ତୁମକୁ ଦେଖିଲା ପରେ
ତୁମକୁ ଦେଖିଲା ପରେ


ଥିଲି ମୁଁ ଭାରାକ୍ରାନ୍ତ ଆଶଙ୍କାର ନୈରାଶ୍ୟରେ
ଶୀତଳ ବରଫ ଖଣ୍ଡ ପରି ଜମାଟ ବାନ୍ଧି
ସଂକୁଚିତ ହେଉଥିଲା ମୋ ଇପ୍ସା ଲିପ୍ସା ସବୁ
ଚେତନା ହଜାଇ ପାଲଟି ଯାଉଥିଲି
ନିର୍ବାକ୍ ନିସ୍ପନ୍ଦ ନିଶ୍ଚଳର ଏକ ଜଡ଼ ପିଣ୍ଡ
ମୋ ସତ୍ତାର ସତ୍ୟ ନ ଥିଲା ମୋ ଭିତରେ
ସବୁ କିଛି ବଦଳିଗଲା କ୍ଷଣିକରେ
ଭାବନାର ଉତ୍ସରୁ ଝରିଲା ଆଶାର ଝର
ରିକ୍ତ ପ୍ରାଣ ସିକ୍ତ ହୋଇ ସଞ୍ଚାରିତ ହେଲା ରକ୍ତ
ମୋ ବିଶ୍ଵାସ ଫେରି ଆସିଲା ପୁଣି ଥରେ
ଆଖି ପୁରାଇ ତୁମକୁ ଦେଖିଲା ପରେ...
ବରଷା ବରଷୁ ନଥିଲା ବିରହ ବିଘ୍ନର ତାତିରେ
ଦୁର୍ଭାବନା ଦୁଃଚିନ୍ତାର ଭସା ମେଘମାଳା
ଆଚ୍ଛନ୍ନ କରି ରଖିଥିଲା ମୋ ମନ ଆକାଶକୁ
ବିଜୁଳିର ଚମକ ଆଉ ବଜ୍ରପାତରେ
ମୋ କୋମଳ ହୃଦୟ ହେଉଥିଲା ଫାଳ ଫାଳ
ମୁଁ ବଞ୍ଚି ରହି ପାରୁ ନଥିଲି ମୋ ଭିତରେ
ଜୀବନଟା ଲାଗୁଥିଲା ଜଳ ବିନା ମାଛ ପରି
ଛଟପଟ ହେଉଥିଲା ମରୁର ଉତ୍ତପ୍ତ ବାଲୁକାରେ
ମାୟାବିନୀ ମରୀଚିକା ମାରୁଥିଲା ତାର ମାୟାରେ
ପୁନର୍ବାର ମୁଁ ଜୀଇଁ ଉଠିଲି ମୋ ନିଜ ଭିତରେ
ପାଇଲି ଆଶ୍ଵସ୍ତି ତୁମକୁ ଦେଖିଲା ପରେ....
ଅଦ୍ଭୁତ ପରିବର୍ତ୍ତନ ଦେଖିଲି ମୁଁ ତୁମଠାରେ
ତୁମେ ଲାଗୁଥିଲ ଫଗୁଣର ସଜଫୁଟା ଫୁଲଟିଏ
ଝଲସୁଥିଲା ତୁମ ରୂପ ଲାବଣ୍ୟ ମହକ ବିତରି
ସ୍ତବ୍ଧ କରି ମୁଗ୍ଧ କରିଦେଲ ମୋତେ ତୁମେ
ପ୍ରୀତିର ଫଗୁ ରଙ୍ଗେ ଖେଳିଲା ସପନ ତରଙ୍ଗ
ପୁଲକିତ ହେଲା ମୋ ପ୍ରାଣ ତୁମ ପ୍ରେମରେ
ଆକାଂକ୍ଷାର ଆଶ୍ରିତ ଇଚ୍ଛା ସବୁ ହେଲା ବିସ୍ତାରିତ
ଦୁର୍ଗ ଜିଣିଯାଏ ଦୁର୍ବାର ଜୀବନ ସଂଗ୍ରାମରେ
ଏବେ ସୁଗମ ଲାଗେ ଲକ୍ଷ୍ୟର ଚଲାପଥ
ସୁଖ ସାଉଁଟି ସାଇତି ରଖେ ମୁଁ ହାତ ମୁଠାରେ
ମୋ ପ୍ରେମ ସତ ହେଲା ତୁମକୁ ଦେଖିଲା ପରେ ।