STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ରେ କାଶତଣ୍ଡୀ

ରେ କାଶତଣ୍ଡୀ

1 min
231

ରେ କାଶତଣ୍ଡୀ !

କି ମୋହରେ ମୋହି ନେଉ ତୁ ସବୁରି ମନ

ତୋ ମାୟାରେ ବାୟା ହୁଅନ୍ତି ଜନ

କବି ଭାବୁକ ଦର୍ଶକଙ୍କ ବିମୋହିତ ହୁଏ ପ୍ରାଣ

ଆଖି ପଡୁ ନଥିବା ଅପନ୍ତରା ସ୍ଥାନେ

ହିଡ଼ ବଣବୁଦା ନଈ ପଠା ଧାରେ ଧାରେ

ବଢି ତୁ... ବିନା କାହାରି ସହାୟତାରେ

ଶୋଭାରେ ତୋର ପରିବେଶ ଦେଉ ମଣ୍ଡି !

ରେ କାଶତଣ୍ଡୀ !

ଲମ୍ବା ସରସର ସବୁଜ ତନୁ ତୋର

ଧୋବ ଫର ଫର ଫୁଲର ମୁକୁଟ ପିନ୍ଧୁ

ଦେଖେ ଯିଏ ହୁଏ ସେ ଆତ୍ମବିଭୋର

ରୂପରେ ତୁ କମନୀୟ ସ୍ୱଚ୍ଛ ଶୁଭ୍ର ସ୍ନିଗ୍ଧ 

ଦିଶୁ କି ମନୋହର...କରୁ ମୁଗ୍ଧ

ଦେଖିବାକୁ ତୋତେ ସୌନ୍ଦର୍ଯ୍ୟ ପିପାସୁ

ଉନ୍ମିଳିତ ନେତ୍ରେ ଥାଏ ସୁଯୋଗ ଉଣ୍ଡି !

ରେ କାଶତଣ୍ଡୀ !

ବିମଳ ନିର୍ମଳ ସଫେଦ ତୋ ବଦନ

ଲାଗୁ ତୁ... କେଡେ ସୁନ୍ଦର ପବିତ୍ର

ପବିତ୍ରତାର ପ୍ରତୀକ ରୂପେ ତୁ ନିଦର୍ଶନ

ସଭିଙ୍କୁ ଜଣାଇ ଦେଉ ମହନୀୟତା

"ସ୍ୱଚ୍ଛତା ହିଁ ଜୀବନର ସାର୍ଥକତା"

ମହକ ତୋର ନ ଥାଇ ବି

ଶାରଦୀୟ ଧରାପୃଷ୍ଠେ ତୁ ଅନୁପମ

ତୋ ଆଭାର ପ୍ରଭାରେ ହୁଏ ମତିଭ୍ରମ

ଲାଗେ ଅବା ପୁନେଇଁ ଚାନ୍ଦରୁ 

ପୁଳାଏ ଚାନ୍ଦିନୀ ପଡିଛି କି ଛିଣ୍ଡି !

ରେ କାଶତଣ୍ଡୀ !

କି ଯାଦୁ ତନ୍ତ୍ରେ ଆକର୍ଷି ନେଉ ପ୍ରାଣ

ଲାଗେ ପ୍ରେୟସୀ ପ୍ରେମେ ଦେଉଛି ହସି

ଅଭିସିରିକାର ବେଶେ ପ୍ରିୟକୁ

ଚାତକି ପ୍ରାୟେ ଚାହିଁ ହେଉଛି ଖୁସି

ତୋ ନିଷ୍ପାପ ମନେ ନିର୍ବିକାର ହୃଦୟେ

କରୁ କି ଆବାହନୀ ମନ୍ତ୍ରର ନୀରବ ସ୍ତୁତି

ଅବତରୀ ଆସନ୍ତି ମାଆ ଦୁର୍ଗା ଦେବୀ

ତାଙ୍କ ଅମୀୟ ଆଶିଷେ ମିଳଇ ଶାନ୍ତି ତୃପ୍ତି

ଭାବ ଭାବନାରେ ସ୍ୱପ୍ନ ହୁଏ କାଣ୍ଡି କାଣ୍ଡି !

ରେ କାଶତଣ୍ଡୀ !

ତୁ ମଉଳିବୁ ମୁଁ ବି ମଉଳି ପଡିବି ଦିନେ

ତୋର ନାହିଁ କାମନା ବାସନା ମନେ

ପୁରି ରହିଛି ସେ ସବୁ ମୋର ଏ ଜୀବନେ

ପୂରଣ କରିବାକୁ ସମ୍ପର୍କ ଦିଏ ଖଣ୍ଡି

ତୋ ପରି ମୁଁ ହେବାକୁ କରେ ଆଶା

ତୁ କେତେ ମହାନ...ନିଷ୍କଳଙ୍କ ସ୍ଵାଭିମାନ

ତୁଚ୍ଛ ଇଚ୍ଛା ମିଛ ଆଶା ଲାଗି ତୁ

କେବେ କାହାକୁ ଦେଉ ନା ତ ଭଣ୍ଡି !

ରେ କାଶତଣ୍ଡୀ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational