STORYMIRROR

Pratima Satpathy

Abstract

3  

Pratima Satpathy

Abstract

ମିତ ପାଇଁ ଗୀତଟିଏ

ମିତ ପାଇଁ ଗୀତଟିଏ

1 min
269


ତୁମ ପାଇଁ ମିତ, ଲେଖୁଛି ମୁଁ ଗୀତ

    ଭୁଲିମୁଁ ପାରୁନି ତୁମକୁ

ତୁମେ ଚାଲିଗଲ, ମୋତେ ଭୁଲିଗଲ

    ଚାହିଁଛି ତୁମରି ବାଟକୁ

      କେବେ ଆସିବ

ମୋର ସାଙ୍ଗରେ ଯେ ଖେଳିବ

ଏ ଦୁର୍ଗାପୂଜାରେ ,ତୁମରି ସାଙ୍ଗରେ 

   ସମୟ ମୋହର କଟିବ.

ତୁମ ବାପାଙ୍କର, ଯେ ଭୁବନେଶ୍ୱର

   ବଦଳି ଯେବେ ହୋଇଗଲା

ତୁମେ ଚାଲିଗଲ, ସେଠାରେ ରହିଲ

   ହୋଇଗଲି ମୁହିଁ ଏକଲା

      ତୁମରି ସ୍ମୃତି

ଭୁଲିପାରିବି ମୁଁ କେମିତି

ଆମେ ସାଙ୍ଗ ହୋଇ , ଖେଳୁଥିଲେ ଯାଇ

    ପାଳ ଗଦାର ମୂଳେ ନିତି.

 ସାଙ୍ଗସାଥି ହୋଇ, କୁଆଁର ପୁନେଇଁ 

   ଓଷା କରୁଥିଲେ ଖୁସିରେ

ଅଳତା ଓ ବିନ୍ଦି, ନୂଆ ଜାମା ପିନ୍ଧି 

    ବୁଲୁଥିଲେ ଗାଆଁ ଦାଣ୍ଡରେ

       ସାଥି ମେଳରେ

   ଗୀତ ବୋଲି ମନ ଖୁସିରେ.

ବାଲିଘର ତୋଳି, ଚାନ୍ଦ ପୂଜାକରି

   ପକାଉଥିଲେ ପୋଖରୀରେ.

ଆସିଗଲେ ରଜ, ହୋଇ ସଜବାଜ

   ଆନନ୍ଦେ ଦୋଳି ଖେଳୁଥିଲେ 

ପୋଡ଼ ପିଠା ଖାଇ, ବୁଲି ସାଇ, ସାଇ

   ରଜ ପାନ, ଦିଆ ନିଆରେ

     ହର୍ଷ ମନରେ

ଦିନ ଯାଉଥିଲା କଟିରେ

ଭାବି ସେହିକଥା, ମନ ମୋର ବ୍ୟଥା

   ହେଉଅଛି ଓଷା ବାରରେ

ପିଲାଦିନ ସାଥି, ସେ ଅଭୁଲାସ୍ମୃତି

   ଜୀବନରେ ଭୁଲି ହୁଏନା

ହଜିଲା ଅତୀତ, ମିଳିବ ନାହିଁତ

  ଯେତେ କରୁଥିଲେ ଭାବନା

     ସାଙ୍ଗ ମୋହର

  କେବେ ଆସିବ ଆମଘର

ଚାତକ ପରାୟ ,ହୋଇଣ ଅଥୟ

   ଅପେକ୍ଷାରେ ଅଛି ତୁମର

ମନର କଥାକୁ, କୁହଇ ମିତକୁ

    କାହାକୁ ହୁଏ ନାହିଁ କହି

ସାଙ୍ଗ ଅଟେ ଶ୍ରେଷ୍ଠ, ସବୁ କଥା ସ୍ପଷ୍ଟ

    ତାହା ସଙ୍ଗେ କରି ହୁଅଇ

   ବାପା ଓ ମାଆ

ଭାଇ, ଭଉଣୀ, ଓ ତନୟା.

ଏମାନଙ୍କୁ କେବେ କହି ହୁଏ ନାହିଁ

    ମନଭିତରେ ଅଛି ଯାହା.

ଆସ ପ୍ରାଣ ମିତ, ତୁମ ପାଇଁ ଗୀତ

   ଲେଖିକି ଚାହିଁଛି ଅନାଇ

ଆସିଲେ ପାଖକୁ, ଦେବି ପଢିବାକୁ

   ପଢି ଆନନ୍ଦ ଯିବ ହୋଇ

      ଖୁସି ମନରେ

  କୁଣ୍ଢେଇବ ମୋତେ ଅଧିରେ

ହାତେ ଛନ୍ଦି ହାତ, ବୋଲିବ ହେ ମିତ

   ରହିବି ମୁଁ ତୁମ ପାଖରେ.


Rate this content
Log in

Similar oriya poem from Abstract