ଚିଲିକା
ଚିଲିକା


ଏସିଆ ସୁନ୍ଦରୀ ଚିଲିକା ଆମରି
ନାହିଁ ଆଉ ଆଗ ପରି ,
ମରାଳ ମାଳିନୀ ନୀଳାମ୍ବୁ ଚିଲିକା
ସୁନ୍ଦର ଗଲାଣି ସରି।
ନୀଳ ଜଳରାଶି ରହିଛି ଅନାଇ
ମରାଳ ଦେଖା ନାହାନ୍ତି,
ଜଳଚର ପ୍ରାଣୀ ଉଭେଇ ଗଲେଣି
ପକ୍ଷୀ ବି ଆଉ କାହାନ୍ତି ।
ଶିକାରୀ ମାନଙ୍କ ପାଇଁ ଆଜି ପରା
ଚିଲିକା ଶ୍ରୀହୀନା ହାଏ ,
ମଣିଷ ମାନଙ୍କ ବଦ୍ ଅଭ୍ୟାସରୁ
ଚିଲିକା ହ୍ରଦ ଗନ୍ଧାଏ ।
ଚିଲିକା କୂଳରେ କୁଢ଼ କୁଢ଼ ହୋଇ
ଅଳିଆ ଓ ଆବର୍ଜ୍ଜନା,
ପଲିଥିନ୍ ଠାରୁ ପ୍ଲାଷ୍ଟିକ ବୋତଲ
ପ୍ଲେଟ୍ ହୋଇଅଛି ଜମା ।
ମାଆ କାଳିଜାଈ ପାହାଡ଼ ଉପର
ଦୃଶ୍ୟ ଅତ୍ୟନ୍ତ ଗମ୍ଭୀର ,
ଭୋଜି ଖାଇ ସବୁ ଫିଙ୍ଗି ଫୋପାଡ଼ିକି
କରିଛନ୍ତି ନାରଖାର।
ସୁନ୍ଦର ପାହାଡ଼ ରାସ୍ତାର ଉପରେ
ମଳ ମୂତ୍ର କରିଛନ୍ତି ,
ବୃକ୍ଷ ଲତା କାଟି ବଣ ଭୋଜି କରି
ପାଉଁଶକୁ ଫିଙ୍ଗିଛନ୍ତି ।
ମାତାଙ୍କ ମହିମା କୂଅଟିର କଥା
ନଲେଖିଲେ ବହୁ ଭଲ,
ଏ, ପ୍ରକୃତି ଛଡ଼ା ମଣିଷଙ୍କ ପାଇଁ
ତାହା ଆଜି ଏକ ଖାଲ ।
ଚଢ଼େଇହଗାର ପାହାଡ଼ ଉପରେ
ପାଣିକୁଆ ଟିଏ ନାହିଁ ,
ପାହାଡ଼ ଉପରେ ମାଫିଆଙ୍କ ପାଇଁ
ପଥର ବି, ଆଉ ନାହିଁ ।
ଚିଲିକା ଭିତରେ ଆଗ ପରି ଆଉ
ପାଣିରେ ଆସୁନି ଢେ଼ଉ ,
ପୋତି ହୋଇଲାଣି ଚିଲିକା ପଙ୍କରେ
ଶୋଭା ବଢ଼ାଉନି ଆଉ।
କି 'ସୁନ୍ଦର ଥିଲା ରୂପସୀ ଚିଲିକା
ଆଖି ଯାଉଥିଲା ଲାଖି ,
ମଟର ଡ଼ଙ୍ଗାର କର୍କଶ ଶବ୍ଦରେ
ନୀଳ ଜଳ ଅଛି ସାକ୍ଷୀ।
ମାଆ କାଳିଜାଈ ତୋ'ପୀଠ ସ୍ଥଳୀ କୁ
କୋଟିକୋଟି ଦଣ୍ଡବତ ,
ସଦ୍ ବୁଦ୍ଧି ଦେ, ମା' ମୁଢ଼ ମଣିଷଙ୍କୁ
ଚିଲିକା ରହୁ ଅକ୍ଷତ ।