ଶୁଭ ଦୀପାଳି
ଶୁଭ ଦୀପାଳି


ଆଲୋକର ପର୍ବ ଶୁଭ ଦୀପାଳି ।
ଆସିଛି ଅନ୍ଧାର ଦେବାକୁ ଟାଳି
ସଫା ହେଲା ସବୁ ଘର ଦୁଆର ।
ଶୁଭ ଦୀପାବଳି ଏ ଆଲୋକର
କାର୍ତ୍ତିକ ଆମର ଧରମ ମାସ ।
ଅମାବାସିଆରେ ଦୀପ ପ୍ରକାଶ
ଘରେ ଘରେ ଜଳେ ଶୁଭ ଦୀପାଳି ।
ଘରେ ଓ ବାହାରେ ଆଲୁଅ ଜାଳି
ସଞ୍ଜ ନଇଁଗଲେ ଦୀପାଳି ଜଳେ ।
ଦୀପଦାନ ପର୍ବ ଚଉରା ମୂଳେ
ଦେବ ଋଷି ପିତୃ ପୂପ ଦୀପରେ।
ଘୃତବତୀ ଜାଳି ପୂଜନ କରେ
ସମର୍ପି ନାନାଵିଧ ଫଳମୂଳ ।
ଶ୍ରାଦ୍ଧୀୟ ଦରବ ଆଦି କେବଳ
ବଡବଡିଆଙ୍କୁ ଡକା ହୁଅଇ ।
କାଉଁରିଆ ହୁଳା ବତୀ ଜଳାଇ
ଅନ୍ଧାରରେ ଆସି ଆଲୁଏ ଯାଅ ।
ବାଇଶିପାହାଚେ ଗଡଗଡାଅ
ପିଠା ମିଠା ଆଲୋକର ପରବ ।
ଦୀପାବଳି ଆମ ଦେଶ ଗରବ
ସାରା ଭାରତରେ ହୁଏ ପାଳନ ।
ଶ୍ୟାମାକାଳୀ ପୂଜା ହୁଏ ଏଦିନ
ରାତ୍ରି ପୂଜା ପାଇ ଜଗଜ୍ଜନନୀ ।
ଭକ୍ତଙ୍କୁ ହୁଅନ୍ତି ବରଦାୟିନୀ
ରାମ ବନବାସେ ରାବଣ ମାରି ।
ଅଯୋଧ୍ୟା ଏଦିନ ଆସିଲେ ଫେରି
ଆନନ୍ଦ ହୋଇଲେ
ଅଯୋଧ୍ୟାବାସୀ ।
ଜାଳିଲେ ଦୀପାଳି ହୋଇଲେ ଖୁସି
ରମ୍ଭାବୃକ୍ଷ ପୋତି ଦାଣ୍ଡ ଦୁଆରେ ।
ପାଳିଲେ ପରବ ଆଡମ୍ବରରେ
ତିନିଦିନ ଏ ଦୀପାବଳି ପାଳ ।
ଧନତେରସରୁ ଦୀପାଳି ଜାଳ
ଚାରିମୂଖ ଦୀପ ରଖ ଦୁଆରେ ।
ଚାରୋଟି ବଳିତା ଦିଅ ତହିଁରେ
ଦୀପ ତଳେ ଧାନ ଅବା ଚାଉଳ ।
ଅଥବା ଗହମ ରଖ କେବଳ
ରାଶିତେଲରେ ଏ ଦୀପ ଲଗାଅ ।
ଦୀପାବଳିଦିନ ଯାଏଁ ଜଳାଅ
ତିନିଗୋଟି ଦୀପ ଦକ୍ଷିଣେ ଜାଳ ।
ଧନତେରସରୁ ଜାଳ କେବଳ
ରାଶିତେଲ ଦେଇ ଜାଳ ଏ ଦୀପ ।
ଯମ , ଚିତ୍ରଗୁପ୍ତ , ଧର୍ମ ସମୀପ
ତିନୋଟି ଦୀପ ଏଇ ତିନିଦିନ ।
ଜାଳିବାର ଅଛି ବିଧି ବିଧାନ
ବାଣଫୁଟାଇବା ନିଷେଧ ହେଉ ।
ପ୍ରଦୂଷଣ ମୋଟେ ନବଢୁ ଆଉ
ଆଲୋକ ପରବ ଆମ ଦୀପାଳି ।
ଆସିଛି ଅନ୍ଧାର ଦେବାକୁ ଟାଳି
ଅଜ୍ଞାନ କାଳିମା ହଟୁ ହୃଦରୁ ।
ଜ୍ଞାନର ଆଲୋକ ପ୍ରକାଶ ଭରୁ
ସବୁଦିନ ଆମ ହୃଦେ ଦୀପାଳି ।
ଜଳି ଜାଳୁ ହୃଦୁ କଳ୍ମଷ କାଳି