ଅପରାଧୀ
ଅପରାଧୀ
ଅସରନ୍ତି ବାଲି ଶେଯ ପରେ ଆଜି ବି ଅନେଇ ରହିଛି ଅନନ୍ତ ଆକାଶକୁ...କାହିଁକି ଜାଣ?
ଦୂରତାର ମାପକାଠିରେ ଟିକେ ପରଖିବାକୁ ,ବୋଧେ ସେଥିପାଇଁ କେବେ ଅଲୋଡା ଉନ୍ମାଦରେ
ତୁମେ ଆସ ବିଜୁଳି ଘଡଘଡିର ରୋଷଣୀରେ ,ବରଷି ଯାଅ ମିଳନ କ୍ଷୁଧାରେ
ଆଉ ମୁଁ ବି କଣ କମ କି....ଅସୁମାରି ଆଗ୍ନେୟ ଲାଭାକୁ ଅକିଞ୍ଚନେ ସହିଯାଏ
ବୋଧେ ଖାସ ତୁମ ପାଇଁ ହୁଏ ଭୁ - କମ୍ପନ, କିଛି ଜୀବନ ହନ୍ତସନ୍ତ, ପୁଣି କିଛି ଅନ୍ଵେଷଣ...
ମୁଁ ତ "ଅପରାଧୀ", ସାରା ବ୍ରହ୍ମାଣ୍ଡର ଦାୟିତ୍ୱ ନେଇ ବି ଭୁଲିଯାଏ ତୁମ କଥା,
ତୁମେ ବି ତ ପିତୃତ୍ୱର ପରାକାଷ୍ଠାରେ କେଉଁ କାଳୁ ପାହାଡ ସମ ଉପବିଷ୍ଟ
ଥରୁଟିଏ ଆସନ୍ତନି ସମସ୍ତଙ୍କ ଅଲକ୍ଷ୍ୟରେ, ବଦଳେଇ ଦିଅନ୍ତ ସଂଜ୍ଞା ଅନୁତପ୍ତ ହୃଦୟର
"ଅପରାଧୀ"ର ପୃଷ୍ଠଭୂମିରେ ଧରିତ୍ରୀ ଆକାଶର ହୁଅନ୍ତା ମିଳନ, ଯୁଗ ଯୁଗର ପରମ୍ପରା ଆଢୁଆଳରେ....।
ଋତୁ ମାନଙ୍କ ଗାଲିଚାରେ, କେବେ ତୁମେ କାଳ ବୈଶାଖୀ ହୋଇ ଆବୋରି ନିଅନ୍ତ ବାହୁ ବନ୍ଧନରେ
ମୁଁ ସାଜୁଥାଆନ୍ତି "ଅପରାଧୀ" ସମ ଝଡ ପରର ନୀରବତାରେ
କେବେ ତୁମେ ସାଜନ୍ତ ଶ୍ରାବଣ ଭ୍ରମର, ମୁଁ ଭିଜା ମାଟିରେ ପୁଲକିତ ଘାସ ଫୁଲ
"ଅପରାଧୀ" ଚିତ୍ରକର ପୁଣି ତୋଳନ୍ତା ଅନ୍ତରଙ୍ଗ ସମୂହକୁ ଶରତର କାନ ଭାସରେ
ଶୀତ ସଂଧ୍ୟାର ତନ୍ଦ୍ରୀୟ ପରଶରେ କେତେ ଯେ ଶିହରଣ ଜୀବନ୍ୟାସ ପାଆନ୍ତେ କାକର ଠୋପାରେ..
ତୁମ ଶାଶ୍ଵତ ପ୍ରେମକୁ ଦ୍ୱାହି ଦେଇ ପୁଣି ଆସନ୍ତା ଫଗୁଣ, ପ୍ରୀତିର ରଙ୍ଗରେ ରଙ୍ଗୀନ୍ ହୁଅନ୍ତା ତନୁ ମନ
ମୁଁ ଖୋଜୁଥାନ୍ତି ତୁମ ଚଲା ପଥକୁ ଅନନ୍ତ ଆକାଶରେ, ଇନ୍ଦ୍ରଧନୁର ସପ୍ତ ରଙ୍ଗରେ
ଅଜାଣତେ ମୋତେ କୋଳେଇ ନିଅନ୍ତ ଆଖି ପାଉନଥିବା ଜୁଆରିଆ ସମୁଦ୍ରର ଶିଖର ଆଡେ
ଦେଖ! ମୋ ନିମନ୍ତ୍ରଣ ଆଉ ତୁମ ସମ୍ମତିରେ କେମିତି ସାରା ଆକାଶ ହେଲାଣି କୃଷ୍ଣ ମୟ
ଅପରାଧୀ ବନ୍ଦିନୀ ଏବେ ବି କାଳ ବିତାଏ ତୁମ ଛାଇ ଆଲୁଅ ଲୁଚକାଳି ଖେଳରେ......।