ଦହଗଞ୍ଜ
ଦହଗଞ୍ଜ
ବିଷ୍ଣୁଙ୍କ ମାୟାରେ ମୋହିତ ହୋଇ
ଭବ ସାଗରେ ।
ବିଚରଣ କରେ ମଣିଷ ଟିକେ
ଭାବ ତ ଥରେ ।୧।
ବଢି ବଢି ଯାଏ ଜଞ୍ଜାଳ ତାର
ଦିନକୁ ଦିନ ।
ସୁଖୀ ହେବ ମନେ ଭାଳଇ ସୁଖ
ସାତ ସପନ । ୨।
ଯେତେ ଯେତେ ଯାହା କରୁଛି ସୁଖ
ପାଇବା ପାଇଁ ।
ଦୁଃଖର କାରଣ ହୁଅଇ ସବୁ
ବୁଝୁଛି ସେହି ।୩।
ଗାଡି ଘର ବାଡି ଚାକିରୀ ଯାହା
ସବୁ କରିଛି ।
କୁଟୁମ୍ବ ବନ୍ଧୁ ବାନ୍ଧବଙ୍କୁ ଅବା
ଯାହା ଅର୍ଜିଛି ।୪।
ସୁଖକୁ ନ ହେଲେ ଭାଜନ ଦିନୁଁ
ଦିନ ଯାତନା ।
ବଢଇ ତାହାର ସର୍ବଦା ହେଲା
ବିରସ ମନା ।୫।
ବଳ ବୟସ ଥିଲା ତାର ଏବେ
ସବୁ ତ ଗଲା ।
ବୃଦ୍ଧ ବୟସ ହେଲା ଆସି ବସି
ସବୁ ଭାବିଲା ।୬।
ମୋର ମୋର ଯେ କହୁଥିଲେ କହୁ
ନାହାନ୍ତି ଆଉ ।
ଡାକୁଛି ଯାହାକୁ ତା କଥା ଶୁଣୁ
ନାହାନ୍ତି କେହୁ ।୭।
କେତେ ଦହଗଞ୍ଜ ହେଉଛି ସିଏ
ଏ ବୟସରେ ।
କଥା ତାର କିଏ ବୁଝିବ କେହି
ନାହିଁ ପାଖରେ ।୮।
ବୁଢୀ ଥିଲେ ସିନା ବୁଝନ୍ତା ସେ ତ
ଗଲାଣି ଚାଲି ।
ଦହଗଞ୍ଜ ବୁଢା ହେଉଛି ଏବେ
ଭାବୁଛି ଖାଲି ।୯।
ପଛ କଥା ସବୁ ଭାବୁଛି ସାରା
ଜୀବନ ତାର ।
ଯାହା ଯାହା ସବୁ କରିଛି ଭାବେ
ସବୁ ନିଜର ।୧୦।
ହାତ ଯୋଡି କହେ ପ୍ରଭୁ ହେ କଲ
ସଂସାରେ ଜାତ ।
ତୁମ କଥା ଥରେ ଜୀବନେ କେବେ
ଭାବିନି ମୁଁ ତ ।୧୧।
ନିଜର ମୁଁ ଯାହା ଭାବୁଛି ସବୁ
ସିନା ତୁମର ।
ତୁମରି ସବୁ ଦରବକୁ କହେ
ମୁଁ ମୋର ମୋର ।୧୨।
ମୋର ମୋର କହି ସିନା ମୁଁ
ଦହଗଞ୍ଜ ହେଉଛି ।
ତୁମ ଦେଇଥିବା ଦରବ ସବୁ
ଯତ୍ନେ ରଖୁଛି ।୧୩।
ଆଉ ଦହଗଞ୍ଜ ନ କରି ମୋତେ
ପାଖକୁ ନିଅ ।
ସବୁ ସମର୍ପିଲି ତୁମକୁ ରଖ
ମୁଁ ଅସହାୟ ।୧୪।