STORYMIRROR

Smruti Ranjan Tripathy

Abstract Fantasy

3  

Smruti Ranjan Tripathy

Abstract Fantasy

ସେ

ସେ

1 min
276


ସେ ନିତି

ପହଡ଼ ଭାଙ୍ଗେ 

ଅଗଣାରେ , ତୁଳୀରେ

ମୋ ସ୍ବାଧୀନତା ର 

ଅଗଣତାନ୍ତ୍ରୀକ ଉହାଡରେ।

କୋଉଦିନଠୁ ହଜେଇଛି ସେ ଅପଶବ୍ଦ

ଭୋକିଲା ପେଟ ଚିହ୍ନେନି 

ଗଣ ଆଉ ତନ୍ତ୍ର

ସେଥିପାଇଁ ତ

ମୁଁ ନିତି ତିଆରିଦିଏ ତା'ପାଇଁ

ନଈ, ନାଳ, 

ପାହାଡ଼ି ଝରଣା।

ଜାଣ!

ଗଛ ଫାଂଙ୍କରୁ ବି

ଉଙ୍କି ମାରେ ଜୀବନ।।


ଶୁନ୍ୟ କୁ ଛୁଇଁବା ଭ୍ରମରେ 

ମେଘପକ୍ଷୀ ର ମୋହରେ

ଉଡାଣ କ୍ରିୟା ଧରେ

ଦିନାନ୍ତ ର ରଙ୍ଗ ଶୁଖିଲା ଯାଏଁ।

ମୁରୁକି ହସେ ଆକାଶ

ବଳକା ରଙ୍ଗରେ

ଲେସି ହେଇଯାଏ ଛାଏଁ ଛାଏଁ

କୋଉ ଗଛ କୋରଡରେ

ଲୁହ ପାଇଁ ବସାଟିଏ

ହଁ ସେ ଏବେ ନୀଡ଼ମୁହାଁ

ତୋ ଆଡୁ ସରି ସରି ଆସୁଥିବା

ଗଣତନ୍ତ୍ର ର ସାମ୍ରାଜ୍ୟ ଆଡେ ।।


ସଞ୍ଜ ନୁଁଏ,

ଏବେ ଭୟ କୁ 

ବେଖାତିର କରିବାର ସମୟ

ଭୋକମାନେ ବାଟ କଢ଼ାନ୍ତି

ଅପରଚିତ ଜାଗାକୁ,

ଆଲୁଅକୁ ଗିଳୁଥାଏ

ବାଡିପଟ ଅନ୍ଧାର

ମୋ ଚିତ୍ରଖାତା ବାହାରେ।।


ଗୋଟାଏ ଦୀର୍ଘଶ୍ଵାସ ର ସ୍ୱରରେ

ଫି ରାତି ବିଶ୍ୱାସର ତାରାମନେ 

ଗୀତ ଗାଆନ୍ତି ବେଧଡକ

ଠିକ ନ୍ୟାୟ ପାଳିକା ଦୁଆରେ।


ଭୋର ଅପେକ୍ଷାରେ

ସେ ମୁହଁ ଦେଖେ ବାରମ୍ବାର

କିଛି କ୍ଷଣ ପାଇଁ ସ୍ଥିର ହୋଇଥିବା 

ଜୀବନରେ, 

ଅପବାଦ ର ସ୍ତବ୍ଧ ପିଣ୍ଡରେ।।

ହଁ କେବେ ପୁଣି ବଦଳିବ 

ଗଣତନ୍ତ୍ର ଇତିହାସ

ପୁଣି ସେ ଉଙ୍କି ମାରିବ

ମୋ ଚିତ୍ରଖାତା ଭିତରେ।।


ମଲାଟରେ ଧୂଳି ଜମେ

ଅନୁଭବର ପରଶରେ

ପରଳ ବି ପଡେ ତା' ଆଖିରେ,

ଚିତ୍ରଖାତାରୁ ପୃଷ୍ଠା ସରିଆସେ

ଏବେ ତା'ର ସଜ୍ଞା ହେବାର ବେଳ..

ଗୋଟେ ଦୀର୍ଘସ୍ବର ର ଆବେଗରେ

ଲମ୍ବି ଯାଇଥିବା 

ପୂର୍ଣଛେଦ ପୂର୍ବର ସର୍ବନାମ " ସେ "

"ସେ" ହିଁ ଜୀବନ..


ତୁଳୀ ରୁ ଝରି ପଡିଥିବା

ବିନ୍ଦୁ ବିନ୍ଦୁ ପ୍ରେମ ରେ 

ମୁଁ କିନ୍ତୁ ନିତି ତୋଳେ

ନଈ ପାହାଡ଼ ଝରଣା ପୃଷ୍ଠାଙ୍କ ରୁ

ଖଣ୍ଡି ଖଣ୍ଡି ଦୁର୍ବାଦଳ

ଆଉ ତା' ଭାଗର 

ବାକିତକ ସକାଳ।

ହଁ ଏବେ ତ ଜୀଇଁବାର ବେଳ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract