍ରଜା
ହୃଦେ ବହି ସ୍ୱାଭିମାନ,
ସଭିଙ୍କ ଚେଷ୍ଟାରେ ଏପ୍ରିଲ ପହିଲାରେ
ସ୍ଵତନ୍ତ୍ର ରାଜ୍ୟ ଗଠନ ।।
ଉଣେଇଶି ଶହ ଛତିଶ ମସିହା
ସ୍ମରଣୀୟ ସେହି ଦିନ,
ସାରା ଉତ୍କଳରେ ଅତି ଆଡ଼ମ୍ବରେ
କରୁଛୁ ଆମେ ପାଳନ ।।
ଧନ୍ୟ ମୋର ମାଟି ସଂସାରେ ଗରିଷ୍ଠ
ଯା" ରକ୍ଷକ ଜଗନ୍ନାଥ,
ପୁଣ୍ୟ ତାର ମାଟି ପୁଣ୍ୟ ତାର ଗାଥା
ତା" ଚରଣେ ମଥା ନତ ।।
ବନାନୀବାଳା ନାଏକ
ସୁନ୍ଦରଗଡ଼
