ବୋଉ କୁ ଚିଠି . . .
ବୋଉ କୁ ଚିଠି . . .


କ'ଣ ମୁଁ ଆଉ ଲେଖିବି ଲୋ ବୋଉ
ତୁ ମୋତେ ଯାଇଛୁ ଭୁଲି ,
ବିବାହ ଦେଇ ତୁ ପର କଲୁ ମୋତେ
ହେଲେ ମନେ ତୁ ପଡୁଛୁ ଖାଲି |
ବିଦାୟ ଦେଇ ତୁ କହିଥିଲୁ ମୋତେ
ଝିଅ ଦେଖିବୁ ନିଜ ସଂସାର ,
ମାତ୍ର ଏଠାରେ ବୋଉ ଲୋ ମନେ ପଡୁ ତୁହି
ଖୋଜେ ଖାଲି ତୋର କୋଳ |
ମିଛଟା ରେ ସିନା ଓଠରେ ମୋହର
ଭରିଅଛି ଆଜି ହସ ,
ଯେବେ ରୋଷେଇ ଘରେ ମୁଁ ତୋ କଥା ଭାବଇ
ମନେ ପଡେ ତୋ ପରସ |
ବିବାହ ଦେଇ ତୁ ବୁଝାଇ କହିଲୁ
ମା’ ଲୋ ସେଠି ଅଛି ସ୍ଵର୍ଗ ସୁଖ ,
କିନ୍ତୁ ତୋ ବିନା ବୋଉ ଲୋ
ସ୍ଵର୍ଗରେ ବି ଭରା ନରକ ପରିକା ଦୁଃଖ |
ଏଠି ସ୍ଵାମୀ ଙ୍କର ରାଗ ଶାଶୁ ଶଶୁର ଙ୍କ ମନ
ନେଇ ମୁଁ ସଦା ଚଳୁଛି ,
ହେଲେ କେଜାଣି କେମିତି ଭୁଲ ହୋଇଗଲେ
ମୁଁ ସଦା ବଳି ପଡୁଛି |
ଏତେ ବଡ ମୋତେ କରିଲା ପରେ ତୁ
କାହିଁ କରିଦେଲୁ ପରଗୋତ୍ରୀ ?
ସଂସାର ସାଗରେ ଭସାଇ ତୁ ମୋତେ
ଦେଇଅଛୁ ସିନା ଶାସ୍ତି !
ଏ ଦୁନିଆଟା ଏକ ରଂଗମଂଚ ବୋଉ
ତୁ ମୋତେ ବୁଝାଇ ଥିଲୁ ,
ମାତ୍ର ସେ ରଂଗମଂଚରେ ଏତେ କଷ୍ଟ ଅଛି
କେବେ ତ କହି ନଥିଲୁ ?
କି ପାପ କରିଥିଲି ମୁଁ ବୋଉ
ଏମିତି କରିଦେଲୁ ମୋତେ ପର ,
ଭାଇ କୁ ତ ସଦା ପାଖେ ତୁ ରଖିଲୁ
ହେଲେ ମୋତେ ଦୁରାଇ କାନ୍ଦିଲା
ନାହିଁ କି ତୋ ଅନ୍ତର ?
ଝିଅ ବୋଲି ବୋଉ ପର କରିଦେଲୁ
ଏ କି ଥିଲା ତୋର ଅଭିଶାପ ,
ଅଭିଶାପ ଯଦି ଦେବାର ଥିଲା ତୋ
ତେବେ ଦେଉଥିଲୁ କାଇଁ ଜନ୍ମ ?
ଜନ୍ମ ଯେବେ ଦେଲୁ ଏନ୍ତୁଡ଼ି ଶାଳରେ
କାଇଁ ସେବେ ନ ମାରିଲୁ ;
ଜଞ୍ଜାଳ ଜାଲରେ ଛନ୍ଦି ଦେଇ ମୋତେ
ଭାରି ହୀନିମାନ ତୁହି କଲୁ |
ଦୁଃଖ ବୋଲି ବୋଉ ଦୁଇପଦ କଥା
କହିପାରେନା ତୋ ଆଗେ ଖୋଲି ,
କାଳେ ତୁ ଭାବିବୁ ତୋ ଜ୍ଵାଇଁ ଙ୍କୁ ଭୁଲ
ତୋ ଝିଅର ଦୁଃଖ ବୁଝନ୍ତି ନାହିଁ ସେ ବୋଲି |
ଜ୍ଵାଇଁ ବୋଲି ତୁ ଯା’ ହାତେ ଦେଲୁ ଲୋ
ମୋ ଭାଗ୍ୟର ଏ ଡୋରି !
ତାଙ୍କୁ ଯଦି ବୋଉ କାଲି ତୁ ନିନ୍ଦିବୁ
କହ ସହିବି ମୁଁ କିପରି ?
ଦୁହିତା ଯେ ଦୁଇ କୂଳକୁ ମୁଁ ହିତା
ଜାଣେ ସଂସାର ର ଇଏ ରୀତି ,
ତଥାପି ସବୁ ଜାଣି ସବୁ ଶୁଣିବି ମୁଁ ବୋଉ
ସଦା ଅବୁଝା କାଇଁ ଏମିତି ?
ଅବୁଝା ଝିଅ ତୋ ଏବେ ପାଗେଳୀ ହେଲାଣି
କେବେ ଶାଶୁ ଙ୍କର ମାନ
ଆଉ କେବେ ତୋ ଅଭିମାନ କୁ ସମ୍ଭାଳି ,
ସଂସାର ଜୀବନ ଭାରି କଷ୍ଟ ଜାଣୁ
ତା’ ପରେ ବି ତୁ କରୁ ମୋ ସାଥେ କଳି ;
ଆଜି ତୋର ମୋର କହି ବାପା ଭାଗ ବାଣ୍ଟି ଦିଅନ୍ତି
ଆମ ଏତେ ବର୍ଷର ସମ୍ପର୍କ କୁ ,
ଭାବ , ସେବେ କେତେ କଷ୍ଟ ହେଉଥିବ ମୋତେ
ଯେବେ ସେ କୁହନ୍ତି
“ଝିଅ ଦେଖିବୁ ସିନା ତୁ ତୋ ନିଜ ଘର କୁ’’ |
କାଲି ଯାଏଁ ପରା ଥିଲି ଲୋ ମୁଁ ବୋଉ
ହୋଇ ତୁମ ଆଖି ର ଦୁଇ ମୁକୁତା ,
ହଠାତ କେମିତି ଆଜି ମୁଁ ହୋଇଗଲି ପର
ଏବେ ବାରଣ କରୁଛୁ ଦେବାକୁ
ଲକ୍ଷ୍ମୀ ଭୋଗ ରୁ ଅଧା ;
ମୋ ବିବାହ ପରେ ହୋଇଗଲୁ ସିନା
ବୋଉ ତୁ ଜଞ୍ଜାଳ ମୁକ୍ତ ,
ହେଲେ ସବୁ ଦିନ ପାଇଁ ମୋ ସ୍ଵାଧୀନତା ଲୋ
ହୋଇଯାଇଛି ସମାପ୍ତ |
ଯେବେ ପଢ଼ିବୁ ତୁ ବୋଉ ମୋର ଏ ଚିଠି ଟି କୁ ଖୋଲି
ସେବେ ଜାଣେ ଝରିବ ଲୁହ ତୋ ଆଖିରୁ ,
ଝିଅ ଜନମ ଲୋ ବୋଉ କେତେ ଦହଗଞ୍ଜ
ତୁ ଜାଣି ଥିବୁ ନିଶ୍ଚେ ମୋ ଆଗରୁ ?