ମରୂଦ୍ୟାନ
ମରୂଦ୍ୟାନ
ପାଣି ପାଇଁ ଚାଲି ଚାଲି
କେତେବେଳୁ ଥକି ଗଲିଣି
ବସିବାକୁ ଗଛଟିଏ ବି ନାହିଁ !
ଏଠି ଛାଇ ତ ସ୍ୱପ୍ନ ଭଳି
ଆଉ ଯାହା ପାଣି ଭଳି ଦିଶେ-
ତାହ ଖାଲି ଭ୍ରମ
ଆରେ ! ତାକୁ ତ କହନ୍ତି...
ମରୁ ମରିଚୀକା ... ମରୁଭୂମି ... ଆଉ ପ୍ରେମ !
ହେଲେ ମରୁଭୂମିର ଦୃଷ୍ଟି ଆଢୁଆଳେ
ଅନତି ଦୂରରେ
ଗୋପନରେ ଗଢିଉଠେ
ମରୁଦ୍ୟାନ-
ଏକ ପାଣିର ଫୁଆରା...
ସୃଷ୍ଠିର ଏକ ବିଚିତ୍ର ସର୍ଜନା-
ଏକ ଅଦ୍ଭୁତ ସଙ୍କଳନ !
ତତଲା ବାଲିର ମାନେ କିଛି ରହେନା ଆଉ
ସଜେଇ ଦିଏ ସେ...
ଶହ ଶହ ଖଜୁରୀ ଗଛକୁ
ଧାଡି ଧାଡି କରି
ପାଣି ତ ଦିଏ..
ତା ସାଥିରେ ଆଶ୍ରୟ ବି ଦିଏ-
ରୌଦ୍ରତାପରେ ଜଳୁଥିବା ଦେହମାନଙ୍କୁ !
ସେ ତ ଶୀତଳତର ସ୍ରୋତ... ଜୀବନଦାୟୀ
ପ୍ରତିଷ୍ଠାର ଆକାଂକ୍ଷା
ପ୍ରେରଣାର ଉତ୍ସ
ପ୍ରଚେଷ୍ଟାର ଦୃଶ୍ୟପଟ !
ଆଶ୍ଚର୍ଯ୍ୟ ଲାଗେ ଶହ ଶହ କୋଶ
ଆଖି ପାଉନଥିବ ତତଲା ବାଲିରୁ
ଏତେ ଦୃଶ୍ୟମୁଗ୍ଧତା ଆସିଲ କୋଉଠୁ?
ମରୁଦ୍ୟାନ ପାଣି ଆଣିଲା କୋଉଠୁ ?
କଣ ଓଟର ପିଠିରେ !
ନା ପରିବ୍ରାଜକର ମୁଣିରେ !
ନା ସମୁଦ୍ର ସଙ୍ଗେ ଗୁପ୍ତ ସାଜିସରୁ-
ମରୁଭୂମି ବିରୁଦ୍ଧ ବିଦ୍ରୋହରେ !
କଣ ଆଖି ଭଳି ମରୁଭୂମି କାନ୍ଦରୁ
ମରୁଦ୍ୟାନ ନିଜକୁ ତିଆରେ !
ଆହୁରି ବିସ୍ତାରେ !
ଇଛା ହୁଏ ମରୁଦ୍ୟାନକୁ ଥରୁଟେ ବୁଲିଯିବା ପାଇଁ
ମରୁବାଲି ଅତିକ୍ରମ ନକରି
ଗୋଟେ କେସ୍ ଷ୍ଟଡି ପାଇଁ
ତା ଆତ୍ମକଥା ଶୁଣିବା ପାଇଁ
କେମିତି ଅଛି ସେ ଏବେ !
କେମିତି ତିଷ୍ଠିଛି ତା ଅସ୍ତିତ୍ୱ !
କେମିତି କରେ ସେ କାୟା ବିସ୍ତାର ?
ନା କେବେ କେବେ ହଜି ଯାଏ …
ମରୁବାଲିରେ ଚିରଦିନ ପାଇଁ !
ତା ଉତ୍ତରରେ ମତେ ମିଳି ଯାଇ ପାରେ
ମୋ ମରୁଭୁମି ଜୀବନ ଭିତରେ
ମରୁଦ୍ୟାନର ସନ୍ଧାନ !
ହେଲେ କାହିଁ ମରୁଦ୍ୟାନ !
