ତୁମେ ପଠେଇଥିବା ବର୍ଷା
ତୁମେ ପଠେଇଥିବା ବର୍ଷା
ତୁମ ମାନଚିତ୍ର ଡେଇଁ
ମୋ ଦିଗବଳୟରେ
ଉଭା ହୁଏ ବର୍ଷା
ସାଙ୍ଗରେ ଥାଏ ବିଜୁଳି
ହା-ହତାଶା ପବନ
ସବୁ ଯେମିତି ପଠେଇଚ ତୁମେ
ପ୍ରତିଶୋଧ ନେବା ପାଇଁ
ମୋ ଭଲପାଇବାର ।
ମୋ ବର୍ଷା ପବନ ସବୁ ଜକେଇଯାନ୍ତି
ଲୁଚିଯାଆନ୍ତି ମୋ ଆଖି କୋଣରେ
ଧମନୀ ଭିତରେ
ତୁମ ବର୍ଷା ଗଲା ପରେ ପରେ
ବରଷିବା ପାଇଁ ।
ତୁମ ବର୍ଷାର ଗୋଟିଏ ଜିଦ୍ଦି
ବରଷିବ ମୋ ଦେହ କ୍ଷତରେ
ଆବରଣକୁ ଧୋଇନେଇ
ରକ୍ତାକ୍ତ କରିବ ମୋ ସ୍ମୃତି ମାନଙ୍କୁ
ଜୀବନ୍ତ କରିବ କେବେଠୁ
ଭୁଲିଯାଇଥିବା ସ୍ମୃତି ସବୁକୁ ।
ସେଲ୍ ଫି ଟିଏ ନବ ବିଜୁଳିର
ମୋ ଅସହାୟତାର ଏକଲା ପଣର
ଗୁମୁରି ଉଠୁଥିବା ଅନ୍ତର ଆତ୍ମାର ।
ତୁମ ବର୍ଷା
ପବନ ସବୁକୁ ଛିଡିଦିଏ
ହୃଦୟରେ ଜଳୁଥିବା ନିଆଁକୁ
ଆହୁରି ଜାଳିବା ପାଇଁ
ରାତିଦିନ ସବୁ ମୋର ଯନ୍ତ୍ରଣାରେ ଜଳୁଥାଏ
ହଁ ବର୍ଷାରେ ବି ଜଳୁଥାଏ
ବୈଶାଖ ନଥାଇ ।
ତୁମ ପ୍ରତିଶୋଧ ବର୍ଷାରେ
ମୁଁ ଗଛରୁ ଝରି ପଡୁଥିବା ପତ୍ରଟିଏ
କେବେ କେବେ ଝଡ଼ି ବତାସ
ସମ୍ମୁଖୀନ ଗଛ ଭଳି
ଗୋଟିଏ ଦିଗକୁ ଭାରାକ୍ରାନ୍ତ
ଚରିତ୍ର ଇଚ୍ଛା କାମନା ସବୁକୁ
ସଜାଡ଼ୁ ସଜାଡ଼ୁ
ଆଉ ଗୋଟେ ବତାସ ଆସି ଉପସ୍ଥିତ ।
ଆରେ
କେବେ ଯଦି ବର୍ଷିବାର ଅଛି
ବରଷେ ନା ସେଠି
ଯିଏ କ୍ଷତ ଭରିଥିଲା ଅତୀତରେ
ଦେହ ଓ ମନରେ
ଏ ବର୍ଷା ବିଜୁଳିର ସେଲ୍ ଫି
ହା - ହତାଶା ପବନ
ଖାଲି କ'ଣ ମୋ ପାଇଁ ।
କଙ୍କାଳର କୋହ ହୃଦୟର ମୋହ
ହାତ ଧରି ଚାଲନ୍ତି ବୋଲି
କ' ଣ ନିର୍ବାଣ ନାହିଁ ।
ଏଠି ନିର୍ବାଣ ମୋକ୍ଷ ଖାଲି କାଳ୍ପନିକ
ଜୀବନ ତ ଷଡ଼ରିପୁ ଶୃଙ୍ଖଳରେ ବନ୍ଦୀ
ବାସ୍ତବରେ ଛ' ଖଣ୍ଡ କାଠ ହୁଳାଏ ନିଆଁ
ମୁଠାଏ ପାଉଁଶ ହିଁ ଶେଷ ଉପଲବ୍ଧି ।

