ସମ୍ପର୍କର ବାସ୍ନା
ସମ୍ପର୍କର ବାସ୍ନା
ଆଜି ଦୁନିଆରେ ଶ୍ରଦ୍ଧା, ସ୍ନେହ ଭାବ
କେଜାଣି କିପରି ବୁଣା ହେଉଛି ,
ଅବିଶ୍ବାସ ବୀଜ ଅଙ୍କୁରିତ ହୋଇ
କଳୁଷ ବାସ୍ନାରେ ମହକୁ ଅଛି ।
ବାଧ୍ୟ ବାଧକତା ନୁହଁଇ ସମ୍ପର୍କ
ଯଦି ଆବିଳତା ମନରେ ଥାଏ,
ଆପଣା ହେବାଠୁ ପର ହେବା ଭଲ
ବନ୍ଧନରେ ଯଦି ମିଠା ନଥାଏ।
ମନର ଶାନ୍ତିଟି ମିଳେ ସେହିଠାରେ
ଯେଉଁଠି ନିଜର ମନଟି ଚାହେଁ ,
ହୃଦୟ ସେଦିନ ଆପଣାର ଲାଗେ
ଯଦି ସମ୍ପର୍କରେ ମଧୁର ଥାଏ ।
ମନ କି ବୁଝଇ ହୃଦୟର ଭାଷା
ଡେଣା ଝାଡ଼ିବାକୁ ସଦା ତତ୍ପର ,
ଥରେ ଉଡ଼ିଗଲେ ଶୂନ୍ୟ ଆକାଶରେ
ନିଜର ଲାଗନ୍ତି କେତେ ଯେ ଦୂର ।
ଜୋର୍ ଜବର୍ ରେ ମନକୁ ବାନ୍ଧିଲେ
ବନ୍ଧନଟି ସଦା ଫିକା ଲାଗିବ ,
ମନ ଯେଉଁଠାରେ ପରତିବ ନାହିଁ
ହୃଦୟ ବା କାହୁଁ ଆପଣା ହେବ।
ଶୂନ୍ୟ ବେଭାରରେ ଶୂନ ହିଁ ମିଳିବ
ଦେଖାଣିଆ ଭାବ ଅଭାବ ହେବ,
ଅଭାବି ମନରେ ଭାବକୁ ଖୋଜିଲେ
ଆତ୍ମିୟତା ଭାବ କାହୁଁ ମିଳିବ।
ମନ ଓ ହୃଦୟ ଏକାଠି ହୋଇଲେ
ସେ ହୁଏ ସବୁଠୁଁ ଅମୂଲ୍ୟ ଧନ ,
ମନ ମିଶିଗଲେ ହୃଦୟ ମିଶିଲେ
ବଢ଼ିଯାଏ ଶତ ତାହାରି ମାନ ।
ଅତି ସୌଭାଗ୍ୟରେ ଏପରି ବନ୍ଧନ
ମଧୁର ସମ୍ପର୍କ ତାହାରି ନାମ,
ଅସମ୍ଭବ ଆଜି ଏପରି ସମ୍ପର୍କ
ପ୍ରଭୁ ବିନା କେହି ନୁହଁଇ ଜନ ।
