ଶ୍ରୋତାପାଇଁ ଇସ୍ତାହାର
ଶ୍ରୋତାପାଇଁ ଇସ୍ତାହାର
କବିତା - ଶ୍ରୋତାପାଇଁ ଇସ୍ତାହାର
ରଚନା - ପାଞ୍ଚାନନ ଜେନା
ତାରିଖ -୧୭-୦୬-୨୦୨୬
+++++++++++++++++++
କଥା ବି ଅନେକ ବ୍ୟଥା ବି ଅନେକ
ବେଦନା ବି ଅନେକ ଯାତନା ବି ଅନେକ
କହିବାକୁ ଇଚ୍ଛା ବି ଅନେକ ଗପିବାକୁ ମନ ବି ସକପକ
ବଖାଣି ବାକୁ ମନରେ ଭାବନାର ଉଜାଣି ଉଦ୍ରେକ
ହୃଦୟ ଖୋଲି ପକେଇ ବାକୁ ଚେତନା ଜାଗୃତ ଆଗନ୍ତୁକ
କେହି ଜଣେ ମିଳନ୍ତା କି?
ହାତ ପାଆନ୍ତାରେ ମିଳି ଯାଆନ୍ତା କି?
ଭଲ ଶ୍ରୋତା ପରି
ଭଦ୍ର ଶ୍ରବଣକାରୀ ସରି
ନୀରବରେ ଆଗ୍ରହରେ ଶୁଣନ୍ତା କେବଳ
ସେ ବୁଝୁ କି ନ ବୁଝୁ
ମଝିରେ ମଝିରେ ହୁ ..ହାଁ କରି
ମନରେ ଭରନ୍ତା ବଳ ପ୍ରବଳ ଦମ୍ଭ ସାତ ତାଳ
ଭାବିଛି ....
ଖବରକାଗଜରେ ଇସ୍ତାହାର ଦେବି
ଗୁଣମୁଗ୍ଧ ଶ୍ରୋତାଟିଏ ଅଛି ଆବଶ୍ୟକ
ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକୁଲେଟ ବାଧ୍ୟତାମୂଳକ
ଅନୁଗତ ଅବୋଲକରା ପରି ମୌନୀ ଶ୍ରବଣକାରୀ
ତର୍କ-ତର୍ଜମା ଠାରୁ କୋଶେ ଦୂର ମୂରାରୀ
ଦରମା ମାସକୁ ଦଶ ହଜାର
ମାଗଣା ଖାଦ୍ୟ ବସ୍ତ୍ର ରହିବା ଘର
କେବଳ ବୋଲହାକରେ ଲାଗିବ
ବ୍ୟକ୍ତିଗତ ସଚିବ ପରି ଘନିଷ୍ଠ ସହଯୋଗୀ ପରି
ସଞ୍ଚିତ ଗୁପ୍ତଧନ ପରି
କୁହନ୍ତି ବ୍ୟଥିତ ଅତୀତର କଥା
ଅସରନ୍ତି ସଂର୍ଘଷ ଅସଜଡ଼ା ବିମର୍ଷ
କଇଁ କଇଁ କାନ୍ଦ ବୋବାଳିର ବ୍ୟଥା
କୁହନ୍ତି ପୁଣି ବର୍ତ୍ତମାନର ବେଦନା
ଛଳନା
ପ୍ରବଞ୍ଚନାର ଆବର୍ତ୍ତ ସାବର୍ତ୍ତରେ ଆକ୍ତାମାକ୍ତା
ଛାୟାମୂର୍ତ୍ତିମାନଙ୍କର ଗୁମର ଯାତନା
ସ୍ଵାର୍ଥପର ମଣିଷ ମାନଙ୍କ ବିଷୟରେ
ସ୍ୱାର୍ଥାନ୍ଧ ଜନ୍ତୁମାନଙ୍କର ଅଭୟାରଣ୍ୟ ସଂମ୍ବନ୍ଧରେ
ସ୍ୱାର୍ଥ ସର୍ବସ୍ୱ ଅଶରୀରି
ଛଦ୍ମମୁଖା
ରାବଣ - କଂସ- ମହିଷାସୁର ମାନଙ୍କର
ଅସଲି ଚରିତ୍ର ଚିତ୍ରଣର ସଂବେଦନା
ପୁଣି କହନ୍ତି ଆଗତ ଅନାଗତର କାହାଣୀ
ଯାହାର କାରଣ ତଳେ ଚେଇଁ ଶୋଇନି ପେଞ୍ଚ
ଯାହାର ପ୍ରଭାବେ ଫୁଟିବନି ଗୁଳିଗୁଳା ପ୍ରପଞ୍ଚ
ଯାହାର ବିନ୍ଦୁ ବିସର୍ଗରେ ନଥିବ ବିସ୍ଫୋରଣର ଖେଞ୍ଚ
କେବଳ ହସ କୈତୁକର
ହର୍ଷ ବିସାଦର
ଲୋମଟାଙ୍କୁରା ମର୍ମ ବେଦନା
କେବଳ ଛାତି ତଳେ ପୁଞ୍ଜିଭୂତ ଅସନ୍ତୋଷର ବହ୍ନି ଚେତନା
କେବଳ ଆପେକ୍ଷିତ ଆତ୍ମାର
କେଇ ପଦ
ଅକୁହା ପ୍ରେମ ପ୍ରତାରଣାର ସାଙ୍କେତିକ ମିଶ୍ର ଭାବନା
କାରଣ ଶୁଣେଇବାକୁ ଅନେକ ଏଠି
ଶୁଣିବାକୁ ନୁହଁ
କାରଣ ପ୍ରବଚନ ଦେବାକୁ ଅସରନ୍ତି ମୁଠି
ଶ୍ରୋତା ଜଣେ ବି ନୁହଁ
କାରଣ ପବନ କରିବାକ୍କୁ ପଣ ପଣ ଭଣ ଭଣ ଏକାଠି
ଗୁଣମୁଗ୍ଧ ଶ୍ରବଣକାରୀ ହାତ ଗଣତିରେ ବି ନୁହଁ
ଗୁଣଗ୍ରାହୀ ମୌନୀ ଅବୋଲକରା ମିଳନ୍ତିନି କେଉଁଠି
ଭିଡ଼ ଭିତରେ ପିମ୍ପୁଡି ଜନ୍ଦା ପରି କେବଳ ପରିସଂଖ୍ୟାନ
ବେଠି
କାମ ବେଳକୁ
ମୁହଁ ମୋଡି ଦେଇ ସୁଅ ମୁଁହରେ କାଲାପିଠିଆ ଫଁ-ହଁ
