STORYMIRROR

BANANIBALA NAIK

Others

4  

BANANIBALA NAIK

Others

ଉଆଁସୀ ପଳାଶ

ଉଆଁସୀ ପଳାଶ

1 min
254


କିଏ କହେ ମୋତେ ଉଆଁସୀ ପଳାଶ
ଅଭିଶପ୍ତା କିଏ କହେ,
ବାସ ନାହିଁ ବୋଲି ପାଏ ନି ଆଦର 
ଆତ୍ମଗ୍ଲାନି କେତେ ସହେ ।।
ଋତୁରାଜଙ୍କ ର ଦୂତିକା ସାଜି ମୁଁ
ଆସଇ ମରତ ଭୂଇଁ,
ବସନ୍ତ ବିଜୟ ଆନନ୍ଦ ଖବର
କାନେକାନେ ଯାଏ କହି ।।
ବଣଭୂଇଁ, ଗାଆଁ ,ତୋଟା, ନଈପଠା
ଅପନ୍ତରା, ପାହାଡ଼ିଆ,
ଫୁଟି ହସୁଥାଏ ରକ୍ତବର୍ଣ୍ଣ ମାଖି
ସଦର୍ପରେ ହୋଇ ଠିଆ ।।
ମାଗେନି କାହାକୁ ସେବାଯତ୍ନ ଟିକେ
ରଖେନି କେ" ଅଗଣାରେ,
ଉପବନ ଶୋଭା ନାହିଁ ମୋ ଭାଗ୍ୟରେ
ଜଳିଜଳି ଖାଲି ମରେ ।।
ଟହ ଟହ ନାଲି ରଙ୍ଗ ମାଖି ଦେହେ
ହରେ ସିନା ଜନମନ,
ତୋଳନ୍ତିନି କେହି ସରାଗରେ ମୋତେ
ଅଟେ ଯେଣୁ ବାସହୀନ ।।
ପତ୍ର,ପୁଷ୍ପ, ଫଳ ଅଲୋଡ଼ା ମୋହର
ନୁହେଁ ମୁଁ କାହା ଆହାର,
ମାତ୍ର ଶୁଷ୍କ କାଷ୍ଠ ଲାଗଇ କାର୍ଯ୍ୟରେ
ଜଳିଜଳି ହୁଏ ଖାର ।।
ପୁଷ୍ପଗୁଚ୍ଛ ଅବା ମାଳାଟିଏ ପାଇଁ
ଲୋଡ଼ନ୍ତିନି ମୋତେ କେହି ,
କାହା ଗଭା ଶୋଭା ବଢାଇ ନ ପାରେ
ପ୍ରଭୁ କାର୍ଯ୍ୟେ ଲୋଡ଼ା ନାହିଁ ।।
ସୃଷ୍ଟି କଲେ ସିନା ସୃଷ୍ଟିକର୍ତ୍ତା ମୋତେ
ଦେଲେ ମନଜୀଣା ରୂପ ,
ମନ୍ଦିରର ରାସ୍ତା ବାରଣ ମୋ ପାଇଁ
କହ କାହା ଅଭିଶାପ ।।
ବ୍ୟସ୍ତତା ଭିତରେ ବାସନା ଦେବାକୁ
ସ୍ରଷ୍ଟା କିବା ଗଲେ ଭୁଲି, 
ବାସନା ଭଣ୍ଡାର ଶୂନ୍ୟ ହେଲା କିବା 
ଆସିଲା ଯେବେ ମୋ ପାଳି ।।
ଦୃଷ୍ଟି ଆକର୍ଷଣ କରେ ସଭିଙ୍କର
ପ୍ରଶଂସା ବି ପାଏ କେତେ,
ଶୋଭା ଦେଖି ମୋର ବିହ୍ବଳ ହୁଅନ୍ତି
ତୋଳି ନ ନିଅନ୍ତି ହାତେ ।।
କବି ଓ ଭାବୁକ ନିଦ ହଜିଯାଏ
ଉପମାଳଙ୍କାର ଦେଇ,
ଧାଡ଼ି ପରେ ଧାଡ଼ି କବିତା ଲେଖନ୍ତି 
ଦିବ୍ୟ ଶବ୍ଦ ମାନ ଥୋଇ ।।
ଅଳି,ପ୍ରଜାପତି ଭଅଁରର ପ୍ରୀତି
ଲେଖା ନାହିଁ ଭାଗ୍ୟେ ମୋର,
ନିର୍ଦ୍ଦୟ ମଳୟ ଛୁଏଁ ନି ମୋ ତନୁ
ସଦା ଥାଏ ମୁହିଁ ସ୍ଥିର ।।
ଉଆଁସୀ କି ମୁହିଁ ଶୁଭ କାର୍ଯ୍ୟେ ମୋର
କେହି ଚାହାନ୍ତି ନି ମୁହଁ,
ଅଲୋଡ଼ା ଜୀବନ ସୃଷ୍ଟି କର୍ତ୍ତା ମୋତେ
କାହିଁ ପାଇଁ ଦେଲେ କୁହ ।।
ବାଛିବାଛି କରି ତିନୋଟି ଅକ୍ଷରେ
ନାଆଁ ଟି ଦେଲେ ପଳାଶ,
କେତେ ଚିନ୍ତା କରି ରୂପ ଦେଲେ ସିନା
ଦେହରେ ନାହିଁ ସୁବାସ ।।

ବନାନୀ ବାଳା ନାଏକ
ସୁନ୍ଦରଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍