ପବନ ପିଠିରେ ସୂର୍ଯ୍ୟାସ୍ତ
ପବନ ପିଠିରେ ସୂର୍ଯ୍ୟାସ୍ତ
କବିତା - ପବନ ପିଠିରେ ସୂର୍ଯ୍ୟାସ୍ତ
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୦୬-୨୦୨୬
++++++++++++++++
ପାଦ ମାନେ କ'ଣ ବୁଝକି ?
ପାହୁଣ୍ଡ ପକେଇ ଚାଲିବାର ସାଧନା
ମୋ ମତରେ
ବେଗବତୀ ଇଚ୍ଛାର ମୁକୁଳା ସମ୍ଭାବନା
ପାଦ ଦିଶେନି ସିନା ଚର୍ମ ଚକ୍ଷୁରେ
ମାତ୍ର ବେଳାଭୂଇଁରେ
ସାଗର କେମିତି କୁଢ଼ କୁଢ଼ ସ୍ବପ୍ନ ସାଉଁଟେ ?
ମାତ୍ର ମାଟିମନସ୍କ ଧରଣୀ ରାଣୀ
କେମିତି ଛବି ଆଙ୍କେ
ଲଙ୍ଗଳା ପୁଙ୍ଗୁଳା ଗରିବ ଗୁରୁବା ପିଠି ବକଟେ ?
ଇଚ୍ଛାରେ ଲଗାମ୍ ନ କସୁ
ଲୁହାର ଶିକୁଳିରେ ସନ୍ତୁଳି ନ ଯାଉ ଉଦ୍ଦାମତା
ଜାଲରେ ଛନ୍ଦି ନ ଯାଉ ଦୃଢ ନିଶ୍ଚିତ କୋମଳତା
ନୋହିଲେ ପାଦରେ କଣ୍ଟା ପଶୁ ପଶୁ
ଆଖି କୋଣରୁ ଝରି ପଡ଼ିବ ଉଷୁମ ଲହୁର ଦୁର୍ବଳତା
ମୋ ମତରେ
ପାଦର କି ଆବଶ୍ୟକତା ଅଛି ଯେ ?
କେବଳ ଦିଅ ମୁକୁଳା ଇଚ୍ଛାଫୁଲର ଚାରାଗଛଟେ
ଦେଖିବ , ଛୋଟ ଟି ଯଥେଷ୍ଟ ପର୍ଯ୍ୟାପ୍ତ
ସେଇ କଅଁଳ ଶିରିଷ ମ୍ରିଦୁଳ
ଅସମ୍ଭବର ଅଭୟାରଣ୍ୟରେ
ହୁଗୁଳା ବିଚରଣ କରୁ କରୁ
ଆବିଷ୍କାର କରିଦେବେ ପବନ ପିଠିରେ ସୂର୍ଯ୍ୟାସ୍ତ
