ସ୍ଵପ୍ନର ଧୂମ୍ରାଭ ଦିଗନ୍ତ
ସ୍ଵପ୍ନର ଧୂମ୍ରାଭ ଦିଗନ୍ତ


ଦିନେ ସମୟ ସାଥେ ହଜିଯିବ ମୋ ସ୍ଵପ୍ନ
ଯାହାକୁ ଦେଖୁଥିଲି ବହି ଉପରେ ମୁଣ୍ଡ ରଖି
ଦାଣ୍ଡ ଘର ଟେବୁଲ୍ ଉପରେ
ସେଦିନଠୁ ଗଲାଣି ଯେ କେତେ ଯେ ବସନ୍ତ
ତଥାପି ମନେ ମୋର ଲାଗିଛି ସେ
"ସ୍ଵପ୍ନର ଧୂମ୍ରାଭ ଦିଗନ୍ତ" ।
ଯଦିଓ ସମୟ ସୁଅରେ ଅନ୍ଧକାର ଘୋଟି ଆସୁଛି
ସାୟାହ୍ନର ପଦପାତେ ଜୀବନ ଘାଟିରେ
ହୃଦୟ ରକ୍ତାକ୍ତ ଚଢ଼େଇ ପରି ଖିନଭିନ ହେଲେ ବି
ସାଉଁଟି ଆଣିଛି ତଳେ ପଡିଥିବା
ରକ୍ତ ଓ ମାଂସ ପିଣ୍ଡୁଳା କୁ
ଇଛା ହଉଚି ପୁଣି ଥରେ ସେ
ହୃଦୟ ଗଢିବାକୁ
ପଛକୁ ଫେରିଯିବାକୁ
ହଜିଲା ସମୟକୁ
ପୁଣି ସେ ସ୍ଵପ୍ନ ସାକାର କରିବାକୁ
ଭାଗ୍ୟ ଅବା ସମୟ ସୁଯୋଗ ଦେଇନି
ବୋଲି ତ ମୁଁ ଏଠି ।
ନହେଲେ ମୁଁ ଫେରିଯିବାର ଯତ୍ପର ଚେଷ୍ଟା କରିଥିଲି
ଚେଷ୍ଟା କରିଥିଲି କଅଁଳ ମନକୁ
ଫେରି ପାଇବାକୁ
ଯାହା ଥରେ ହଜେଇ ବସିଛି
ସଂସାର କଳୁଷରେ, ଛଳନା ଭରା ବେଷ୍ଟନୀ ରେ
ଅଣ୍ଟା ଭିଡ଼ି ନିଜକୁ ସଜାଡ଼ିବାକୁ ଯାଇ
ପ୍ରତାରକ ବିରୁଦ୍ଧରେ ନର୍ଦ୍ଦମା ରେ ପଡ଼ିଯାଇଛି
ଯାହା କେବେ ସ୍ଵପ୍ନରେ ବି ଭାବି ନଥିଲି
ସରଳ କଥା ସବୁ ଜଟିଳ ହେଇଛି
ମୋ ହୃଦୟ ପରିବର୍ତ୍ତେ ଆଉ କା କଥା ଶୁଣ
ି
ନିଜକୁ ପରିବର୍ତ୍ତନ କରିଛି
ପରିଣାମେ ପରିବର୍ତିତ
ସରଳ ହୃଦୟ ହିଁ ତ ଏଠି ପ୍ରତାରିତ ।
ହୃଦୟଟା କେଡେ ବୋକା ସତେ
ଏତେ ସବୁ ହେଲା ପରେ ବି
ସମସ୍ତଙ୍କୁ ସନ୍ତୁଷ୍ଟ କରିବାରେ ଲାଗିପଡ଼ିଛି
ନା ଚିନ୍ତା ନା ଦେଖିବାକୁ ତର ଅଛି
ନିଜ ଗଢା ଶୃଙ୍ଖଳରେ ସେ ବନ୍ଦୀ
ଦୁଃଖ ଲାଗେ ବେଳେ ବେଳେ ହୃଦୟକୁ ଦେଖି ।
ଇଚ୍ଛା ହୁଏ କହିଦେବି ହୃଦୟକୁ ତା ପ୍ରକୃତ ସ୍ଵରୂପ
ଏଠି ହୃଦୟ ବଦଳରେ ହୃଦୟ ମିଳେନା
କାହିଁକି ନା ନିଜକୁ ବଳି ଦେଲେ ହିଁ ତ
ଅନ୍ୟ ପାଇଁ ଖୁସିର ଠିକଣା ।
ହୃଦୟ କେବେ ତୁ ସିଧା ହବୁ ସୁଧୁରିବୁ ସରଳତା ଛାଡି
ଭୁଲିଯା ତୋ ଅତୀତକୁ ତୋ ସ୍ୱପ୍ନକୁ
ବଞ୍ଚି ଚାଲ ବର୍ତ୍ତମାନ ବଗିଚାରେ
କାହିଁକି ନା ବର୍ତ୍ତମାନ ତତେ
ଦେଇଛି ଇଜ୍ଜତ ଆଣିଛି ସମ୍ମାନ
ପିନ୍ଧେଇଛି ଶାନ୍ତିର ମୁକୁଟ ଭରିଛି କ୍ଷତ
ଦେଇଛି ଆଲୋକ ଦେଖେଇଛି ଚାଲିବାର ବାଟ ।
ହେଲେ କଣ କରିବି
ଗଲାଣି ଯେ କେତେ ଯେ ବସନ୍ତ
ଏବେ କାହିଁ ମନେ ମୋର ଲାଗିଛି ସେ
"ସ୍ଵପ୍ନର ଧୂମ୍ରାଭ ଦିଗନ୍ତ "।