ପ୍ରକୃତି ରାଣୀ ମୋ ଭାରି ଫୁଲେଇ
ପ୍ରକୃତି ରାଣୀ ମୋ ଭାରି ଫୁଲେଇ


ପ୍ରକୃତି ରାଣୀ ମୋ ଭାରି ଫୁଲେଇ
ତା' ରୂପ କୁହୁକେ ନିଏ ଭୁଲାଇ,
ଉଇଁଲେ ସୂରୁଜ ଉଷା ଆସଇ
ସୁନେଲି କିରଣେ ହସି ଉଠଇ ସେ,
ହସ ତାର କିଣେ ମନ ଯେ
ଆଖି ରଖେ ଲୟ ଦୂର ହୁଏ ଭୟ
ସନ୍ତୋଷ ହୁଅଇ ପ୍ରାଣ ଯେ।୧।
ବରଷା ବରଷି ଦିଏ ଗାଧୋଇ
ତନୁ ତୀର୍ଥ ତାର ଶୁଭ୍ର ଦିଶଇ,
ସବୁଜ ବସନେ ଅଙ୍ଗ ଲୁଚାଇ
ମାନ ତାର ରଖେ ଶିରୀ ବଢାଇ ସେ,
ଆଣି ଦିଅଇ ସମୃଦ୍ଧି ଯେ
ସୁଜଳା ସୁଫଳା ମୁଖ ମଧୁ ବୋଳା
ସାଧନାରେ ଦିଏ ସିଦ୍ଧି ଯେ।୨।
ଋତୁ ଆସେ ଭବେ ବାରତା ନେଇ
ଶୁଭ ସନ୍ଦେଶରେ ମନ ନାଚଇ,
ପ୍ରକୃତି ରାଣୀ ମୋ ହୁଏ ସଜେଇ
ଅଙ୍ଗେ ଅଳଙ୍କାର ଖଞ୍ଜି ହୁଅଇ ସେ,
ସୁଷମା ପ୍ରକଟି ଉଠେ ଯେ
ଚମକେ ତା' ଶୋଭା ବିକଶିଲେ ଆଭା
ସୁଧା ଝରେ ମଧୁ ଓଠେ ଯେ।୩।
ଅନିନ୍ଦ୍ୟ ସୁନ୍ଦରୀ ନବ ନବୀନା
ରମଣୀ ପ୍ରାୟେକ ଦିଶେ ଲଳନା,
ବେଶ ସାଜି ହୁଏ ଅଭିସାରିକା
ପ୍ରିୟକୁ ଡ଼ାକେ ତା' ନ ରହି ଏକା ସେ,
କାନ୍ତ କାନ୍ତା ଏକ ଆତ୍ମା ଯେ
ମିଳି ବେନି କାୟା ପ୍ରକାଶନ୍ତି ଦୟା
ବଢ଼େ ପ୍ରେମର ମହିମା ଯେ।୪।
ଆସିଲେ ଫଗୁଣ ରୂପେ ଦ୍ଵିଗୁଣ
ହୁଅଇ ମୋ ରାଣୀ ଜିଣଇ ମନ,
ମନ ଉପବନେ ଫୁଟେ ସୁମନ
ରଙ୍ଗରେ ରଙ୍
ଗାଇ ଦିଏ ଜୀବନ ସେ,
ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ ଭରି ଯେ
ଭାବର ପ୍ରବଣେ ହୃଦେ ପ୍ରୀତି ବୁଣେ
ରଖିଥାଏ ମୁଗ୍ଧ କରି ଯେ।୫।
ବାର ମାସେ ବାର ବେଶ ହୁଅଇ
ରୂପ ଲାବଣ୍ୟରେ ନୂଆ ଦିଶଇ,
ରସରେ ରସାଇ ରଖେ ମଜାଇ
ନାଚି ଖେଳି ହସି ଦିଏ ହସାଇ ସେ,
ମନ ମୋହିନୀ ରୂପସୀ ଯେ
ଶୋଭାର ଭଣ୍ଡାର ନାହିଁ ପଟାନ୍ତର
ଭରି ଦିଏ ହସ ଖୁସି ଯେ।୬।
ଗିରି ଶିରୀ ଠାରୁ ନଦୀ ସାଗର
ବିଲ ବଣ ଠାରୁ ମୁକ୍ତ ପ୍ରାନ୍ତର,
ଶୋଭାରେ ବିମଣ୍ଡେ ସାରା ଭୁବନ
ପବନ ପ୍ରବାହେ ଦିଏ ଚୁମ୍ବନ ସେ,
ଭଲ ପାଏ ତାକୁ ଧରା ଯେ
ତ୍ୟାଗ ସମର୍ପଣେ ଶାନ୍ତି ତୃପ୍ତି ଆଣେ
ଚଳାଏ ଜୀବନଧାରା ଯେ।୭।
ପ୍ରକୃତି ପୁରୁଷ ସୃଷ୍ଟିର ତତ୍ତ୍ବ
ମିଳନେ ବୁଝାନ୍ତି ତାର ମହତ୍ତ୍ଵ,
ତା' ପ୍ରେମରେ ବଞ୍ଚେ ଜୀବଜଗତ
ସାରା ସଂସାରର ରଖେ ମହତ ସେ,
ସଭିଏଁ ହୁଅନ୍ତି ବଶ ଯେ
କୋଳରେ ତାହାର ଏ ସଚରାଚର
ରହିଥାଏ କରି ବାସ ଯେ।୮।
ପ୍ରକୃତି ରାଣୀ ମୋ ଭାରି ଫୁଲେଇ
ବିଗିଡ଼ି ରୁଷିଲେ ଦିଏ କନ୍ଦେଇ,
ଝଡ଼ ବାତ୍ୟା ବନ୍ୟା ନେଇ ଆସଇ
ଚଣ୍ଡି ରୂପ ଧରି ନାଶି ଦିଅଇ ସେ,
ହୋଇଲେ କରୁଣାମୟୀ ଯେ
ପ୍ରଗତିର ପଥେ ନିଏ ତାର ସାଥେ
ସିଏ ତ ମମତାମୟୀ ଯେ।୯।