ମୋ ଗାଁ
ମୋ ଗାଁ
ମୋ ଗାଆଁ। କେଡ଼େ ସୁନ୍ଦର ଗାଁଆଁ ଟି ମୋର
କେଡ଼େ ସୁନ୍ଦର ନାଆଁ,
ଯା"ର ମାଟିରେ ପ୍ରଥମ କରି
ଡାକିଲି କୁଆଁ କୁଆଁ ।। ଗାଆଁ ନୁହେଁ ତ ସରଗପୁର
"ଗଇଲୋ " ତାର ନାଆଁ, ଶରଧା କରେ କୋଳରେ ଧରି
ସତେ କି ମୋର ମାଆ ।।
ଭଲ ଲାଗେ ତା" ପାଣି ପବନ
ଗୋହିରି ତୋଟା ମାଳ, ଗାଆଁ ମୁଣ୍ଡରେ ଧାଡ଼ିକି ଧାଡ଼ି
ସୁଉଚ୍ଚ ଗଛ ତାଳ ।।
ସୁନ୍ଦରଗଡ଼ ଜିଲ୍ଲା ଭିତରେ
ଥାନା ଟି "ତଳସରା,"
"ସବଡେଗା" ମୋ ବ୍ଲକ ର ନାମ
ସତେ କି ମଧୁଝରା ।। ଗାଁ ରେ ଅଛି ମୋ ଷଠି ଘର
ଜନମିଥିଲି ଯହିଁ, ଗାଁ ରେ ଅଛି ଚାହାଳୀ ଟିଏ
ପାଠ ପଢିଲି ମୁହିଁ ।। ଗାଁ ପୋଖରୀ ଅତି ସୁନ୍ଦର
ନିରିମଳ ତା" ଜଳ, ଗାଁ ଯାକର ଆଶା ଭରସା
ଝିଅ ବୋହୂଙ୍କ ମେଳ ।। ଜହ୍ନ ଉଇଁଲେ ଫୁଟଇ ତହିଁ
ସୁନ୍ଦର ନୀଳ କଇଁ, ସକାଳ ହେଲେ ରବି କିରଣେ
କମଳ ଉଠେ ଚେଇଁ ।। ଗାଁ ମଝିରେ ମନ୍ଦିର ଟିଏ
ବିରାଜିଛନ୍ତି ଦାରୁ, ଓଁକାର ନାଦ ଝଙ୍କୃତ ହୁଏ
ନିଇତି ପ୍ରଭାତରୁ ।। ଘଣ୍ଟ ଘଣ୍ଟା ଶୁଭଇ ତହିଁ
ନିଇତି ସଞ୍ଜ ହେଉ, ବୃନ୍ଦାବତୀ ଙ୍କୁ ମୁଣ୍ଡିଆ ମାରେ
ମୋ ଗାଁର ସୁନା ବୋହୂ ।। ଗାଁ ମୁଣ୍ଡରେ ଝାଡ ଭିତରେ
ଗ୍ରାମ ଦେବୀଙ୍କ ବାସ, ଗାଁ କୁ ମୋର ସୁରକ୍ଷା ଦିଏ
ଦୁଃଖ ନ ଆସେ ପାଶ ।। ତୋଟା ମାଳରେ ପତ୍ର ଗହଳେ
କୋଇଲି ଡାକେ କୁହୁ, ବସନ୍ତ କାଳେ ଝରା ବଉଳେ
ଝରି ପଡ଼ଇ ମହୁ ।। ଗାଁ କୁ ମୋର ଘେରି ରହିଛି
ଘନ ପଳାଶ ବଣ, ଫଗୁଣ ହେଲେ ଭରା କୁସୁମେ
ହରଇ ଜନମନ ।। ଗାଁ ଟି ମୋର ଅତି ନିଜର
ତା" ପରି କେହି ନାହିଁ, ମା" ପରି ସେ ମମତାମୟୀ
ମୋ ଅଳି ଥାଏ ସହି ।। କନକ ତୋରା କେଦାରେ ଭରା
ଗାଁ ର ଚଉପାଶ, ଶସ୍ୟ ଯୋଗାଇ ପାଳଇ ଲୋକେ
ଖୁସିରେ ବାରମାସ ।।
ପୂରୁବ ଦିଗେ ସୂରୁଜ ଯେବେ
ସକାଳୁ ଆସେ ଉଇଁ, ସରଗ ପରି ଝଲସି ଉଠେ
ବନ ପାହାଡ଼ ଭୂଇଁ ।। ରାତିରେ ଯେବେ ଯୋଛନା ଢାଳେ
ଶରତେ ନିଶାକର,
ରଜତ ରେଣୁ ଝରି ପଡ଼ଇ
ଗାଁ ମାଟିରେ ମୋର ।। ଗାଁ ର ଧୂଳି ଦେହରେ ବୋଳି
ଖେଳିଛି ଯେତେ ଖେଳ, ମନେ ପଡ଼ଇ ସେଦିନ କଥା
ସାଥି ପିଲାଙ୍କ ମେଳ ।।
ଖେଳିଛି କେତେ ସାଥୀଙ୍କ ମେଳେ
ବୋହୂ ବୋହୂକା ଖେଳ,
ଧରିଛି କେତେ ପରଜାପତି
ତୋଳିଛି କେତେ ଫୁଲ ।। ଯାନି ଯାତରା ନୂଆଖାଇ ର
ମଧୁର ସ୍ମୃତି ଆଜି, କାଳ ଗରଭେ ସେଦିନ କଥା
ଯାଇଛି ପରା ହଜି ।। ଗାଁ ର ଧୂଳି ମଥାରେ ବୋଳି
ଆସିଲି ଶାଶୁ ଘର, ଶାଶୁ ଗାଁଆଁ ଟି ଲାଗେ ନି କାହିଁ
ଜମା ମୋ ଆପଣାର ।।
ଜନ୍ମମାଟି ର ମହକ କାହିଁ
ମିଳିବ କେଉଁଠାରେ, ଆଜି ବି ମୋତେ ମୋ ଗାଁ ମାଟି
ଡାକୁଛି ଆଖି ଠାରେ ।।
ବନାନୀ ବାଳା ନାଏକ
ସୁନ୍ଦରଗଡ଼
