ଚଉସ୍ତରୀ ବର୍ଷ ପରେ - -
ଚଉସ୍ତରୀ ବର୍ଷ ପରେ - -
ପିଲାଙ୍କ ଗହଳି ଚହଳି ବିନା
ଦେଶାତ୍ମବୋଧକ ସମବେତ ସଂଗୀତ ବିନା
ଭାରତ ମାତା କି ଜୟ
ଛାତି ପକେଟରେ ପିନ୍ କେଞ୍ଚା
କୁନି ପତାକା ବିନା
ମହାତ୍ମାଗାନ୍ଧୀ କି ଜୟ
ଚମ୍ ଚମ୍ ଧଳା ପୋଷାକରେ ତ୍ରିରଙ୍ଗା ରିବନ୍ ବିନା
ସୁବାଷ ବୋଷ କି ଜୟ
ବ୍ୟାଣ୍ଡ ବାଜା ବିଗୁଲ୍ ବିନା
ଜାତୀୟ ପତାକା କି ଜୟ
ମାର୍ଚ୍ଚ୍ ଫାଷ୍ଟ୍ କଦମ୍ ତାଲ୍ ବିନା
ସ୍ଵାଧିନତା ଦିବସ କି ଜୟ
କାହିଁ ଆଜି ଲାଗୁଥିଲା
ରଙ୍ଗରସ ଉଭାନ ସରାଗବିହୀନ
ବର୍ଷା ଭିଜା ଜାତୀୟ ପତାକା ଉତ୍ତୋଳନ
ଚଉସ୍ତରୀ ବର୍ଷ ପରେ
ଭାରତବର୍ଷ ଅର୍ବାଚୀନ ।
ମନ ଦେଖୁଥିଲା ଧୂଆଁଳିଆ ଅଭୁଲା ପ୍ରତ୍ୟୁଷ ପ୍ରଭାତ ଫେରି
ସ୍କୁଲ ବେଳର ସେ ଜାତୀୟ ପତାକା ଉଡ଼େ ଫରଫର ଦିନ ସବୁରି
ରାମଧୁନ ଗାଇ ଗଳା ଫଟେଇ ଗାଁ ଗଣ୍ଡା ଭୁଇଁ ଧାଡ଼ି ଲଗେଇ
ଭାଷଣ ଗୀତ ନାଚର ତାଳେ ତାଳେ
ଛାତି ଫୁଲେଇ ଜିନ୍ଦାବାଦ ଗାଇ
ଗପି ଗପି ଧାଇଁ ଧାଇଁ
ସିଝା ବୁଟ ମୁଠେଇ
ଜନଗଣ ମନ ଅଧିନାୟକ ଜୟ ହେ
ଜନଗଣ ମନ ଅଧିନାୟକ ଜୟ ହେ ।
ମନୁଆ ମନଟା କରେ ବିଶ୍ଳେଷଣ
ଚୁପଚାପ ପଚାରେ ପ୍ରଶ୍ନ ବିଚକ୍ଷଣ
ଆମେ ସ୍ଵାଧୀନ କି ପରାଧିନ ଚଉସ୍ତରୀ ବର୍ଷପରେ ?
ଦୀନ ଦଳିତ ବୁଭୁକ୍ଷୁ ଜନତା
କାହାର ଅଧୀନ
ଛଅ କମ୍ ଅଶି ବର୍ଷ ପରେ?
ବନ୍ୟା ପୀଡିତ ନିଆଶ୍ରୀ ଜୀବନ
କୋରଡ଼ ଆଖିକୋଣରେ ହଜିଯାଇଥିବା ନିଦୁଆ ମନ
ଭିତରକୁ ପଶି ଯାଇଥିବା ପେଟ ମୁଠାଏ ଅନ୍ନ ବିହୁନ
ସତରେ କ'ଣ ସ୍ଵାଧୀନ
ସାତ ଦଶନ୍ଧି ପରେ ?
ଦେଶ ପାଇଁ ମରଣ ବରଣ
ବିଶ୍ଵ ପାଇଁ ନିଃସ୍ୱ ସମର୍ପଣ
ତ୍ୟାଗ ପାଇଁ ଭୋଗ ବାରଣ
ଗଣତିରେ କାହିଁକି ନିଉନ ?
ଦେଶପ୍ରେମ ସର୍ବାଗ୍ରେ ସଂଗ୍ରାମୀ ବୀର
ନର ଦେହେ ନାରାୟଣ ଶାଶ୍ୱତ ଧୀର
ଖୋଜିଲେ ସଂଖ୍ୟା କାହିଁକି ଶୂନ ?
ନିଜ ଜୀବନର ସୁଖ ସଳିତାକୁ ଜାଳି
ନୟନୁ ଝରେ ହୃଦୟ ଝୁରେ ଦୁଃଖି ସଂଖାଳୀ
ସତରେ କ'ଣ ଆମେ ସ୍ୱାଧୀନ ?
ନୀଳବର୍ଣ୍ଣ ଶୃଗାଳର କୃତ୍ରିମ ହେଣ୍ଟାଳ
ହରରଙ୍ଗୀ ହଟଚମଟରେ ଅସମ୍ଭାଳ ଗରିବି ରେଖା ତଳେ ସବୁ ଦୂର୍ବାଦଳ ।
ଅତୀତ ଓ ଅତୀତର ବ୍ୟଥା ପ୍ରାଣବଳି
ଅତୀତର ବ୍ୟଥା ଜନିତ ବର୍ତ୍ତମାନର ନିଃସଙ୍ଗତା ଆତ୍ମବଳି ।
ନିଦାଘର ଥୁଣ୍ଟା ବେଲଗଛ ପରି
ମୌସୁମୀର ଦୀର୍ଘ ପ୍ରତୀକ୍ଷା କଲା ପରି
ଚହଟିଯାଉ ଦିଗବିଦିଗ ପ୍ରାଚୀ ନବାରୁଣ ଲଗ୍ନ
ସିରି ସିରି ମଳୟ ପଵନରେ ଆଚ୍ଛନ୍ନ
ହେଉ ଦାସ-ବୋଷ-ସିଂହ-ଗୁରୁ-ବେହେରା ମୟ ଜୀବନ ମଗ୍ନ
ଗାଇବାକୁ ଭାରତ ମାତା କି ଜୟ
ମହାତ୍ମା ଗାନ୍ଧୀ କି ଜୟ
ସୁବାସ ବୋଷ କି ଜୟ
ଜାତୀୟ ପତାକା କି ଜୟ
ସ୍ଵାଧୀନତା ଦିବସ କି ଜୟ
ସୁବିଧାବାଦୀ ବର୍ଗ ଭିତରୁ
ଗଣତନ୍ତ୍ର ନାମକ ମେହିଖୁଣ୍ଟରେ ବନ୍ଧା
ବେଙ୍ଗଳାରେ ଛନ୍ଦା
ଘୁରି ବୁଲୁଥିବା ବନ୍ଦା
ବଳଦମାନଙ୍କ ଭିତରୁ
ଆଗାମୀ ପନ୍ଦର ଅଗଷ୍ଟକୁ
ଆଗାମୀ ସ୍ଵାଧୀନତା ଦିବସକୁ ।