ସବୁଜ ଭରସା
ସବୁଜ ଭରସା
କବିତା - ସବୁଜ ଭରସା
ରଚନା - ପଞ୍ଚାନନ ଜେନା
ତାରିଖ -୧୬-୦୬-୨୦୨୬
+++++++++++++++++
ପରସ୍ତ ପରସ୍ତ ଶୁଖିଲା ପତ୍ର ସବୁ
ଗଛ ତଳେ ଚିତପଟାଙ୍ଗ ମାରି ଶୋଇଥିଲେ
ମେଳି ବାନ୍ଧିଥିଲେ ବୋଧେ
ଆଗାମୀ ପଦକ୍ଷେପ ନେବା ପୂର୍ବରୁ ମିଶିଥିଲେ
ମଡ଼ ମଡ ଫଡ଼ ଫଡ଼ ଗପୁଥିଲେ କାଶୁଥିଲେ
ମୁହଁକୁ ମୁହଁ ଯୋଡ଼ି ହାତକୁ ହାତ ଭିଡ଼ି
ବହୁତ କିଛି ଗୁପ୍ତ ମନ୍ତ୍ରଣା ବୋଧେ ପାଞ୍ଚୁଥିଲେ
ଗଦା ଗଦା ପାଚିଲା ପତ୍ର ସବୁ
ଶିଖର ପ୍ରଦେଶରୁ ବ୍ରୁନ୍ତଚ୍ୟୁତ ହୋଇ
ମରଣ ଯୁଇରେ ଶରଶଯ୍ୟା ଉପରେ ଥିଲେ
ମିଟିଙ୍ଗରେ ସେଟିଙ୍ଗ କରୁଥିଲେ ବୋଧେ
ନିବିଡ଼ ସଂପର୍କକୁ ଗଛଟା କାଟିଦେଲା
ମରଣ ଯନ୍ତାକୁ ଠେଲି ଦେଇ ପାରିଲା
ଆଦୌ ବୁଝି ପାରୁନଥିଲେ
ପତ୍ରଝଡ଼ା ଋତୁପରେ ପତିତ ସ୍ଖଳିତ ମୃତ ହେଲେ
ଜୀବନ ଯୁଦ୍ଧରେ ହାରିଥିବା ସୈନିକ
ମଥାନତ
ନୂଆ ଦିଗ ସନ୍ଧାନରେ ଥିଲେ
ମାୟା ସଂସାରର ନୀତି ନିୟମ ଇତ୍ୟାଦି ବିଷୟରେ
ତର୍କ ବିତର୍କରେ କଥିତ ବ୍ୟଥିତ ପଲେ
ହଠାତ୍ କାଳବୈଶାଖି ଆରମ୍ଭ ହେଲା
ପବନର ଅତର୍କିତ ଘୂର୍ଣ୍ଣନରେ
ତଳ ଉପର ଦୋଳାୟମାନ ଆବର୍ତ୍ତରେ
ଶୁଖିଲା ପତ୍ର ସବୁ ଉଡିଲେ ଦୈତିଲେ
ସତେ ଯେମିତି ଜୀବନ୍ତ ପ୍ରାଣବନ୍ତ ହେଲେ
ଏକଡ଼ ସେକଡ଼ ଡିଆଁ ମାରିଲେ ଚିଲ୍ଲା ମାରିଲେ
ପୁଣି ବଞ୍ଚି ଉଠିବାର ଅଦମ୍ୟ କାହାଣୀ ରଚିଲେ
ଦୂର ଛାତ କୋଣରେ ବସିଥିଲି
ଭାବୁଥିଲି
ସ୍ୱାଧିନତାର ପରିଭାଷା
ସ୍ୱଚ୍ଛନ୍ଦରେ ଉଡୁଥିବା ପତ୍ର ମାନଙ୍କୁ ଦେଖି
ନୂଆ ସଂଜ୍ଞାର ଚିତ୍ରକଳ୍ପକୁ ଆଙ୍କୁଥିଲି ଶବ୍ଦ ପରସା
ଜଡକୁ ଯିଏ ସ୍ଵତନ୍ତ୍ର କରାଏ
ଚେତନା ପୂରାଏ
ମୃତମାନଙ୍କୁ ସଞ୍ଜିବନୀ ମନ୍ତ୍ରରେ
ଦୀକ୍ଷିତ କରାଏ
ପାଷାଣ ହୃଦୟରେ ଭରିପକାଏ
ମୁଠା ମୁଠା ସ୍ଵାଭିମାନ ରଙ୍ଗୋଲିର ମୃଦୁହସା
ଭିରୁ କାପୁରୁଷଙ୍କ ରକ୍ତ ସ୍ଫୁଲିଙ୍ଗରେ
ପ୍ରବାହିତ କରିପାରେ
ଅସ୍ମିତାର ସାଙ୍କେତିକ ଟାଟୋର ପ୍ରୀତିକଷା
ଜାତୀୟତାର ବହ୍ନୀରେ
ଉଜ୍ଜିବିତ କରାଏ
ପଲ୍ଲବୀ ପକାଏ
ମୁହୁଳା ଲହୁଣୀ ପିତୁଳା ପରି
ନବ କିଶଳୟରେ ଆଚ୍ଛାଦିତ ସବୁଜ ଭରସା
