ଅନ୍ତିମ ଅଭିଳାଷା
ଅନ୍ତିମ ଅଭିଳାଷା
କବିତା - ଅନ୍ତିମ ଅଭିଳାଷା
ରଚନା - ପଞ୍ଚାନନ ଜେନା
ତାରିଖ -୨୨-୦୫-୨୦୨୬
++++++++++++++++
ସକାଳ ଆସୁ ଆସୁ ,
କେହି ଜଣେ ସିଞ୍ଚି ଦେଇ ଯାଉଛି ଆଲୋକ
ସଞ୍ଜ ଆସୁ ଆସୁ ,
କେହି ଜଣେ ବିଞ୍ଚି ଦେଇ ଯାଉଛି ଅନ୍ଧାର
ଆଉ ମୋ ପରି ଦୀନ ହୀନ ଅକିଞ୍ଚନ
ପରାର୍ଦ୍ଧେ ଜନ
କେବଳ ଆଖି ଖୋଲୁଛେ - ବୁଜୁଛେ ଘନ ଘନ
ଦେଖିଛେ ଆଲୁଅ- ଅନ୍ଧାରର ରୀତିମତ ଖେଳ
ଦେଖୁଛେ ସକାଳ - ସଞ୍ଜର ଋତୁ ପରିମଳ
ସେହି 'କେହି ଜଣେ 'ର ପଶ୍ଚାତ୍ଧାବନ କରି କରି
ବିତିଗଲା ଭରା ଯୌବନ
ଶିଖିବା ଦୂରେ ଥାଉ
ଜିଇଁବାର କଳା କୌଶଳ
ଜାଣି ପାରିଲିନି
ଏ ଅଧମ ଅର୍ବାଚୀନ
ସେହି ସକାଳ - ସଞ୍ଜର ତତ୍ତ୍ଵକୁ ଅନେଇ ଅନେଇ
ପାଚିଗଲାଣି ସବୁ କଳା ମଚମଚ ବାଳ
ସେହି ଆଲୁଅ-ଅନ୍ଧାର ଖେଳକୁ ଦେଖି ଦେଖୁ
ଘନେଇ ଆସିଲାଣି ଅଣନିଃଶ୍ୱାସୀ ବେଳ
ଜାଣିବା ବେଳକୁ ଆଖି କି ଖୋଲିବ?
ବୁଝିବା ବେଳକୁ ବୁଦ୍ଧି କି କହିବ ?
ଖାଲି ଯାହା ସିଞ୍ଚା- ବିଞ୍ଚା ଚାଲିଥିବ
ଅଦୃଶ୍ୟ ହାତରେ
ମେଞ୍ଚା ମେଞ୍ଚା ଆଲୁଅ-ଅନ୍ଧାର କଳକଳ ଢଳଢଳ
ହେ ମୋର ' ସେହି ଜଣେ '
ପ୍ରଣମ୍ୟ ପ୍ରଣମାମୀ
ହେ ମୋର ଅଦୃଶ୍ୟ ହାତ
ପୂଜନୀୟ ଅନ୍ତର୍ଯ୍ୟାମୀ
ମୁଦିବା ଆଗରୁ ବେନି ନୟନ
ବୁଝେଇ ଦେବ ହେ
ସୃଷ୍ଟିର ଗୁପ୍ତ ସୁପ୍ତ ରହସ୍ୟ ଉନ୍ମୋଚନ
ଅନ୍ତିମ ଅଭିଳାଷା କରିସ୍ୟାମି
ହେ ଚକାନୟନ ହେ କଳା ବଦନ ।
