ବିନ୍ଦୁସାଗର
ବିନ୍ଦୁସାଗର
କବିତା - ବିନ୍ଦୁସାଗର
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୬-୨୦୨୬
+++++++++++++++++
ଏ ନଶ୍ବର ଦେହ ପରା ମରଣର ଗଡ଼ଖାଇ
ଏଣୁ ଜୀବନ ଖୋଜେ କଳ୍ପବଟ ଛାଇ
ଏ ନୈରାଶ୍ୟର ନଷ୍ଟ ଭୂଇଁ ପରା ରୋଗ ଶୋକର
ଚରାଭୂଇଁ
ଏଣୁ ଜୀବନ ଖୋଜେ ନିରୋଗ ନିରାମୟ କାୟା ନଈ
ଏ ଦୃଶ୍ୟମାନ ଦେହ ପରା ମୁଠାଏ ପାଉଁଶର କଉଡି ଖଇ
ଏଣୁ ଜୀବନ ଖୋଜେ ଦେହ ଦାହର ଉର୍ଦ୍ଧ୍ଵରେ ନିର୍ବାଣ ଉହ୍ନେଇ
ଭାବନା କେବଳ ଏତିକି...
କଳ୍ପବଟ ଛାଇ ନଥିବା ଜୀବନର
କି ହେବ ଦେବ ଦର୍ଶନ ?
କି ହେବ ବେଦ ପୁରାଣ ପଠନ ପାଠନ ପ୍ରବଚନ ?
କି ହେବ ଭଜନ କୀର୍ତ୍ତିନ ମୃଦଙ୍ଗ ବାଦନ ?
ଚେତନା କେବଳ ଏତିକି.....
ନିରୋଗ କାୟାନଈ ନଥିବା ଜୀବନର
କି ହେବ ଦର୍ପଣ ?
କି ହେବ ତର୍ପଣ ଅର୍ପଣ ସମର୍ପଣ ?
କି ହେବ ଦୟା କରୁଣାର ପ୍ରଦର୍ଶନ ?
ବେଦନା କେବଳ ଏତିକି .....
ନିର୍ବାଣ ଉହ୍ନେଇ ନଥିବା ଜୀବନର
କି ହେବ ସମ୍ପତ୍ତି ଧନ ?
କି ହେବ ମଠ ମନ୍ଦିର ଗମନ ଦର୍ଶନ ଦାନ ପୂଣ୍ୟ ?
କି ହେବ ଚାରି ତୀର୍ଥ ଭ୍ରମଣ ପୂର୍ବକ କଠୋର ବ୍ରତ ପାଳନ ?
ଏଠି ତ ସଭିଏଁ ବ୍ୟସ୍ତ ତ୍ରସ୍ତ ବିବ୍ରତ
ଜୀବନରୁ ଜୀବନକୁ ଫେଡ଼ିବାକୁ
ସମୟରୁ ସମୟକୁ ଯୋଡିବାକୁ
କଡ଼ା ସଂଗ୍ରାମ ଭିତରେ ବଞ୍ଚିବାକୁ
ମାତ୍ର ଅର୍ଥପୂର୍ଣ୍ଣ ଦୁର୍ଲ୍ଲଭ ପଣକୁ ଠେଲିବାକୁ
ସେହି ଚନ୍ଦ୍ରବନ୍ଧନୀର ପରିସୀମା କେନ୍ଦ୍ରକୁ
ଆଉ ରହିଲା କିସ ଯେ ଚମତ୍କାର ଦେଖିବାକୁ ?
ରୋଗ କଷ୍ଟ ବିଛଣା ନର୍କ ଯନ୍ତ୍ରଣା ଭୋଗିଲା ପରେ
ଗାତ୍ର ଦହନ କୋକେଇ ଜୁଇ ଦେଖିଲା ପରେ
ଶବ ଶ୍ମଶାନ ପାଉଁଶ ସମାଧି ସ୍ଥଳରେ ବୁଲିଲା ପରେ
ପୁଣି ଅନନ୍ତ ଅନ୍ତହୀନ ଆଶା ତ କେବଳ ....
ପୁଣି ଜୀବନକୁ ଚାହିଁବା ବାରମ୍ବାର
ପୁଣି ମଣିଷ ରୂପେ ଜନ୍ମଗ୍ରହଣ ପାଇଁ ଚେଷ୍ଟା ନିରନ୍ତର
ଏ ସୂକ୍ଷ୍ମତିସୂକ୍ଷ୍ମ ଦେହ ପରା
କ୍ଷଣଭଙ୍ଗୁର ଚିନ୍ତାକଳ୍ପର ସମାହାର ଉପସଂହାର
ବୁଝି ପାରିଲେ ଜୀବନ ସ୍ଵର୍ଗଦ୍ଵାର
ମୁକ୍ତିଧାମର ଶିଖର ବିନ୍ଧୁସାଗର
ବୁଝି ନପାରିଲେ ଜୀବନ ନର୍କଦ୍ୱାର
ତେଲ ଲୁଣର ଯନ୍ତ୍ରଣା କାତର ଶବାଧାର
