STORYMIRROR

Kabiratna Nutan Kumar Behera

Romance Classics Inspirational

4  

Kabiratna Nutan Kumar Behera

Romance Classics Inspirational

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ

1 min
362


ଥିଲି ମୁଁ ଭାରାକ୍ରାନ୍ତ ଆଶଙ୍କାର ନୈରାଶ୍ୟରେ 

ଶୀତଳ ବରଫ ଖଣ୍ଡ ପରି ଜମାଟ ବାନ୍ଧି 

ସଂକୁଚିତ ହେଉଥିଲା ମୋ ଇପ୍ସା ଲିପ୍ସା ସବୁ 

ଚେତନା ହଜାଇ ପାଲଟି ଯାଉଥିଲି 

ନିର୍ବାକ୍ ନିସ୍ପନ୍ଦ ନିଶ୍ଚଳର ଏକ ଜଡ଼ ପିଣ୍ଡ 

ମୋ ସତ୍ତାର ସତ୍ୟ ନ ଥିଲା ମୋ ଭିତରେ 

ସବୁ କିଛି ବଦଳିଗଲା କ୍ଷଣିକରେ 

ଭାବନାର ଉତ୍ସରୁ ଝରିଲା ଆଶାର ଝର 

ରିକ୍ତ ପ୍ରାଣ ସିକ୍ତ ହୋଇ ସଞ୍ଚାରିତ ହେଲା ରକ୍ତ 

ମୋ ବିଶ୍ଵାସ ଫେରି ଆସିଲା ପୁଣି ଥରେ 

ଆଖି ପୁରାଇ ତୁମକୁ ଦେଖିଲା ପରେ...

ବରଷା ବରଷୁ ନଥିଲା ବିରହ ବିଘ୍ନର ତାତିରେ 

ଦୁର୍ଭାବନା ଦୁଃଚିନ୍ତାର ଭସା ମେଘମାଳା 

ଆଚ୍ଛନ୍ନ କରି ରଖିଥିଲା ମୋ ମନ ଆକାଶକୁ 

ବିଜୁଳିର ଚମକ ଆଉ ବଜ୍ରପାତରେ 

ମୋ କୋମଳ ହୃଦୟ ହେଉଥିଲା ଫାଳ ଫାଳ 

ମୁଁ ବଞ୍ଚି ରହି ପାରୁ ନଥିଲି ମୋ ଭିତରେ 

ଜୀବନଟା ଲାଗୁଥିଲା ଜଳ ବିନା ମାଛ ପରି 

ଛଟପଟ ହେଉଥିଲା ମରୁର ଉତ୍ତପ୍ତ ବାଲୁକାରେ 

ମାୟାବିନୀ ମରୀଚିକା ମାରୁଥିଲା ତାର ମାୟାରେ 

ପୁନର୍ବାର ମୁଁ ଜୀଇଁ ଉଠିଲି ମୋ ନିଜ ଭିତରେ 

ପାଇଲି ଆଶ୍ଵସ୍ତି ତୁମକୁ ଦେଖିଲା ପରେ....

ଅଦ୍ଭୁତ ପରିବର୍ତ୍ତନ ଦେଖିଲି ମୁଁ ତୁମଠାରେ 

ତୁମେ ଲାଗୁଥିଲ ଫଗୁଣର ସଜଫୁଟା ଫୁଲଟିଏ 

ଝଲସୁଥିଲା ତୁମ ରୂପ ଲାବଣ୍ୟ ମହକ ବିତରି 

ସ୍ତବ୍ଧ କରି ମୁଗ୍ଧ କରିଦେଲ ମୋତେ ତୁମେ 

ପ୍ରୀତିର ଫଗୁ ରଙ୍ଗେ ଖେଳିଲା ସପନ ତରଙ୍ଗ 

ପୁଲକିତ ହେଲା ମୋ ପ୍ରାଣ ତୁମ ପ୍ରେମରେ 

ଆକାଂକ୍ଷାର ଆଶ୍ରିତ ଇଚ୍ଛା ସବୁ ହେଲା ବିସ୍ତାରିତ 

ଦୁର୍ଗ ଜିଣିଯାଏ ଦୁର୍ବାର ଜୀବନ ସଂଗ୍ରାମରେ 

ଏବେ ସୁଗମ ଲାଗେ ଲକ୍ଷ୍ୟର ଚଲାପଥ 

ସୁଖ ସାଉଁଟି ସାଇତି ରଖେ ମୁଁ ହାତ ମୁଠାରେ 

ମୋ ପ୍ରେମ ସତ ହେଲା ତୁମକୁ ଦେଖିଲା ପରେ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance