ଦୀପାବଳି
ଦୀପାବଳି


ସରସ ସୁନ୍ଦର ଜୀବନକୁ ଆମ
କରଇ ପର୍ବ ପର୍ବାଣି ।
ନବ ଉନ୍ମାଦନା ନବ ଉଦ୍ଦୀପନା
ଦିଅଇ ଆମକୁ ଆଣି ॥
ବାରମାସେ ତେର ପରବ ଆମର
ତନ୍ମଧ୍ୟରେ ଦୀପାବଳି ।
ଆଲୋକର ପର୍ବ କାର୍ତ୍ତିକ ମାସରେ
ଆସଇ ଆଲୋକ ଜାଳି ॥
କାର୍ତ୍ତିକ ମାସର କୃଷ୍ଣ ଅମାବାସ୍ୟା
ଦିନ ଦୀପାବଳି ପର୍ବ ।
ପାଳନ୍ତି ସଭିଏଁ ଦେବ ଋଷି ପିତୃ
ପୂଜନେ ଏହି ପରବ ॥
ଗୃହ ପରିଷ୍କାର ଆଗୁଁ ହୋଇଥାଏ
ଦୀପାବଳି ପର୍ବ ଦିନ ।
ସନ୍ଧ୍ୟା ସମୟରେ ଘର ଅଗଣାରେ
ହୁଏ ପୂପ ଦୀପଦାନ ॥
ଦଶ ବିଶ୍ବେଦେବା ସପ୍ତଋଷି ତଥା
ଦ୍ଵାଦଶ ପିତରଗଣ ।
ଆବାହନ କରି ପୂଜନ ହୁଅଇ
ପଞ୍ଚ ଉପଚାରେ ଜାଣ ॥
ଘୃତ ଦୀପଦାନ ପରେ ହୋଇଥାଏ
ପୂପ ଦୀପଦାନ ତହିଁ ।
ଦୀପଦାନ ଶ୍ରାଦ୍ଧେ ନୈବେ
ଦ୍ୟ ନହୋଇ
ସମର୍ପଣ ହୋଇଥାଇ ॥
ଶ୍ରାଦ୍ଧୀୟ ଦରବ ଫଳମୂଳ ଲିଆ
କଉଡି ବାଳୁଙ୍ଗାଧାନ ।
ଶୁଆଁଲଇ ସହ ହୁଏ ସମର୍ପଣ
ଏହା ଶାସ୍ତ୍ରର ବିଧାନ ॥
କାଉଁରିଆ ହୁଳା ଲଗାଇ ଶେଷରେ
ବଡବଡିଆଙ୍କୁ ଡାକି ।
ବିଦାୟ ଦିଅନ୍ତି ବଡବଡିଆଙ୍କୁ
ଆଲୋକ ହୁଳାକୁ ଟେକି ॥
ପିଠାପଣାର ଭାଇଚାରାର ପର୍ବ
ଏ ଦୀପାବଳି ଆମର ।
ସୁନ୍ଦର ଆଲୋକର ସମ୍ଭାର ହୁଏ
ଚମକେ ଘର ଦୁଆର ॥
ଶ୍ରୀରାମ ଅଯୋଧ୍ୟା ଫେରିଲେ ତ୍ରେତାରେ
ରାବଣ ଦୈତ୍ଯ ସଂହାରି ।
ଦୀପାବଳିଦିନ ସେଦିନୁ ଏ ପର୍ବ
ପାଳୁଛନ୍ତି ନରନାରୀ ॥
ଶ୍ୟାମାକାଳୀ ପୂଜା ଦୀପାବଳିଦିନ
ହୋଇଥାଏ ଅନୁଷ୍ଠିତ ।
ଦୀପାବଳି ଆମ ଆଲୋକର ପର୍ବ
ପରମ୍ପରା ତା ମହତ ॥